ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ
ପାରଳାଖେମୁଣ୍ଡି,29/8(ତାରିଣୀ ପ୍ରସାଦ ପଣ୍ଡା): ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାରେ ଆଜି ୨୮ ଅଗଷ୍ଟ ରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ଅଗଷ୍ଟ ୨୮ ତାରିଖକୁ ‘ଟ୍ରିବ୍ୟୁଟ୍’ ଦିବସ ଭାବେ ପାଳନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀ ବିନାୟକ ରାଉଳ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ପାତ୍ର, ବିଶିଷ୍ଟ କ୍ରୀଡ଼ାବିତ୍ ଶ୍ରୀ କିଶୋର ରଥ ଏବଂ କ୍ରୀଡ଼ାପ୍ରେମୀ ତଥା କବି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇଥିଲେ। ଅତିଥିମାନେ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର କ୍ରୀଡ଼ା ପ୍ରତିଭା ଓ ଦେଶ ପାଇଁ ଅବଦାନକୁ ସ୍ମରଣ କରିଥିଲେ।
ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ମେଜର ଧ୍ୟାନଚାନ୍ଦଙ୍କ ମହାନ କ୍ରୀଡ଼ା ଅବଦାନକୁ ସ୍ମରଣ କରିବା ହେଉଛି ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ନିୟମିତ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମ ଯୁବପିଢ଼ିଙ୍କୁ ସୁସ୍ଥ, ଶୃଙ୍ଖଳିତ ଓ ଆତ୍ମବିଶ୍ୱାସୀ କରିବାରେ ସହାୟକ ହୋଇଥାଏ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜାତୀୟସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ଏହାଦ୍ୱାରା ଜିଲ୍ଲାର ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଅଧିକ ସଫଳତା ହାସଲ ପାଇଁ ପ୍ରେରଣା ଯୋଗାଇବାର ପ୍ରୟାସ କରାଯାଇଛି। ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳନ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଠାରେ ପାରଳା ପୋଲିସ ଦ୍ୱାରା ନିଶା ନିବାରଣ ଏବଂ ସାଇବର ସଚେତନତା କର୍ମଶାଳା
ପାରଳାଖେମୁଣ୍ଡି,29/8(ତାରିଣୀ ପ୍ରସାଦ ପଣ୍ଡା): ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସାଥି”ସେଲ ଏବଂ ଆଦର୍ଶ ପୋଲିସ ଥାନା ପାରଳାଖେମୁଣ୍ଡିର ମିଳିତ ଆନୁକୂଳ୍ୟରେ ପୋଷ , ପୋସ୍କ , ନିଶା ନିବାରଣ ଅଭିଯାନ ଏବଂ ସାଇବର ସଚେତନତା ସମ୍ପର୍କରେ ଶୀର୍ଷକ ଏକ ଦିବସୀୟ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ଆଇ. ଆଇ. ସି ପ୍ରଶାନ୍ତ ଭୂପତି ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ତଥା ସାଇବର ଠକେଇ ପ୍ରତି ସଚେତନ ହେବା ତଥା ଏହି ସମ୍ପର୍କରେ ସତର୍କ ରହି ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ସୂଚନାସମୃଦ୍ଧ ଓ ପ୍ରେରଣାଦାୟକ ଆଲୋଚନା କରିଥିଲେ। ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ରହି ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କ୍ଷତିକାରକ ଏବଂ ଭବିଷ୍ୟତ ପ୍ରତି ଧ୍ୟାନ ଦେବା କ୍ଷେତ୍ରରେ ଯୁବପିଢ଼ିର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ନିଶା ନିବାରଣ ଅଭିଯାନ ସମ୍ପର୍କରେ ପୋଲିସ ବିଭାଗର ଅଫିସର ପ୍ରିୟବ୍ରତ ସ୍ୱାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ।
ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ତଥା ଶକ୍ତିଶ୍ରୀ ସଂଯୋଜିକା ଡକ୍ଟର ଚାରୁ ପ୍ରଭା ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା ଥିଲେ। ଓଡ଼ିଆ ବିଭାଗର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ। ଏହି ଏକ ଦିବାସୀୟ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।
ତାମିଲନାଡୁ ପୋଲିସ ଦ୍ୱାରା ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଜପତିର ଯୁବକ ଗିରଫ
ପାରଳାଖେମୁଣ୍ଡି, 29/8(ତାରିଣୀ ପ୍ରସାଦ ପଣ୍ଡା): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲ୍ଲାରେ ପହଞ୍ଚିଲା ତାମିଲନାଡୁ ପୁଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୁଲିସ ତଦନ୍ତ କରିବା ପରେ ଗଞ୍ଜେଇ ଗଜପତି ଜିଲ୍ଲାର କେଶରୀଗୁଡ଼ା ଅଞ୍ଚଳରୁ ତାମିଲନାଡ଼ୁ ଚାଲାଣ ହୋଇଥିବା ସୂଚନା ମିଳିଛି।ଚଳିତ ମାସ ୧୩ରେ ତାମିଲନାଡୁର ଭାଲୋର୍ ରେଳ ଷ୍ଟେସନ୍ରେ ଜଣେ ଯୁବକଙ୍କ ଠାରୁ ପ୍ରାୟ ୧୪ କିଲୋ ଗଞ୍ଜେଇ ଜବତ କରିଥିଲା ସେଠାକାର ପୋଲିସ। ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗଞ୍ଜେଇ ଗଜପତି ଜିଲ୍ଲାର କେଶରୀଗୁଡ଼ା ଅଞ୍ଚଳରୁ ନିଆଯାଇଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା ।

ଏହାପରେ ତାମିଲନାଡୁ ପୁଲିସ ଏକ ଟିମ୍ ଗଜପତି ଜିଲ୍ଲାର ଅଡବା ଥାନା ଅଧୀନ କେଶରୀଗୁଡ଼ା ଅଞ୍ଚଳରେ ପହଞ୍ଚି ତଦନ୍ତ କରିଥିଲା। ତେବେ ସନ୍ଦିଗ୍ଧ ଯୁବକଙ୍କ ସନ୍ଧାନ ମିଳିନଥିଲା।ପରେ ମୋହନା ଥାନା ପୁଲିସର ସହଯୋଗରେ ତଦନ୍ତ ଆଗକୁ ବଢ଼ିଥିଲା। ମୋହନା ଥାନା ଏସଆଇ ଶ୍ରୀରାଜ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଯୁବକଙ୍କୁ ମୋହନାରୁ ଗିରଫ କରାଯାଇଥିଲା।ଗିରଫ ଯୁବକ ଜଣକ ହେଲେ କେଶରୀଗୁଡ଼ା ଗାଁର ରିଙ୍କୁ ଲିମା ବୋଲି ଜଣାପଡ଼ିଛି। ତାମିଲନାଡୁରେ ଜବତ ୧୪ କିଲୋ ଗଞ୍ଜେଇ ମାମଲା ସହ ତାଙ୍କର ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।ତାମିଲନାଡୁରୁ ଆସିଥିବା ପୁଲିସ ଏହି ଗଞ୍ଜେଇ ମାମଲାର ତଦନ୍ତ ଏବେ କେଉଁଠି ପହଞ୍ଚୁଛି ଏବଂ ଏହି ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।











