ଦକ୍ଷିଣ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଅଣଦେଖା ଅସହ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ
ବ୍ରହ୍ମପୁର / ଭୁବନେଶ୍ୱର: ଦର୍ଶନ ସମୀକ୍ଷା
ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶମୂଳକ ଆକାଂକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ଅବହେଳା ଏବଂ ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପଠାଇ ଦକ୍ଷିଣ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବା ସହ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଛନ୍ତି।
ସାଂସଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ବିଭିନ୍ନ ଶ୍ରମିକ ସଂଗଠନ, କର୍ମଚାରୀ ମହାସଂଘ ଏବଂ ବୁଦ୍ଧିଜୀବୀ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଞ୍ଚଳ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।
ମୁଖ୍ୟ ପ୍ରସଙ୍ଗଗୁଡ଼ିକ:
ବିଶ୍ୱବିଦ୍ୟାଳୟ ଟାଉନସିପ୍ ଓ ଭିତ୍ତିଭୂମି ଉନ୍ନତିକରଣରେ ବ୍ରହ୍ମପୁର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଅଣଦେଖା:
ରାଜ୍ୟରେ ପ୍ରସ୍ତାବିତ ପିପିପି (PPP) ମୋଡେଲ ବିଶ୍ୱବିଦ୍ୟାଳୟ ଟାଉନସିପ୍ ଯୋଜନାରେ ଭୁବନେଶ୍ୱର, ସମ୍ବଲପୁର ଓ କୋରାପୁଟକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଉତ୍କଳ, ରେଭେନ୍ସା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତିକରଣ ତାଲିକାରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଐତିହାସିକ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (Khallikote Unitary University) କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବା ଦୁର୍ଭାଗ୍ୟଜନକ।
ରେଳ ଡାକ ସେବା (RMS) ଡିଭିଜନର କଟକ ସହ ମିଶ୍ରଣ ପ୍ରସ୍ତାବ:
ବ୍ରହ୍ମପୁରସ୍ଥିତ ରେଲୱେ ମେଲ୍ ସର୍ଭିସ (RMS) କାର୍ଯ୍ୟାଳୟକୁ କଟକ ସହିତ ମିଶ୍ରଣ କରିବା ପାଇଁ ହେଉଥିବା ପ୍ରୟାସକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡାକ ଯୋଗାଯୋଗ ଓ ପରିବହନ କେନ୍ଦ୍ର ଥିବା ଏହି କାର୍ଯ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବା ନିହାତି ଜରୁରୀ।
ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ଆଲୋଚନାରେ ସାଂସଦମାନଙ୍କୁ ସାମିଲ ନକରିବା:
ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସ୍ଥାନୀୟ ନିର୍ବାଚିତ ସାଂସଦ ତଥା ଲୋକପ୍ରତିନିଧିମାନଙ୍କୁ ବିଚାରବିମର୍ଶରୁ ଦୂରେଇ ରଖାଯାଉଥିବାରୁ ଜନସାଧାରଣଙ୍କ ସମସ୍ୟାର ସଠିକ୍ ପ୍ରତିଫଳନ ହୋଇପାରୁ ନାହିଁ।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଅଭାବ:
ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରମୁଖ ରାସ୍ତା, ଫ୍ଲାଏଓଭର, ବନ୍ଦର ଭିତ୍ତିକ ଶିଳ୍ପ, ନଦୀ ସଂରକ୍ଷଣ ତଥା ଜଳସେଚନ ଭିତ୍ତିଭୂମି ସମ୍ପର୍କିତ ପୂର୍ବ ପ୍ରସ୍ତାବଗୁଡ଼ିକ ଉପରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ।
ଅଞ୍ଚଳବାସୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୂର କରିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମତୁଲ ପ୍ରଗତି ନିମନ୍ତେ ମୁଖ୍ୟ ଶାସନ ସଚିବ ତଥା ସମସ୍ତ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କୁ ନେଇ ତୁରନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବାକୁ ସାଂସଦ ଡ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।











