ରାସ୍ତାକଡ଼ରେ ମୃତ୍ୟୁ ସହ ସଂଗ୍ରାମ ରଥ ଅସହାୟ ବୃଦ୍ଧଙ୍କୁ ଦେବଦୂତ ସାଜି ଚିକିତ୍ସା ସୁବିଧା ଯୋଗାଇଲେ ଗଜପତିର ୩ ଯୁବକ…
ପାରଳାଖେମୁଣ୍ଡି, 22/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ, ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି। ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ। ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅସହାୟ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜି ଆଗେଇ ଆସିଛନ୍ତି ସ୍ଥାନୀୟ କିଛି ଯୁବକ। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ରାୟଗଡ଼ ବ୍ଲକ ଅନ୍ତର୍ଗତ ରାସ୍ତାକଡ଼ରେ ଏକ ପରିତ୍ୟକ୍ତ ସ୍ଥାନରେ ଜଣେ ଅଜ୍ଞାତ ବୃଦ୍ଧ କ୍ଷୁଧା ଓ ଅସୁସ୍ଥତା ଜନିତ କାରଣରୁ ପଡ଼ି ରହିଥିଲେ। ବୟସର ଅପରାହ୍ନରେ ପରିବାର ଓ ସମାଜ ଦ୍ୱାରା ବେସାହାରା ହୋଇଥିବା ଏହି ବୃଦ୍ଧଜଣକ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିଲେ। ଦୀର୍ଘ ଦିନ ଧରି ଚିକିତ୍ସା ଅଭାବରୁ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେଥିରୁ ପୋକ ସାଲୁବାଳୁ ହେଉଥିଲେ।

ଏଭଳି ଅତି କଷ୍ଟଦାୟକ ସ୍ଥିତିରେ ସେ ଭୋକ ଉପାସରେ କେବଳ ଛଟପଟ ହେଉଥିଲେ ମଧ୍ୟ ଅନେକ ପଥିକ ତାଙ୍କୁ ଦେଖି ନଦେଖିଲା ଭଳି ଚାଲିଯାଉଥିଲେ। ତେବେ ଏହି ସମ୍ପର୍କରେ ଖବର ପାଇ ସ୍ଥାନୀୟ ସମ୍ବେଦନଶୀଳ ଯୁବକ ଟୁନା ରେଲି, ରକୀ ନାୟକ ଏବଂ ଚିତ୍ର ସେନ ଲେଙ୍କା ପ୍ରମୁଖ ବିନା କୌଣସି ଦ୍ୱିଧାରରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଜର ମାନବିକତା ଦେଖାଇ ବୃଦ୍ଧଙ୍କୁ ସେହି ଦୁର୍ଗନ୍ଧମୟ ସ୍ଥାନରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ତୁରନ୍ତ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ୱାରା ବୃଦ୍ଧଙ୍କ ଗୋଡ଼ର ଜରୁରୀକାଳୀନ ସଫେଇ କରାଯିବା ସହ ଚିକିତ୍ସା ଜାରି ରହିଛି। ଯୁବକମାନଙ୍କର ଏହିଭଳି ମହତ ଓ ସାହସିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ସଲାମ କରାଯିବା ସହ ବେଶ୍ ପ୍ରଶଂସା କରାଯାଉଛି। ଅପରପକ୍ଷରେ, ସ୍ଥାନୀୟ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦାବି କରିଛନ୍ତି ଯେ, ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ତାଙ୍କୁ କୌଣସି ସୁରକ୍ଷିତ ଜରାଶ୍ରମ କିମ୍ବା ସରକାରୀ ଆଶ୍ରୟସ୍ଥଳୀରେ ସ୍ଥାୟୀ ଥଇଥାନ କରାଯାଉ।
ଭାଷାକୋଷବିତ୍ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ଉସ୍ଛବ ଅନୁଷ୍ଠିତ
ପାରଳାଖେମୁଣ୍ଡି,22/8(ତାରିଣୀ ପ୍ରସାଦ ପଣ୍ଡା ):
ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସାହିତ୍ୟିକ ଡ.ତ୍ରିନାଥ ହୋତା ଏବଂ ସାହିତ୍ୟିକ ଡ.ଦେବାଶିଷ ମହାପାତ୍ର ଯଥାକ୍ରମେ ସଭାପତି, ମୁଖ୍ଯ ଅତିଥି ଏବଂ ମୁଖ୍ଯ ବକ୍ତା ଭାବେ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଂଜୟ କୁମାର ଚୁଆଲସିଂ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ,ଆୟୋଜକ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ମଂଚାସୀନ ଥିଲେ।ଅତିଥି ମାନେ ନିଜ ବକ୍ତବ୍ଯରେ ପଣ୍ଡିତ ନନ୍ଦଶର୍ମାଂକ ଓଡିଆ ଭାଷାକୋଷ ଲିଖିତ ଶବ୍ଦକୋଷ କିପରି ବିଶେଷ ଭାବେ ଆଦ୍ରୁତ ହୋଇଥିଲା କହିଥିଲେ।ତାଂକର ୩୫୦୦୦ରୁ ଉର୍ଦ୍ଧ୍ବ ଶବ୍ଦର ସଂକଳନ କରି ସେ ଓଡିଆ ଭାଷାର କାଳଜୟୀ ଲେଖକ ହିସାବରେ ପ୍ରତିଷ୍ଠା ଲାଭ କରିଥିଲା।

ତାଂକର ଲେଖନୀକୁ ପଣ୍ଡିତ ନୀଳକଣ୍ଠ ଦାଶ ଓ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଶଂସିତ କରିଛନ୍ତି।ତାଂକର ଲେଖାର ପ୍ରଭାବ ବିଶିଷ୍ଟ ସାହିତ୍ୟିକ ଶ୍ୟାମସୁନ୍ଦର ରାଜଗୁରୁ ଓ ପଦ୍ମଶ୍ରୀ ଡ.ସତ୍ଯନାରାୟଣ ରାଜଗୁରୁଙ୍କୁ ମଧ୍ଯ ପ୍ରଭାବିତ କରିଥିଲା।ଏହାଛଡା ସଂସ୍କ୍ରୁତ ଓ ଶାରଳା ମହାଭାରତର ତର୍ଜମା ଶ୍ରୀଭାରତ ଦର୍ପଣରେ ଅନୁଶୀଳନ କରିଥିଲେ।ଓଡିଆ, ବଂଗଳା, ତେଲୁଗୁ, ତାମିଲ, କନ୍ନଡ଼ ଓ ପାର୍ଲି ଭାଷାରେ ପାଣ୍ଡିତ୍ଯ ଅର୍ଜନ କରିଥିଲେ।ମାନ୍ଦ୍ରାଜ ଠାରେ ଅନୁଷ୍ଠିତ ପଣ୍ଡିତ ସମ୍ମିଳନୀରେ ପ୍ରିନ୍ସ ଅଫ୍ ଓ୍ୱେଲ୍ସଂକ ଠାରୁ ସ୍ୱର୍ଣ୍ଣ କଂକଣ ଲାଭକରି ସମ୍ମାନିତ ହୋଇଥିଲେ।ଜଣେ କବି, ନାଟ୍ୟକାର ହିସାବରେ ତାଂକର ସୁନାମ ଥିଲା ସେ ସମ୍ପର୍କରେ ଧାରଣା ଦେଇଥିଲେ।ଏହି ଅବସରରେ ରାଜେଶ୍ବରୀ ସ୍ୱାଇଁ ଅତିଥି ଆହ୍ୱାନ କରିଥିବା ବେଳେ ସ୍ନେହା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରମୋଦ ଚନ୍ଦ୍ର ପାଢୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ବିନୋଦ ଚନ୍ଦ୍ର ଜେନା ଧନ୍ଯବାଦ ଅର୍ପଣ କରିଥିଲେ।ଶତାଧିକ ସାହିତ୍ୟପ୍ରେମୀ ଏହି ସମାବେଶରେ ଯୋଗଦାନ କରିଥିଲେ।
ଗଜପତି ପୋଲିସର ବିହିତ ପଦକ୍ଷେପ…..
ନଜର ବନ୍ଦୀ ଥିବା 5 ଯୁବ ଶ୍ରମିକ ଆନ୍ଧ୍ରରୁ ଉଦ୍ଧାର ହୋଇ ଘରେ ପହଞ୍ଚିଲେ
ପାରଳାଖେମୁଣ୍ଡି, 22/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା ପୋଲିସର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଆନ୍ଧ୍ରରେ ନଜର ବନ୍ଦୀ ଭାବେ ରହିଥିବା 5 ଜଣ ଶ୍ରମିକ ଉଦ୍ଧାର ହେବା ସହ ସେମାନଙ୍କ ଘରକୁ ଫେରିଥିବା ସୂଚନା ମିଳିଛି. ଗଜପତି ପୁଲିସ ଆନ୍ଧ୍ର ପ୍ରଦେଶର ବାପତଲା ପୋଲିସ ସହିତ ସମନ୍ବୟ ରଖି ନଜର ବନ୍ଦୀ ଥିବା ପାଞ୍ଚ ଜଣ ଯୁବ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି. ଏହି ପାଞ୍ଚ ଜଣ ଯୁବ ଶ୍ରମିକଙ୍କ ପାଞ୍ଚ ପରିବାର ଲୋକେ ଆର୍ ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ତଥା ଯୁବ ଆଇପିଏସ୍ ରାକେଶ କୁମାର ସାହୁଙ୍କ ଠାରେ ଲିଖୂତ ଅଭିଯୋଗ କରିଥିଲେ ଯେ ସେମାନଙ୍କ ପୁଅ ଅଭିଳାଷ ଦଳବେହେରା (୨୧), ନିଥନିଏଲ ରଇତ (୨୪), ଯାରବିଏମ୍ ଗମାଙ୍ଗ (୨୩), ବିକାଶ ମାଝୀ (22) ଓ ଅକ୍ଷ ପାଟମାଝୀ (୨୩) ଙ୍କୁ ଚାକିରୀ ପ୍ରଲୋଭନ ଦିଆଯାଇ ଆନ୍ଧ୍ରପ୍ରଦେଶର ଲାଙ୍କେବାଣି ଦିବା ଓ ବାଙ୍ଗାଡିପାଲେମ୍ ସ୍ଥାନକୁ ନିଆଯାଇଥିଲା । ଏହି ସ୍ଥାନ ଗୁଡିକ ବିଛିନ୍ନ ଉପକୂଳବର୍ତ୍ତୀ ହୋଇଥିବା ବେଳେ ସେମାନଙ୍କୁ ସେଠାରେ ରଖାଯାଇ ପ୍ରାୟ ଦୁଇ ମାସ ଧରି ମାଛ ପ୍ରକ୍ରିୟାକରଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହି ଯୁବକମାନଙ୍କୁ ସେଠାରେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦଶନ କରିବା ସହ ପେଟପୁରା ଖାଦ୍ୟ ଏବଂ ପାଣି ନଦେବା, ମଜୁରୀ ନ ଦେବା, ନିରନ୍ତର ନଜର ବନ୍ଦୀ କରି ରଖିବା, ବିଭିନ୍ନ ଧମକ ସମ୍ପୃକ୍ତ ଠିକାଦାର ଦେଉଥିବା, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ଯ ଛଡ଼ାଇ ନେଇ ଯାଇଥିବା ଆଦି ଅଭିଯୋଗ ହେବା ପରେ ଏସଡିପିଓ ଶ୍ରୀ ସାହୁ ତୁରନ୍ତ ଆନ୍ଧ୍ର ପ୍ରଦେଶ ପୋଲିସ ସହିତ ଯୋଗାଯୋଗ କରିଥିଲେ ଏବଂ ସ୍ଥାନୀୟ ପୋଲିସ ସହାୟତା ଲୋଡିଥିଲେ. ତୁରନ୍ତ ପ୍ରତିକ୍ରିୟା ଦେଇ, ବାପତଲା ପୋଲିସ ଏକ ଦଳ ନିୟୋଜିତ କଲା ଏବଂ ଗଜପତି ପୋଲିସ ସହିତ ସମନ୍ବିତ ପ୍ରୟାସ ମାଧ୍ୟମରେ ସମସ୍ତ ପାଞ୍ଚ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ସୁରକ୍ଷିତ ଭାବେ ଘର ବାହୁଡା କରାଯାଇଥିଲା I ସୁରକ୍ଷିତ ଭାବରେ ଫେରିବା ପରେ, ଯୁବକମାନେ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଏସଡିପିଓ ଶ୍ରୀ ସାହୁଙ୍କୁ ଭେଟି ତୁରନ୍ତ ହସ୍ତକ୍ଷେପ ଏବଂ ସହାୟତା ଯୋଗାଇ ଥିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଛନ୍ତି I
ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି ବୈଠକ
ପାରଳାଖେମୁଣ୍ଡି,22/8(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଶା ବିଧାନସଭାର ଗୃହ କମିଟି ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଆଜି ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିକାଶ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତ୍ତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା କରିଛନ୍ତି। ଗସ୍ତରେ କମିଟିର ସଦସ୍ୟ ତଥା ମୋହନା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ, ରଘୁନାଥପାଲ୍ଲୀ ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିଦ୍ର ହୋନନାଗା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
କମିଟି ପ୍ରଥମେ ମୋହନା ବ୍ଲକ୍ ଅନ୍ତର୍ଗତ ମାଙ୍କଡ଼ଡିଆ ଜଳପ୍ରପାତ,ଜୀରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର, ଖସଡ଼ା ଜଳପ୍ରପାତ ଏବଂ ପବିତ୍ର ମହେନ୍ଦ୍ରଗିରି ପାହାଡ଼ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ଏଥିସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
ପରେ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଗୃହ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ବିଚାରାଧୀନ ଆବେଦନ ଏବଂ ବିଧାନସଭାରେ ଉଠାଯାଇଥିବା ବିଭିନ୍ନ ସବମିଶନର କାର୍ଯ୍ୟାନ୍ୱୟନ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆଲୋଚନାରେ ପାରଳାଖେମୁଣ୍ଡି ସହରରେ ବାଇପାସ୍ ରାସ୍ତା ନିର୍ମାଣ, ଜିଲ୍ଲାର ସବର, କନ୍ଧ, ଶୁଦ୍ଧ ସବର ଆଦି ଜନଜାତିର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ, ମୋହନା ତହସିଲର ଯୋଗ୍ୟ ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।
ସେହିପରି ଗୁମ୍ମା ବ୍ଲକ୍ର ଆଦିବାସୀ ଅଞ୍ଚଳକୁ ରାସ୍ତା ସଂଯୋଗ, ପାନୀୟ ଜଳ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଣ, ପବିତ୍ର ମହେନ୍ଦ୍ରଗିରି ପାହାଡ଼ର ପର୍ଯ୍ୟଟନ ବିକାଶ ଏବଂ ଗଜପତି ଜିଲ୍ଲାରୁ ଭୁବନେଶ୍ୱର ଓ ପୁରୀକୁ ତୀର୍ଥଯାତ୍ରୀଙ୍କ ଯାତାୟାତ ପାଇଁ ଉନ୍ନତ ସଡ଼କ ସଂଯୋଗ ଭଳି ବିଷୟ ମଧ୍ୟ ଆଲୋଚନା କରାଯାଇଥିଲା।
ଏହାସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ନେଇ କମିଟି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ଆଲୋଚିତ ବିଷୟଗୁଡ଼ିକର ତୁରନ୍ତ ସମାଧାନ ଓ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୃହ କମିଟି ଗୁରୁତ୍ୱାରୋପ କରିଥିଲେ।











