Spread the love

ପ୍ରଶାସନକୁ ଗୁହାରି ବିଫଳ, ଡଙ୍ଗାରେ ଶବ ବୋହି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର
ଆଳି, ଦର୍ଶନ ସମୀକ୍ଷା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସଂସିଧା ଗ୍ରାମର ରମେଶ ଚନ୍ଦ୍ର ମଲ୍ଲିକ (୬୩)ଙ୍କ ଆଜି ନିଜ ବାସଭବନରେ ମୃତ୍ୟୁ ଘଟିଛି। ସେ ଛାତି ଯନ୍ତ୍ରଣା ଅନୁଭବ କରୁଥିଲେ। ମାତ୍ର ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଘରୁ ବାହାରି ଡାକ୍ତରଖାନା ଯିବା ସମ୍ଭବ ହୋଇପାରିନଥିଲା। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ପରେ ମଧ୍ୟ ପରିବାରକୁ ମିଳିନଥିଲା ସହଜ ଅନ୍ତିମ ବିଦାୟର ସୁଯୋଗ। ବନ୍ୟାଜଳରେ ଘର ଚାରିପାଖ ପ୍ରାୟ ୫ରୁ ୬ ଫୁଟ ପାଣି ଜମି ରହିଥିବାରୁ ଶବ ସଂସ୍କାର ପାଇଁ ନେବା ସମ୍ଭବ ହୋଇନଥିଲା। ଏଭଳି ଦୁର୍ଦ୍ଦଶା ମଧ୍ୟରେ ମୃତକଙ୍କ ପୁଅ ରାଜେଶ କୁମାର ମଲ୍ଲିକ ସହାୟତା ପାଇଁ ଆଳି ତହସିଲଦାର, ବିଡିଓ, ଦମକଳ ବାହିନୀ ଏବଂ ୧୧୨କୁ ଯୋଗାଯୋଗ କରିଥିଲେ।ପରିବାର ପକ୍ଷରୁ ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ଆବଶ୍ୟକ ସମୟରେ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଶେଷରେ କୌଣସି ଉପାୟ ନପାଇ ରାଜେଶ ନିଜେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଡଙ୍ଗା ଯୋଗେ ଶବକୁ ନେଇଥିଲେ। ପାଞ୍ଚଣପଡ଼ା ଘାଟରେ ଶବକୁ ପାର କରାଇବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।ଏହି ଘଟଣା ବନ୍ୟାପ୍ରଭାବିତ ଅଞ୍ଚଳରେ ପ୍ରଶାସନିକ ପ୍ରସ୍ତୁତି ଓ ଜରୁରୀକାଳୀନ ସେବାର ବାସ୍ତବ ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛି। ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ସମୟରେ ଚିକିତ୍ସା ମିଳିନପାରିବା ଏବଂ ମୃତ୍ୟୁ ପରେ ମଧ୍ୟ ଶବ ସଂସ୍କାର ପାଇଁ ପରିବାରକୁ ନିଜେ ଡଙ୍ଗାର ଆଶ୍ରୟ ନେବାକୁ ପଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ବନ୍ୟା ସମୟରେ ଏଭଳି ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।ମୃତ ରମେଶ ଚନ୍ଦ୍ର ମଲ୍ଲିକଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବନ୍ୟାର ଏଭଳି ଭୟାବହ ପରିସ୍ଥିତିରେ ପ୍ରଶାସନିକ ସହାୟତା ପହଞ୍ଚିବାରେ ବିଳମ୍ବ ଓ ବିଫଳତାକୁ ନେଇ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।