ମୃତ୍ୟୁଦଣ୍ଡ ପାଇଁ ଫାଶୀ ବଦଳରେ ସ୍ୱଳ୍ପ ଯନ୍ତ୍ରଣାଦାୟକ ଇଞ୍ଜେକସନ? କ’ଣ କହିଲେ ସୁପ୍ରିମକୋର୍ଟ
ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଫାଶୀ ବଦଳରେ କମ୍ ଯନ୍ତ୍ରଣାଦାୟକ ଓ ଦୋଷୀଙ୍କ ମର୍ଯ୍ୟାଦା ରକ୍ଷା କରୁଥିବା ଅନ୍ୟ କୌଣସି ପଦ୍ଧତିରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଏପରି କହିଛନ୍ତି।
ମୃତ୍ୟୁଦଣ୍ଡ ମିଳିଲେ ଜଣେ ଦୋଷୀଙ୍କୁ ଭାରତରେ ଫାଶୀ ଖୁଣ୍ଟରେ ଝୁଲାଯାଏ। କିନ୍ତୁ ଏହି ଫାଶୀ ଦଣ୍ତ ବ୍ୟବସ୍ଥା ବଦଳରେ ଘାତକ ଇଞ୍ଜେକସନ ଭଳି ସ୍ୱଳ୍ପ କଷ୍ଟଦାୟକ ପ୍ରକ୍ରିୟା ଆପଣାଇବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।
ଫାଶୀ ମାଧ୍ୟମରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ସମ୍ବିଧାନ ଅନୁସାରେ ବୈଧ ବୋଲି ଦର୍ଶାଇଛନ୍ତି। ଏଥିସହ ଏବେ ବି ଦେଶରେ ମୃତ୍ୟୁଦଣ୍ଡର କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବ୍ୟବସ୍ଥା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି।
ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଫାଶୀ ବଦଳରେ କମ୍ ଯନ୍ତ୍ରଣାଦାୟକ ଓ ଦୋଷୀଙ୍କ ମର୍ଯ୍ୟାଦା ରକ୍ଷା କରୁଥିବା ଅନ୍ୟ କୌଣସି ପଦ୍ଧତିରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଏପରି କହିଛନ୍ତି।
ଶୁଣାଣି ବେଳେ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ୩ଟି ରାୟକୁ ଉଚ୍ଚ ଖଣ୍ଡପୀଠ ନିକଟକୁ ପଠାଇବାକୁ ମଧ୍ୟ ଆବେଦନରେ ଦାବି କରାଯାଇଥିଲା। କିନ୍ତୁ ଏଥିପାଇଁ ପର୍ଯ୍ୟାପ୍ତ ଆଧାର ନଥିବା କହି ଦୁଇ ଜଣିଆ ଖଣ୍ଡପୀଠ ଉକ୍ତ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି।
ଆଇନଜୀବୀ ଋଷି ମଲହୋତ୍ରା ଦାଖଲ କରିଥିବା ଜନସ୍ୱାର୍ଥ ମାମଲାରେ ଫାଶୀ ବଦଳରେ ମାରାତ୍ମକ ଇଞ୍ଜେକ୍ସନ, ଗୁଳି କରିବା, ବିଦ୍ୟୁତ୍ ଝଟକା କିମ୍ବା ଗ୍ୟାସ୍ ଚାମ୍ବର ଭଳି ବିକଳ୍ପ ପଦ୍ଧତି ଆପଣାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କାରଣ ଏହି ପଦ୍ଧତି ଦ୍ୱାରା ଦୋଷୀର ମୃତ୍ୟୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇଯିବ।
ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଆପଣା ଯାଉଥିବା ଫାଶୀ ପ୍ରକ୍ରିୟାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଅମାନବୀୟ ଓ ନିଷ୍ଠୁର ବୋଲି ଆବେଦନରେ କୁହାଯାଇଥିଲା। ସିଆରପିସିର ଧାରା ୩୫୪(୫) ଅନୁଯାୟୀ ଦିଆଯାଉଥିବା ଫାଶୀ ଜନିତ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଏଥିରେ ଅନୁରୋଧ କରିଥିଲେ ଆବେଦନକାରୀ। ଏଥିସହ ସମ୍ବିଧାନର ଧାରା ୨୧ ଅନୁଯାୟୀ ସମ୍ମାନଜନକ ମୃତ୍ୟୁର ଅଧିକାରକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେବାକୁ କୁହାଯାଇଥିଲା।
ଆବେଦନକାରୀ ଆହୁରି କହିଥିଲେ ଯେ ଫାଶୀ ଖୁଣ୍ଟରେ ଝୁଲୁଥିବା ଦୋଷୀର ମୃତ୍ୟୁକୁ ନିଶ୍ଚିତ କରିବାକୁ ପ୍ରାୟ ୪୦ ମିନିଟ୍ ଲାଗିପାରେ। କିନ୍ତୁ ଗୁଳି କରିବା କିମ୍ବା ମାରାତ୍ମକ ଇଞ୍ଜେକ୍ସନ ଦେବା ଭଳି ପଦ୍ଧତିରେ ପ୍ରାୟ ୫ ମିନିଟ୍ ମଧ୍ୟରେ ମୃତ୍ୟୁଦଣ୍ଡର କାର୍ଯ୍ୟକାରୀ ପ୍ରକ୍ରିୟା ଶେଷ ହୋଇପାରେ।
ଏହା ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆଜିର ରାୟ ଚୂଡ଼ାନ୍ତ ନୁହେଁ। ଭବିଷ୍ୟତରେ ଯଦି ବିକଳ୍ପ ମୃତ୍ୟୁଦଣ୍ଡ ପଦ୍ଧତି ସମ୍ପର୍କରେ ଦୃଢ଼ ବୈଜ୍ଞାନିକ, ଚିକିତ୍ସା ବା ଅନ୍ୟ ପ୍ରମାଣ ମିଳେ, ତେବେ ଏହି ପ୍ରସଙ୍ଗକୁ ପୁଣି ବିଚାର କରାଯାଇପାରିବ।
କେନ୍ଦ୍ର ସରକାର ଚାହିଁଲେ ବିଶେଷଜ୍ଞମାନଙ୍କ ଏକ କମିଟି ଗଠନ କରି ମୃତ୍ୟୁଦଣ୍ଡର କାର୍ଯ୍ୟକାରୀ କରିବାର ବିକଳ୍ପ ପଦ୍ଧତିଗୁଡ଼ିକ ଉପରେ ବିସ୍ତୃତ ସମୀକ୍ଷା କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।











