ବୌଦ୍ଧ : ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ବିଦ୍ୟୁତ ଆଲୋକରେ ଆଲୋକିତ ହେଲା ଭରୁଆ ଗାଁର ୨୩ ଗରିବ ପରିବାରଙ୍କ ଘର …
ଜିଲ୍ଲା ରେ ଲୋ ଭୋଲ୍ଟେଜ ସମସ୍ୟା ଦୂର ହେବ l ଗୁନ୍ଦୁଲିଆ ରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ପାୱାର ଟ୍ରାନ୍ସଫର୍ମର l
ବୌଦ୍ଧ: କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରେ ସ୍ୱାଧୀନତାର ଆଠ ଦଶନ୍ଧି ପରେ ବୌଦ୍ଧ ଜିଲ୍ଲାର ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭରୁଆ ଗାଁର ୨୩ଟି ଗରିବ ପରିବାରଙ୍କ ଘରେ ପହଞ୍ଚିଛି ବିଦ୍ୟୁତ ଆଲୋକ l ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ‘ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା’ ଅଧୀନରେ ଏହି ପରିବାରଗୁଡ଼ିକୁ ମାଗଣାରେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି l ଆଜି ଜିଲ୍ଲାପାଳ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତର ଭରୁଆ ଗାଁ ଗସ୍ତ କରି ହିତାଧିକାରୀଙ୍କ ଘରକୁ ଘର ଯାଇ ବିଦ୍ୟୁତ ସଂଯୋଗ ବାସ୍ତବରେ ପହଞ୍ଚିଛି କି ନାହିଁ ଏବଂ ଏହା ଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ, ତାହା ନିଜେ ଯାଞ୍ଚ କରିଥିଲେ l ଦୀର୍ଘଦିନ ପରେ ଘରେ ବିଦ୍ୟୁତ ଆଲୋକ ପାଇଥିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ l
ଗୁନ୍ଦୁଲିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍ଟେଜ୍ ସମସ୍ୟା ରହିଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ l ଏହାର ସ୍ଥାୟୀ ସମାଧାନ ପାଇଁ ନିର୍ମାଣାଧୀନ ୩୩/୧୧ କେଭି ପାୱାର ଟ୍ରାନ୍ସଫର୍ମର/ଗ୍ରିଡ୍ କାର୍ଯ୍ୟକୁ ଅତିଶୀଘ୍ର ସମାପ୍ତ କରି କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପ୍ରାଇମେରୀ ସବ୍ଷ୍ଟେସନ୍, ପାୱାର ଟ୍ରାନ୍ସଫର୍ମର ଓ ଚାରିଟି ଫିଡର୍କୁ ଶୀଘ୍ର କାର୍ଯ୍ୟକ୍ଷମ କରି ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ଏଥିପାଇଁ ବିଭାଗୀୟ ଯନ୍ତ୍ରୀ ଏବଂ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ନରେନ୍ଦ୍ର ଆଚାର୍ଯ୍ୟଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା l ଭରୁଆ ଗାଁକୁ ଯାତାୟାତ କରୁଥିବା ରାସ୍ତା ବର୍ଷାଦିନେ କାଦୁଅ ଓ କର୍ଦ୍ଦମାକ୍ତ ହୋଇଯାଉଥିବାରୁ ଗ୍ରାମବାସୀ ରାସ୍ତା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ l ଏହା ସହିତ ଭରୁଆ ଗାଁର ଲିଫ୍ଟ ଇରିଗେସନ୍ ପଏଣ୍ଟ ଦୀର୍ଘଦିନ ଧରି ବିଦ୍ୟୁତ ଅଭାବରୁ ଅଚଳ ରହିଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ l ଏସବୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ l ଏହି ଅବସରରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l ସେମାନେ ନିୟମିତ ଭାବେ ଭତ୍ତା ଓ ଖାଉଟି ସାମଗ୍ରୀ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ତଥ୍ୟ ନେଇଥିଲେ l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗ୍ରାମବାସୀଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ, ସମସ୍ୟା ଶୁଣିବା ଓ ସ୍ଥାନିୟ ଭାବେ ତାହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଜିଲ୍ଲା ପ୍ରଶାସନର ‘ଲୋକଙ୍କ ନିକଟରେ ପ୍ରଶାସନ’ ଭାବନାକୁ ଆହୁରି ସୁଦୃଢ଼ କରିଛି l











