- ଦୁର୍ଘଟଣା ବେଳେ ଜୀବନ ବଞ୍ଚାଇବ QR’ କୋଡ୍: ଗୋଟିଏ ସ୍କାନରେ ମିଳିବ ଡାକ୍ତରୀ ତଥ୍ୟ ଓ ପରିବାରର ଠିକଣା!
- ବଡ଼ବିଲର ୮ଜଣ ଯୁବ ଉଦ୍ୟୋଗୀ ଆରମ୍ଭକଲେ ଜରୁରୀକାଳୀନ ପରିଚୟ ବ୍ୟବସ୍ଥା ।
ତା -17/08/2026 - ଦର୍ଶନ ସମୀକ୍ଷା ବଡ଼ବିଲ
ଏଣିକି ଦୁର୍ଘଟଣା କିମ୍ବା ଅଚେତ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବା ପାଇଁ ହଇରାଣ ହେବାକୁ ପଡ଼ିବନି। କେବଳ ମୋବାଇଲରୁ ଗୋଟିଏ QR କୋଡ୍ ସ୍କାନ୍ କଲେ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ। । ଏଭଳି କିଛି କରି ଦେଖାଇଛନ୍ତି ବଡ଼ବିଲ ଅଞ୍ଚଳର କିଛି ଯୁବ ଉଦ୍ୟୋଗୀ।
ସଡ଼କ ଦୁର୍ଘଟଣା କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ କିଛି ମିନିଟ୍ ବା ଗୋଲ୍ଡେନ୍ ଆୱାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠିକ୍ ସମୟରେ ରୋଗୀର ପରିଚୟ ନମିଳିବା କିମ୍ବା ଡାକ୍ତରୀ ହିଷ୍ଟ୍ରି ଜଣାନପଡ଼ିବା ଯୋଗୁଁ ଅନେକ ସମୟରେ ଅମୂଲ୍ୟ ଜୀବନ ଚାଲିଯାଏ। ଏହି ସମସ୍ୟାର ସମାଧାନ ପାଇଁ ବଡ଼ବିଲ ଅଞ୍ଚଳର ୮ଜଣ ଯୁବ ଉଦ୍ୟୋଗୀ ଏରୋଲାଇଫ୍ କମ୍ପାନୀ ନାଁ ରେ ସଂସ୍ଥା ଗଢ଼ି ଆରମ୍ଭ କରିଛନ୍ତି KAIR QR ।
ଏହା ଏକ ଜରୁରୀକାଳୀନ ପରିଚୟ ବ୍ୟବସ୍ଥା (Emergency Identification System)। ଯାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଜୀବନରକ୍ଷକ ସାଜିବ। ଏହି QR କୋଡ୍କୁ ଲୋକମାନେ ନିଜ ହେଲମେଟ୍, ଗାଡ଼ି, ପରିଚୟ ପତ୍ର କିମ୍ବା ରିଷ୍ଟ ବ୍ୟାଣ୍ଡରେ ଲଗାଇ ପାରିବେ।
ଜରୁରୀ ପରିସ୍ଥିତିରେ ଯେ କେହି ଏହାକୁ ସ୍କାନ୍ କରିବା ମାତ୍ରେ ରୋଗୀର ନାମ, ବ୍ଲଡ ଗ୍ରୁପ୍, ପୂର୍ବରୋଗ ବିବରଣୀ ଏବଂ ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର ସାମ୍ନାକୁ ଚାଲିଆସିବ। ଏହା ସହିତ ସ୍କାନ୍ ହେବା କ୍ଷଣି ପରିବାର ଲୋକଙ୍କ ନିକଟକୁ ତୁରନ୍ତ ଘଟଣାସ୍ଥଳର ଲାଇଭ୍ ଲୋକେସନ୍ ସହ ଏକ ଆଲର୍ଟ ମେସେଜ୍ ମଧ୍ୟ ପହଞ୍ଚିଯିବ।
ଜରୁରୀକାଳୀନ ପରିସ୍ଥିତିରେ ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କୌଣସି ଅଜ୍ଞାତ ରୋଗୀ ଆସନ୍ତି, ତାଙ୍କର ବ୍ଲଡ୍ ଗ୍ରୁପ୍ କିମ୍ବା ପୂର୍ବରୁ କୌଣସି ଗୁରୁତର ରୋଗ/ଆଲର୍ଜି ଅଛି କି ନାହିଁ ତାହା ଜାଣିବାରେ ସମୟ ନଷ୍ଟ ହୁଏ। KAIR QR କୋଡ୍ ସାହାଯ୍ୟରେ ତୁରନ୍ତ ତାଙ୍କର ମେଡିକାଲ୍ ତଥ୍ୟ ମିଳିପାରିବ ଏବଂ ତାଙ୍କ ପରିବାର ସହ ସିଧାସଳଖ ଯୋଗାଯୋଗ ହୋଇପାରିବ। ଏହା ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ।
ଏହି ସେବା ଅନ୍ ଲାଇନ୍ ରେ ଉପଲବ୍ଧ ଅଛି ଓ ଏଥିପାଇଁ ମାତ୍ର ଅଳ୍ପ କିଛି ଦେୟ ଦେବାକୁ ପଡ଼ିବ।
ବ୍ୟକ୍ତି ଗତ ଡାଟା ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ରଖାଯିବ ସହିତ ଡିଜିଟାଲ୍ ଯୁଗରେ ଏଭଳି ସ୍ମାର୍ଟ ଟେକ୍ନୋଲୋଜି ନିଶ୍ଚିତ ଭାବେ ସଡ଼କ ସୁରକ୍ଷା ଓ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ ବୋଲି ଏହାର ଡେଭଲପରମାନେ କହିଛନ୍ତି ।











