Spread the love

ଦନ୍ତା ହାତୀ ଆକ୍ରମଣରେ ୫ ବର୍ଷର ଶିଶୁ କନ୍ୟା ମୃତ । ଘର ଭାଙ୍ଗି ଶିଶୁକୁ ଟେକି ନେଇ କଚାଡ଼ି ମାରିଦେଲା ଗୋଠଛଡ଼ା ଦନ୍ତା ।
ତା -15/08/2026
ଦର୍ଶନ ସମୀକ୍ଷା, ବଡବିଲ
କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଞ୍ଚଳରେ ଅଭାବନୀୟ ଘଟଣା। ଗମଲେଇ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଚାଲିଯାଇଛି ଜଣେ ୫ ବର୍ଷର ନିଷ୍ପାପ ଶିଶୁ କନ୍ୟାର ଜୀବନ। ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ଗାଁ ଭିତରକୁ ପଶି ଆସି ଏଭଳି କାଣ୍ଡ ଭିଆଇଛି।

ସୂଚନା ଅନୁଯାୟୀ, ଘଟଣାର ପୂର୍ବ ଦିନ ଏକ ଗୋଠଛଡ଼ା ଦନ୍ତା ହାତୀ ଗମଲେଇ ଉପର ସାହି ଭିତରକୁ ପଶି ଆସି ମନ ମୁଣ୍ଡାଙ୍କ ଘର ଭାଙ୍ଗିଥିଲା । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପୁନର୍ବାର ଏହି ଦନ୍ତା ସେଠାକୁ ଆସି ମନ ମୁଣ୍ଡାଙ୍କ ଘରକୁ ପୁଣି ଭାଙ୍ଗିବା ସହିତ ତାଙ୍କର ୫ ବର୍ଷର ଝିଅ କାଜଲ୍ ମୁଣ୍ଡାକୁ ଶୁଣ୍ଢରେ ଟେକି ନେଇ ତଳେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପରେ ବନ କର୍ମଚାରୀମାନେ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ବଲାଣୀ ପୋଲିସ ଘଟଣାରତଦନ୍ତ ଆରମ୍ଭ କରିଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଭୟର ବାତାବରଣ ସୃଷ୍ଟି ହୋଇଛି।