OSDMA ଦ୍ଵାରା ନିର୍ମିତ ନୂତନ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଛାତ୍ରାବାସ ‘ସୁରକ୍ଷା’ର ଉଦଘାଟନ କଲେ ମାନ୍ୟବର ରାଜସ୍ୱ ମନ୍ତ୍ରୀ

Spread the love

OSDMA ଦ୍ଵାରା ନିର୍ମିତ ନୂତନ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଛାତ୍ରାବାସ ‘ସୁରକ୍ଷା’ର ଉଦଘାଟନ କଲେ ମାନ୍ୟବର ରାଜସ୍ୱ ମନ୍ତ୍ରୀ

  - ପ୍ରସ୍ତାବିତ ନୂତନ ଛାତ୍ରାବାସ 'ସଜାଗ' ଓ 'ସଂକଳ୍ପ'ର ଭିତ୍ତିପ୍ରସ୍ତର ସ୍ଥାପିତ 

 - ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ରାଜ୍ୟସରକାରଙ୍କ ଆଉ ଏକ ସଫଳ ପଦକ୍ଷେପ

 - ବିପର୍ଯ୍ୟୟ ପରିଚାଳନାରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ ଏବଂ ସଚେତନ କରିବାରେ ସାମ୍ବାଦିକମାନଙ୍କ ଭୂମିକାକୁ ପ୍ରଶଂସା କଲେ ରାଜସ୍ୱ ମନ୍ତ୍ରୀ 

ଭୁବନେଶ୍ୱର,ଅଗଷ୍ଟ ୧୩ : ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

              ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ଙ୍କ ଦ୍ଵାରା ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ(ROTI),ଗୋଠପାଟଣା ପରିସରରେ ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନ(SIDR) ଅଧୀନରେ ନୂତନ ବିପର୍ଯ୍ୟୟ ପରିଚାଳନା ତାଲିମ ଛାତ୍ରାବାସ 'ସୁରକ୍ଷା'ର ଶୁଭ ଉଦଘାଟନ ଏବଂ ଦୁଇଗୋଟି ତାଲିମ ଛାତ୍ରାବାସ 'ସଜାଗ' ଓ 'ସଂକଳ୍ପ'ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରାବାସ ଉଦଘାଟନ ତଥା ପ୍ରସ୍ତାବିତ ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚାରାରୋପଣ କରିଥିଲେ l ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନର ଆବାସିକ ଏବଂ ତାଲିମ ଭିତ୍ତିଭୂମି ବିକାଶ ଦିଗରେ ଏହି ନୂତନ ଛାତ୍ରାବାସ ପ୍ରମୁଖ ଉପଲବ୍ଧି ଭାବେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ l


               ସୂଚନାଯୋଗ୍ୟ ଯେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ୧୯୯୯ ମସିହାର ପ୍ରଳୟଙ୍କାରୀ ମହାବାତ୍ୟାପରଠୁଁ ଅଦ୍ୟାବଧି ବିପର୍ଯ୍ୟୟ ମୁକାବିଲା ନିମନ୍ତେ ନିରବଚ୍ଛିନ୍ନ ଭାବରେ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛି l ଉନ୍ନତ ତାଲିମ୍, ଦକ୍ଷତା ବୃଦ୍ଧି, ଗବେଷଣା ଏବଂ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନ (SIDR)କୁ ଏକ ଉତ୍ସର୍ଗୀକୃତ ସୁଦକ୍ଷ କେନ୍ଦ୍ର ଭାବେ ବିକାଶ କରାଯାଉଛି l

                ନୂତନ ଭାବରେ ଗଢାଯାଇଥିବା ଛାତ୍ରାବାସ  'ସୁରକ୍ଷା'ରେ ମୋଟ ୧୦୭ଟି ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ରହିଥିବା ବେଳେ ସେଥିମଧ୍ୟରୁ ୨୭ଟି ଶୀତତାପ ନିୟନ୍ତ୍ରିତ କୋଠରୀ ଏବଂ  ଅତିଥି ମାନଙ୍କର ରହିବା ନିମନ୍ତେ ୭ଟି ସ୍ଵତନ୍ତ୍ର ବ୍ୟବସ୍ଥା ଥିବା କୋଠରୀ ରହିଛି l ଏଥି ସହିତ ଭୋଜନାଳୟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ଯ ରହିଛି l ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ  ପ୍ରତିଷ୍ଠାନର ଏହି ତାଲିମ ଛାତ୍ରାବାସ 'ସୁରକ୍ଷା' ବରିଷ୍ଠ ସରକାରୀ ଅଧିକାରୀ, ଅଧ୍ୟାପକ, ବିଶେଷଜ୍ଞ ଏବଂ ପ୍ରତିଷ୍ଠାନରେ ଆୟୋଜିତ ଜାତୀୟ ଏବଂ ଅନ୍ତର୍ଜାତୀୟ ତାଲିମ୍ କାର୍ଯ୍ୟକ୍ରମ, କର୍ମଶାଳା, ସମ୍ମିଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପ୍ରତିନିଧିମାନଙ୍କ ପାଇଁ ଗୁଣାତ୍ମକ ଆବାସିକ ବାସସ୍ଥାନ ପ୍ରଦାନ କରିବ। ଏହି ସୁବିଧା ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନର ସ୍ୱତନ୍ତ୍ର ଏବଂ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାର କ୍ଷମତାକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। 

                ସେହିପରି ନୂତନ ଭାବରେ ନିର୍ମିତ ଏହି ଛାତ୍ରାବାସ  'ସୁରକ୍ଷା' ଓଡ଼ିଶା ବିପର୍ଯ୍ୟୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ବାହିନୀ (ODRAF)ର କର୍ମଚାରୀମାନଙ୍କ ପାଇଁ ଉତ୍ସର୍ଗୀକୃତ ଆବାସିକ ସୁବିଧା ପ୍ରଦାନ କରିବ। ଏହି ସୁବିଧା ODRAF କର୍ମଚାରୀଙ୍କ ତାଲିମ, ଦକ୍ଷତା  ନିର୍ମାଣ ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଗମ କରିବା ସହ ବିପର୍ଯ୍ୟୟ ପ୍ରତିରୋଧ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ l ଏଥିସହିତ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଦୁଇଟି ପ୍ରସ୍ତାବିତ ଛାତ୍ରାବାସ 'ସଜାଗ' ଏବଂ 'ସଂକଳ୍ପ'ରେ ମଧ୍ଯ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ବ୍ୟାୟାମଶାଳା, ଭୋଜନାଳୟ, ପାଠାଗାର ଆଦିର ବ୍ୟବସ୍ଥା ରହିବ l

              ଏହି ଉଦଘାଟନ ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିପର୍ଯ୍ୟୟ ପରିଚାଳନାରେ ସାମ୍ବାଦିକମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ଯ କରିଥିଲେ l ଆଗାମୀ ଦିନରେ ସାମ୍ବାଦିକମାନଙ୍କ ସହ ସମନ୍ଵିତ ହୋଇ ରାଜ୍ୟର ବିପର୍ଯ୍ୟୟ ପ୍ରତିରୋଧ କ୍ଷମତାକୁ ଆହୁରି ସୁଦୃଢ଼ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, OSDMA ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର, ଅତିରିକ୍ତ SRC ଶ୍ରୀ ପଦ୍ମନାଭ ବେହେରା ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

ଅଂଶୁମାନ ସାହୁ
ଲୋକସମ୍ପର୍କ ଅଧିକାରୀ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ