ସ୍ଵାଭିମାନ ଅଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ: ନିଶାମୁକ୍ତ ସମାଜ ଓ ବିକଳ୍ପ ଜୀବିକା ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନାକାମାମୁଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରୁ ନିଶାର କୁପ୍ରଭାବ ଓ ବେଆଇନ ଚାଷର ଅନ୍ଧକାରକୁ ସଂପୂର୍ଣ୍ଣ ରୂପେ ଦୂର କରି ଯୁବପିଢ଼ିଙ୍କୁ ଏକ ସୁସ୍ଥ ତଥା ପ୍ରଗତିଶୀଳ ସମାଜ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଗୁରୁତ୍ଵପୂର୍ଣ୍ଣ ସଚେତନତା ସଭାରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଏସ.ଡି.ପି.ଓ. ପ୍ରଦୋଷ ପ୍ରଧାନ ଏବଂ କୋରକୁଣ୍ଡା ବି.ଡି.ଓ. ଅମୂଲ୍ୟ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଅଞ୍ଚଳର ଅର୍ଥନୈତିକ ସୁଧାର ଏବଂ ସାମାଜିକ ସୁରକ୍ଷା ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।
ସ୍ଵାଭିମାନ ଅଞ୍ଚଳ ପାଇଁ ଏହି କାର୍ଯ୍ୟକ୍ରମର ମହତ୍ଵ ଉପରେ ଆଲୋକପାତ କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଅତୀତରେ ଭୌଗୋଳିକ ସ୍ଥିତିର ସୁଯୋଗ ନେଇ କିଛି ସ୍ଥାନରେ ଚାଷଜମିର ଅପବ୍ୟବହାର କରାଯାଇ ବେଆଇନ ଓ ଅପରାଧିକ କୃଷି କାର୍ଯ୍ୟକଳାପ କରାଯାଉଥିଲା, ଯାହା ସ୍ଥାନୀୟ ଅର୍ଥନୀତି ଓ ଯୁବପିଢ଼ିର ଭବିଷ୍ୟତକୁ ବିପଥଗାମୀ କରୁଥିଲା। ଏହି ସଚେତନତା ସଭା ମାଧ୍ୟମରେ ସ୍ଥାନୀୟ ଚାଷୀମାନଙ୍କୁ ସେହି ଅନ୍ଧକାର ପଥରୁ ମୁକ୍ତ କରି ଉଦ୍ୟାନ କୃଷି, ପନିପରିବା ଚାଷ ଭଳି ସରକାରୀ ପ୍ରୋତ୍ସାହନପ୍ରାପ୍ତ ଉନ୍ନତ ଓ ଆଇନଗତ ବିକଳ୍ପ ଜୀବିକା ଆପଣାଇବାକୁ ପ୍ରେରିତ କରାଯାଇଛି।ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଛନ୍ତି, ସ୍ଵାଭିମାନ ଅଞ୍ଚଳର ପ୍ରକୃତ ବିକାଶ ପାଇଁ ଏକ ନିଶାମୁକ୍ତ ଏବଂ ଅପରାଧମୁକ୍ତ ସମାଜ ଗଠନ ହେବା ଏକାନ୍ତ ଆବଶ୍ୟକ। ଜମିର ବ୍ୟବହାର ବେଆଇନ କାର୍ଯ୍ୟରେ ନୁହେଁ, ବରଂ ସୁସ୍ଥ ଏବଂ ଉନ୍ନତ ପ୍ରଗତି ପାଇଁ ହେବା ଉଚିତ। ଆମ ପ୍ରଶାସନ ଆପଣଙ୍କୁ ସବୁ ପ୍ରକାର ବୈଧ ଜୀବିକା ଓ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଅଞ୍ଚଳର ଯୁବପିଢ଼ି ନିଶା ଓ ବେଆଇନ ପ୍ରଲୋଭନଠାରୁ ଦୂରେଇ ରହି ଶିକ୍ଷା ଓ ଉନ୍ନତି ପଥରେ ଆଗକୁ ବଢ଼ନ୍ତୁ। ଆସନ୍ତୁ ସମସ୍ତେ ମିଶି ସ୍ଵାଭିମାନ ଅଞ୍ଚଳକୁ ଏକ ଆଦର୍ଶ ତଥା ସୁସ୍ଥ ଅଞ୍ଚଳ ଭାବେ ଗଢ଼ିତୋଳିବା।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା, ଚାଷୀ ଓ ଯୁବକ ସାମିଲ ହୋଇ ଆଗାମୀ ଦିନରେ ନିଜ ନିଜ ଅଞ୍ଚଳକୁ ନିଶାମୁକ୍ତ କରିବା ସହ ଏକ ସ୍ଵଚ୍ଛ ଏବଂ ଆଇନସମ୍ମତ ଉନ୍ନତ ସମାଜ ଗଢ଼ିବା ପାଇଁ ସଂକଳ୍ପ ଏବଂ ଶପଥ ପାଠ କରିଥିଲେ।











