Spread the love

ମାଲକାନଗିରି ଜିଲ୍ଲାରେ ଏଚ ଆଇ ଭି/ ଏଡସ ସଚେତନତା ଅଭିଯାନର ଶୁଭାରମ୍ଭ।

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)

ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଘଡେ଼ଇ ନର୍ସିଂ କଲେଜରେ ଏଚ ଆଇ ଭି / ଏଡସ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାଲକାନଗିରି ଜିଲ୍ଲାରୁ ସମ୍ପୁର୍ଣ୍ଣ ରୁପେ ଏଚ ଆଇ ଭି ସଂକ୍ରମଣକୁ ମୂଳପୋଛ କରିବା ଏବଂ ଏଡସରେ ଆକ୍ରାନ୍ତ ରୋଗୀଙ୍କୁ ଦୀର୍ଘ ଜୀବନ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୌଭାଗ୍ୟ ରଞ୍ଜନ ରଣସିଂହ ଯୋଗଦେଇ ,ନର୍ସିଂ ଛାତ୍ର ଛାତ୍ରୀ ମାନଙ୍କୁ ଏଚ ଆଇ ଭି,ଏଡସ ସଂକ୍ରମଣର କାରଣ ଏବଂ ଏହାର ନିରାକରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ମଶାବାହିତ ରୋଗ, କୁଷ୍ଠ ଏବଂ ଟିବି ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ମଧ୍ୟ ବିସ୍ତାରିତ ଆଲୋଚନା କରିଥିଲେ। ନିମନ୍ତ୍ରିତ ଅତିଥି ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ୟୁନିୟନ ଅଫ୍ ଜର୍ଣଲିଷ୍ଟସର ର ସମ୍ପାଦକ ତଥା ଏମ ୟୁ ଜେ ର ସଭାପତି ଦେବପ୍ରସାଦ ଦାଶ ମାଲକାନଗିରି ଜିଲ୍ଲାର ଏଚ ଆଇ ଭି ସଂକ୍ରମିତ ବ୍ୟକ୍ତି ଓ ଏଡସ ରୋଗୀ ମାନଙ୍କ ସଂଖ୍ୟା ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ପ୍ରଦାନ କରାଯାଇଥିବା ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲାରେ ଏଚ ଆଇ ଭି ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି କୁଷ୍ଠ ବିଶେଷଜ୍ଞ ଡଃ ଏନ୍ ଟି ସି ବେହେରା ଏବଂ ସାମ୍ବାଦିକ ତଥା ଶିକ୍ଷାବିତ୍ ଶିବ ପ୍ରସାଦ କୀର୍ତ୍ତନିୟା ନର୍ସିଂ ଛାତ୍ର ଛାତ୍ରୀ ମାନେ କିପରି ଭାବରେ ସଚେତନତା ସୃଷ୍ଟି କରିପାରିବେ ଏବଂ ନର୍ସିଂ ଟ୍ରେନିଂ ସରିଗଲା ପରେ, ଭବିଷ୍ୟତରେ ସେମାନେ ରୋଗୀ ମାନଙ୍କୁ କିପରି ଭାବରେ ଉତ୍ତମ ସେବା ପ୍ରଦାନ କରି ପାରିବେ ସେ ବିଷୟରେ ଉପଦେଶ ଦେଇଥିଲେ। ପ୍ରୋଗ୍ରାମ ମ୍ୟାନେଜର ପ୍ରଜ୍ଞା ପାରମିତା ଶଲା ଏଡସ ହେଲ୍ପଲାଇନ ୧୦୯୭ ମାଧ୍ୟମରେ ବିଶେଷଜ୍ଞ ମାନଙ୍କ ଠାରୁ କିପରି ଭାବରେ ସହାୟତା ପାଇ ପାରିବେ ସେ ବିଷୟରେ ବିସ୍ତାରିତ ସୂଚନା ପ୍ରଦାନ କରିଥିଲେ। ଟିବି ବିଭାଗ ଡି ପି ସି ବାବାଜୀ ଖରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇ ସି ଟି ସି ସୁପରଭାଇଜର ସଞ୍ଜୟ ସାଗର,କୋଅର୍ଡିନେଟର ସୁପ୍ରିୟା ବାଇନ ଏବଂ ମଧୁସ୍ମିତା ମାଡ଼କାମି ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ। ଅବଶେଷରେ ଘଡେ଼ଇ ନର୍ସିଂ କଲେଜର ଅଧ୍ୟକ୍ଷା ଋତୁଶ୍ରୀ ଭତ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *