ବିଶ୍ୱ ଆଦିବାସୀ ଦିବସରେ ଅଖିଳ ଭାରତ ଆଦିବାସୀ ମଞ୍ଚର ଶୋଭା ଓ ଶୋଭାଯାତ୍ରା
ପାରଳାଖେମୁଣ୍ଡି, 9/8(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ ଆଦିବାସୀ ମଂଚ (AITF) ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତ ଅନ୍ତର୍ଗତ ଏସ୍. ବୁରଡ଼ା ଗ୍ରାମ ଠାରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଯୋଗଦେଇ ଦେଶରେ ଆଦିବାସୀମାନଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଆଦିବାସୀମାନେ ଆମ ଦେଶର ଆଦିମ ଅଧିବାସୀ ହୋଇଥିଲେ ମଧ୍ୟ ସେମାନଙ୍କ ଉପରେ ଶୋଷଣ ଓ ଦମନ ଅବ୍ୟାହତ ରହିଥିବା କହିଥିଲେ ।

ରାୟଗଡା ଜିଲ୍ଲାର ସିଜିମାଳି ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା ପର୍ଯ୍ୟନ୍ତ ସବୁଠି ମିଥ୍ୟା ମକଦ୍ଦମା ଓ ବନ୍ଧୁକ ମୁନରେ ଆଦିବାସୀଙ୍କୁ ଦବେଇ ଦେବାକୁ ଚେଷ୍ଟା କରାଯାଉଛି । ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ମୁନାଫା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଆଦିବାସୀମାନଙ୍କ ଜମି, ଜଙ୍ଗଲ ଓ ପର୍ବତକୁ ସେମାନଙ୍କ ହାତରେ ଟେକିଦେବାରେ ଲାଗିଛି ବୋଲି କହିଥିଲେ । ରାଜ୍ୟରେ ଆଦିବାସୀଙ୍କ ମଧ୍ୟରେ ଏକ ବଡ ଭାଗ ଭୂମିହୀନ ଥିବା ବେଳେ ସରକାର ନିଜ ଅଧିନରେ ଥିବା ସରକାରୀ ଜମିକୁ ଆଦିବାସୀଙ୍କ ନଦେଇ କର୍ପୋରେଟମାନଙ୍କୁ ଦେବାରେ ଲାଗିଛନ୍ତି । ହଜାର ହଜାର ହେକ୍ଟର ସରକାରୀ ଜମିକୁ ଭୂମିବ୍ୟାଙ୍କରେ ରଖାଯାଉଛି । ଜଙ୍ଗଲ ଅଧିକାର ଆଇନ ତିଆରି ହେବାର ଦୁଇ ଦଶକ ପରେ ବି ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ମିଳୁନି । କର୍ପୋରେଟଙ୍କ ସ୍ଵାର୍ଥରେ ସେମାନଙ୍କ ଜଙ୍ଗଲ ଅଧିକାରକୁ ଦୁର୍ବଳ କରାଯାଇଛି ବୋଲି କହିଥିଲେ ।
ଓଡ଼ିଶାର ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ହୋଇଥିବା ବେଳେ ସେମାନଙ୍କ ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସରକାରମାନେ ଜାଣିଶୁଣି ଅବହେଳା ପ୍ରଦର୍ଶନ କରି ଆସିଛନ୍ତି ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନର ସରକାର ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଆଦିବାସୀମାନଙ୍କୁ ଧର୍ମ ନାମରେ ବିଭାଜିତ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ସରକାରୀ ମେଡିକାଲ କଲେଜକୁ ବ୍ରିଟିଶ ବିରୋଧୀ ଘୁମୁସର ଆଦିବାସୀ ମେଳିର ନେତା ଚକରା ବିଷୋୟୀଙ୍କ ନାଁରେ ନକରି ଜଣେ ବିବାଦୀୟ ଅଣ ଆଦିବାସୀ ବ୍ୟକ୍ତିଙ୍କ ନାଁରେ କରିବା ନିନ୍ଦନୀୟ ବୋଲି ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମର ଆଦିବାସୀ ନେତା ଜୁନେସ ମେଦି ଅଧ୍ୟକ୍ଷତା କରିଥିବା ବେଳେ ଅଖିଳ ଭାରତ ଆଦିବାସୀ ମଂଚର ଅନ୍ୟତମ ଆବାହକ କେଦାର ଶବର ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା କାଡୁକା ଶବର, ଚୈତନ୍ୟ ଶବର, ମହିଳା ନେତ୍ରୀ ଗଣେଶ୍ରୀ ଶବର, ନୀୟାପଲି ଶବରଙ୍କ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇଥିଲେ ।
ପାରଳାରେ 5.5 ଲକ୍ଷ ଟଙ୍କା, 7 ଭରି ସୁନା ଓ ରୂପା ଅଳଙ୍କାର ଚୋରି ମାମଲାର ପର୍ଦାଫାଶ ପାଇଁ ପୋଲିସର ବ୍ୟାପକ ତନାଘନା ପାରଳାଖେମୁଣ୍ଡି, 9/8(ତାରିଣୀ ପ୍ରସାଦ ପଣ୍ଡା):
ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ସୁଯୋଗ ନେଇ କବାଟ ତାଲା ଭାଙ୍ଗି 5 ଲକ୍ଷ 50 ହଜାର ଟଙ୍କା ସମେତ 7 ଭରି ସୁନା ଓ 12 ଗୋଟି ପାଉଁଜି ଚୋରି ଘଟଣାର ପର୍ଦାଫାଶ ପାଇଁ ପୋଲିସ ତରଫରୁ ବ୍ୟାପକ ଉଦ୍ୟମ ଓ ତନାଘନା ଆରମ୍ଭ ହୋଇଛି. ଘଟଣାରୁ ପ୍ରକାଶ, ଘର ମାଲିକାଣୀ ଏସ୍.ସନ୍ତୋଷିନୀ କିଛି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଏହି ଚୋରି ହୋଇଥିବା ନେଇ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,କେସ୍ ନଂ-୩୨୭/୨୬ ରେ ମାମଲା ରୁଜୁ ହୋଇଛି ବୋଲି ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ପ୍ରକାଶ କରି ଜଣାଇଛନ୍ତିଯେ, ଏହି ଚୋରି ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ ଓ ଯାଞ୍ଚ କରାଯାଇଛି. ସମସ୍ତ ଦିଗକୁ ଅନୁଧ୍ୟାନ କରି ଏହି ଚୋରି ଘଟଣାର ପର୍ଦାଫାଶ ପାଇଁ ବ୍ୟାପକ ଉଦ୍ୟମ ଓ ତନାଘନା ଜାରି ରହିଛି. ଅତି ଶୀଘ୍ର ଏଥିରେ ସମ୍ପୃକ୍ତ ଦୁର୍ବୁତ୍ତମାନଙ୍କୁ ନିଶ୍ଚିତ ଗିରଫ କରାଯିବ.











Leave a Reply