Spread the love

ନଭି ମୁମ୍ବାଇରେ ସହର ଓ ଶିଳ୍ପ ବିକାଶ ନିଗମ (ସିଡ୍‌କୋ) ଆବାସିକ ପ୍ରକଳ୍ପ ପରିଦର୍ଶନ କଲେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଉନ୍ନତ ନିର୍ମାଣ ପ୍ରଯୁକ୍ତି ଓ ପରିବହନ-ଭିତ୍ତିକ ସୁଲଭ ଆବାସ ମଡେଲ୍‌ର ଅନୁଧ୍ୟାନ

ମୁମ୍ବାଇ/ନଭି ମୁମ୍ବାଇ, ଅଗଷ୍ଟ ୮, ୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଓଡ଼ିଶାର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଗତ କାଲି ନଭି ମୁମ୍ବାଇର ଖାରକୋପର ଓ ବାମନଡୋଙ୍ଗରୀସ୍ଥିତ ସିଡ୍‌କୋର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ଅଧୀନରେ ନିର୍ମିତ ସୁଲଭ ଆବାସ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ବୃହତ୍‌ ପରିମାଣରେ ସୁଲଭ ଆବାସ ନିର୍ମାଣ ପାଇଁ ଆଧୁନିକ ନିର୍ମାଣ ପ୍ରଯୁକ୍ତି ଓ ଅଭିନବ ଯୋଜନା ମଡେଲ୍‌ ସମ୍ପର୍କରେ ଅନୁଭୂତି ହାସଲ କରିବା ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ଆର୍ଥିକ ଦୁର୍ବଳ ବର୍ଗ ଓ ନିମ୍ନ ଆୟ ବର୍ଗ ପାଇଁ ସିଡ୍‌କୋ ପକ୍ଷରୁ ନିର୍ମିତ ଆବାସ ପ୍ରକଳ୍ପରେ ଦ୍ରୁତ ନିର୍ମାଣ, ଗୁଣବତ୍ତା ନିଶ୍ଚିତକରଣ, ସମନ୍ୱିତ ଟାଉନ୍‌ସିପ୍‌ ଯୋଜନା, ସ୍ଥାୟୀତ୍ୱ ଓ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା ମନ୍ତ୍ରୀ ଅନୁଧ୍ୟାନ କରିଥିଲେ।

ସିଡ୍‌କୋର ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ଯୋଜନା, ଡିଜାଇନ୍‌, ଅର୍ଥାୟନ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରକଳ୍ପରେ ପ୍ରିକାଷ୍ଟ କଂକ୍ରିଟ୍‌ ପ୍ରଯୁକ୍ତି, କାରଖାନାରେ ପ୍ରସ୍ତୁତ ନିର୍ମାଣ ଉପାଦାନ, ଯାନ୍ତ୍ରିକ ନିର୍ମାଣ ପଦ୍ଧତି ଏବଂ ଆଲୁମିନିୟମ୍‌ ଫର୍ମୱାର୍କ ପ୍ରଣାଳୀର ବ୍ୟାପକ ବ୍ୟବହାର ମନ୍ତ୍ରୀ ଦେଖିଥିଲେ । ଏହି ପ୍ରଯୁକ୍ତିଗୁଡ଼ିକ ନିର୍ମାଣ ସମୟ କମାଇବା ସହ ଗୁଣବତ୍ତା, ସୁରକ୍ଷା ଓ ଢାଞ୍ଚାର ସ୍ଥାୟୀତ୍ୱ ବୃଦ୍ଧି କରିଥାଏ । ଏଥିସହ ନିର୍ମାଣ ସାମଗ୍ରୀର ଅପଚୟ ହ୍ରାସ ଓ ସମ୍ବଳର ସର୍ବୋତ୍ତମ ବ୍ୟବହାର ସମ୍ଭବ ହୋଇଥାଏ ।
ମନ୍ତ୍ରୀ ଡ. ମହାପାତ୍ର ପ୍ରକଳ୍ପଗୁଡ଼ିକରେ ଗ୍ରହଣ କରାଯାଇଥିବା ସ୍ଥାୟୀ ବିକାଶମୂଳକ ବ୍ୟବସ୍ଥାଗୁଡ଼ିକର ମଧ୍ୟ ଅନୁଧ୍ୟାନ କରିଥିଲେ। ଏଥିରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ, ଶକ୍ତି-ଦକ୍ଷ ଆଲୋକୀକରଣ, ସବୁଜ ଓ ଖୋଲା ସ୍ଥାନ ଏବଂ ବୈଜ୍ଞାନିକ ଭାବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅନ୍ତର୍ଭୁକ୍ତ । ସମନ୍ୱିତ ଆବାସିକ ବିକାଶରେ ଆବଶ୍ୟକ ସାମୁଦାୟିକ ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ।
ପରିଦର୍ଶନର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ସିଡ୍‌କୋର ପରିବହନ-ଭିତ୍ତିକ ବିକାଶ ମଡେଲ୍‌ । ମେଟ୍ରୋ କରିଡର, ଉପନଗରୀୟ ରେଳ ଷ୍ଟେସନ୍‌, ବସ୍‌ ସେବା ଓ ପ୍ରମୁଖ ସଡ଼କ ନେଟୱର୍କ ନିକଟରେ ସୁଲଭ ଆବାସର ସମନ୍ୱିତ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏପରି ଯୋଜନା ନିଯୁକ୍ତି ଓ ଅତ୍ୟାବଶ୍ୟକ ସେବାକୁ ସହଜ ପ୍ରବେଶ ସୁନିଶ୍ଚିତ କରିବା ସହ ଯାତ୍ରା ସମୟ ଓ ପରିବହନ ଖର୍ଚ୍ଚ ହ୍ରାସ କରିଥାଏ ଏବଂ ସ୍ଥାୟୀ ସହରୀୟ ଯାତାୟାତକୁ ପ୍ରୋତ୍ସାହିତ କରେ ।
ସିଡ୍‌କୋର ପ୍ରକଳ୍ପ ଯୋଜନା, କାର୍ଯ୍ୟାନ୍ୱୟନ ଓ ଗୁଣବତ୍ତା ନିଶ୍ଚିତକରଣ ପଦ୍ଧତିକୁ ଡ. ମହାପାତ୍ର ପ୍ରଶଂସା କରିଥିଲେ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ସମେତ ବିଭିନ୍ନ ସହରୀୟ ଆବାସ ଯୋଜନାକୁ ଆହୁରି ବ୍ୟାପକ କରାଯାଉଥିବା ପରିପ୍ରେକ୍ଷୀରେ ସିଡ୍‌କୋର ଅନୁଭୂତି ଓଡ଼ିଶା ପାଇଁ ମୂଲ୍ୟବାନ ଶିକ୍ଷଣୀୟ ବିଷୟ ହୋଇପାରିବ ବୋଲି ସେ କହିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କ ପାଇଁ ଯୋଗ୍ୟ ସହରୀୟ ପରିବାରଗୁଡ଼ିକୁ ସୁରକ୍ଷିତ, ସମ୍ମାନଜନକ ଓ ସୁଲଭ ଆବାସ ଯୋଗାଇଦେବା ଏକ ପ୍ରମୁଖ ପ୍ରାଥମିକତା ବୋଲି ଡ. ମହାପାତ୍ର ସୂଚନା ଦେଇଥିଲେ । ଆଧୁନିକ ନିର୍ମାଣ ପ୍ରଯୁକ୍ତି ଓ ସମନ୍ୱିତ ଯୋଜନାର ବ୍ୟବହାର ଦ୍ୱାରା ଗୁଣବତ୍ତା ଓ ସୁଲଭତା ବଜାୟ ରଖି ଆବାସ ନିର୍ମାଣକୁ ଦ୍ରୁତ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ନିର୍ମାଣ ପ୍ରଯୁକ୍ତି, ପ୍ରକଳ୍ପ ପରିଚାଳନା ଓ ସମନ୍ୱିତ ଟାଉନ୍‌ସିପ୍‌ ବିକାଶ କ୍ଷେତ୍ରରେ ସିଡ୍‌କୋ ଓ ଓଡ଼ିଶାର ସମ୍ପୃକ୍ତି ସଂସ୍ଥାଗୁଡ଼ିକ ମଧ୍ୟରେ ନିୟମିତ ଜ୍ଞାନ ଆଦାନପ୍ରଦାନ ଓ ବୈଷୟିକ ସହଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ପରିଦର୍ଶନ ସମୟରେ ସିଡ୍‌କୋର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିଜୟ ପାଟିଲ, ଶ୍ରୀ କରାଡେ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ମହେଶ ସାପକାଲେ, ଟାଟା ପରମର୍ଶଦାତା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ସାମନ୍ତରାୟ, ଅନ୍ୟାନ୍ୟ ପ୍ରତିନିଧି, Larsen & Toubroର ପ୍ରକଳ୍ପ ପରିଚାଳକ ଶ୍ରୀ କରୁଣାନିଧିଙ୍କ ସମେତ ବହୁ ବୈଷୟିକ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅନୁଭୂତି ଓ ଶିକ୍ଷଣୀୟ ବିଷୟଗୁଡ଼ିକୁ ଓଡ଼ିଶାର ଭବିଷ୍ୟତ ସୁଲଭ ଆବାସ ପ୍ରକଳ୍ପରେ ଉପଯୁକ୍ତ ଭାବେ ଗ୍ରହଣ କରିବା ନେଇ ବିଚାର କରାଯିବ। ଏହା ଦ୍ୱାରା ଦ୍ରୁତ, ପ୍ରଯୁକ୍ତିଭିତ୍ତିକ, ସ୍ଥାୟୀ ଓ ନାଗରିକ-କୈନ୍ଦ୍ରିକ ସହରୀୟ ଆବାସ ବିକାଶ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହୋଇପାରିବ ।
…………….

Leave a Reply

Your email address will not be published. Required fields are marked *