ଆଦର୍ଶ ମଶାଣୀ// ଶାନ୍ତିରେ ଚିରନିଦ୍ରାରେ କୋକେଇରେ ଶୋଇଥିବା ମଣିଷର ଆତ୍ମା ବିଳି ବିଳେଇ ଦରାଣ୍ଡି ହେଉଛି; ଆରେ ଏବେ କଣ ଏଠି

Spread the love

ଆଦର୍ଶ ମଶାଣୀ

ଆଜିକାଲି ମୃତ୍ୟୁଟା ବି ଉତ୍ସବ ପାଲଟିଛି, ଯେବେଠୁଁ ମଶାଣୀଟା “ଆଦର୍ଶ ମଶାଣୀ” ବୋଲି ଘୋଷିତ ହେଇଛି….!

ଶାନ୍ତିରେ ଚିରନିଦ୍ରାରେ କୋକେଇରେ ଶୋଇଥିବା ମଣିଷର ଆତ୍ମା ବିଳି ବିଳେଇ ଦରାଣ୍ଡି ହେଉଛି; ଆରେ ଏବେ କଣ ଏଠି ଚା, ଜଳଖିଆ, ସିଗାରେଟ ଆଉ ପାନ ବି ମିଳୁଛି….!!

ଢେର ଦିନ ତଳେ ସମ୍ପର୍କୀୟଙ୍କୁ ସତ୍କାର ପାଇଁ ଆଣିଥିଲି; ଖାଲି କାନ୍ଦୁରା ମୁହଁରେ ଲୁହକୁ ଜାକି ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ ….!!!

ଏବେ ଏଠି ଭଲ ଲୋକ ଭିଡ ଧରିଛି; ପୁଅ ପୁତୁରାଏ ଶବ ସାଙ୍ଗେ ସେଲଫି ମାରି ଚାଲିଛନ୍ତି…!!!

ଏବେ ତ ଏଠି ମନୋରଞ୍ଜନ ପାଇଁ ପାର୍କଟିଏ ବି ଵନିଚି; ଜଳ ଫୁଆରା ସାଙ୍ଗକୁ ରାତିରେ ଉଜ୍ଜ୍ବଳ ଆଲୁଅ ବି ଜଳୁଛି; ପୁରା ଦିନ କରି ଦଉଚି; ସେଦିନର ମଶାଣୀ ପରି ଆଉ ଅନ୍ଧାର ମାଡ଼ି ବସୁ ନାହିଁ ….!!!

ଚାଟ, ଗୁପଚୁପ ସାଙ୍ଗକୁ ଦହିବରା ଆଳୁଦମର ପସରା ବି ମେଲିଛି; ଭୁତ, ପ୍ରେତ ଏ ସବୁ ଦେଖି ଲୁଚିଲେଣି; ଆଉ ଡର କାହିଁକି ବା ଲାଗିବ ? ଥାନେ, ଥାନେ ମଶାଣୀ ବି ସ୍ୱାଗତ ଜଣାଉଛି…!!!

ମାଲବାହୀ ଭାଇଟି କହେ ମଶାଣୀଟା ସତରେ ଭାରି ବଢିଆ ହେଇଛି; ଏତେ ସବୁ ଯୋଗାଡ଼ ଦେଖି ଲୋକଙ୍କୁ ମରିବାକୁ ଆଉ ଡର ଲାଗୁନି…!!!

ଯାହା କହ ମୃତ୍ୟୁଟା ଉତ୍ସବ ପାଲଟିଛି; ଏକାଦଶାହ ଭୋଜି ପାଇଁ ସୁନ୍ଦୂରିଆ କାର୍ଡ ଛପୁଛି; ମହାପ୍ରସାଦ ପରିବର୍ତ୍ତେ ପକୋଡାଠୁଁ ବିରିୟାନୀର ଧୂଳା ଉଡ଼ୁଛି; ଭଜନ ମିଶା ମେଲୋଡି ସାଙ୍ଗକୁ ପୁଣି ଭଲ ଖାଇବା ପିଇବା… ସତରେ ଭୋଜିଟା ବେଶ ଜମୁଛି ….!!!

ପଚାରିଲେ ଉତ୍ତର ମିଳୁଚି, ଏଡ଼େ ବଡ ଦୁଃଖଟାକୁ ଭୁଲିବା ପାଇଁକି ଟିକେ ହାଲକେଇକି ନେଇଛି ….!!!

ଏଣେ ଶ୍ରଦ୍ଧାଞ୍ଜଳି ଦେଇ ଦିନେ ମୁହଁ ନ ଦେଖିଥିବା ଶ୍ରଦ୍ଧାଳୁଙ୍କ ବେଶ ଫଟୋ ଉଠା ସେଶନ ଚାଲିଛି…!!!

ତେଣେ ବିଚରା ମୃତ ଆତ୍ମାଟି ଫୁଲ ମାଳ ଘେରା ଫଟ ଭିତରେ ରହି ଭାବୁଛି … ଯାହା ହେଉ ବଞ୍ଚିବାଠାରୁ ମରିବାଟା ମନୋରମ ଲାଗୁଚି; ଦଶ-ବାର ଦିନ ହେଲାଣି, ମୋ ପାଇଁ ଯାତେରା ଜମୁଛି ….!!

ଜିଇ ଥିଲା ବେଳେ ମିଳୁ ନ ଥିଲା ମୁନ୍ଦେ ପାଣି; ଏବେ କିନ୍ତୁ ଥଣ୍ଡା ପାନୀୟ ସାଙ୍ଗକୁ ବିଅରରେ ମୋ ଘର ଅଗଣା ଭାସୁଛି ….!!!

ପୁଅ ମୋର ଫୋଟୋଟେ ମୋବାଇଲରେ ଛାଡ଼ିଛି; ଜ୍ଞାତି, ଅଜ୍ଞାତି କେତେ ଚିହ୍ନା ଅଚିହ୍ନା ସେ ଫଟୋରେ ଲାଇକ ମାରି ଓଁ ଶାନ୍ତି, ରିପ୍ ଲେଖିଛନ୍ତି …..!!!

ପରିବାରଟା ପୁରା ମୋର ମରିବାକୁ ଜମେଇକି ପାଳିଛନ୍ତି; ନେତାଠୁଁ କର୍ମି ପର୍ଯ୍ୟନ୍ତ ସଭିଙ୍କୁ ନିମନ୍ତ୍ରଣ କରିଛନ୍ତି …..!!!

ସତରେ ଯେବେଠୁଁ ମଶାଣୀଟା ଆଦର୍ଶ ହେଇଛି, ମୃତ୍ୟୁଟା ବି ତାଳ ଦେଇ ଉତ୍ସବ ପାଲଟି ଯାଇଛି….!!!

(ନିଜ ଲେଖା ନୁହେଁ, WhatsAppରେ ଜଣେ ବନ୍ଧୁ ପଠେଇଛନ୍ତି, ସେ ବି କାହାଠାରୁ ପାଇଥିବେ, ହେଲେ ଯିଏ ବି ଲେଖିଛନ୍ତି, ଚମତ୍କାର ଲେଖିଛନ୍ତି)

Leave a Reply

Your email address will not be published. Required fields are marked *