Spread the love

⚫❗⚫
ll ବକୁଳ ଅମାବାସ୍ଯା ll

           ଆଜି ପବିତ୍ର ବକୁଳ (ବଉଳ) ଅମାବାସ୍ୟା। ବୃକ୍ଷ ପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ବା ବକୁଳ ଲାଗି ଅମାବାସ୍ୟା। ଏହାର ଅନ୍ୟ ନାମ ବଉଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। 
ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁଥାଏ। ବକୁଳ ଅମାବାସ୍ୟା ଦିନ ଚୁତ ତରୁ, ଆମ୍ବ ଗଛକୁ ପୂଜା କରାଯାଏ। ଭୋଗ ସାମଗ୍ରୀ ଭାବେ ଗଇଁଠା ପିଠା ଏବଂ ବଉଳକୁ ବ୍ୟବହାର କରାଯାଏ। ଆମ୍ବ ମୂଳେ ପୂଜାଲଗାଇ ଗଇଁଠା ପିଠାକୁ ବୃକ୍ଷ ଉପରେ ନିକ୍ଷେପ କରା ଯାଇଥାଏ। ଗଇଁଠା ଗଛରୁ ଯେଉଁ ଭଳି ପଡ଼େ ସେହି ଭଳି ଆମ୍ବ ଫଳି ଗଛରୁ ପତିତ ହେବା ନିମନ୍ତେ କାମନା କରାଯାଏ। ଶ୍ରୀମନ୍ଦିରରେ ମଧ୍ୟ ବକୁଳଲାଗି ନୀତି ପାଳିତ ହୋଇଥାଏ।

     ବୈଦିକ ଅନୁବନ୍ଧନରେ ଅନୁବନ୍ଧିତ ହୋଇ ଭାରତୀୟ ଧାର୍ମିକ ପରମ୍ପରାରେ ଶତାଧିକ ଦେବଦେବୀ ପୂଜିତ ହୋଇଥାନ୍ତି। କିନ୍ତୁ ଏହା ବ୍ୟତୀତ, ଭାରତୀୟ ଜନ ସମୁଦାୟ ଶ୍ରୀକୃଷ୍ଣଙ୍କର ଗୋବର୍ଦ୍ଧନ ଧାରଣର ପଥ ଅନୁସରଣ କରି, ପ୍ରକୃତିର ବିଭିନ୍ନ ଅଂଶ ଯଥା: ନଦୀ, ବନ, ପର୍ବତ, ବୃକ୍ଷଲତା ଆଦିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରିଥାନ୍ତି। ଏହି ପ୍ରକ୍ରିୟାରେ ବୃକ୍ଷ ଉପାସନା ଏକ ବିଶେଷ ସ୍ଥାନ ଅଧିକାର କରେ। ତୁଳସୀ, ବେଲ, ବଟ, ଶମି, ଆମ୍ବ, ଧାନକ୍ଷେତ ଆଦି ଏହାର ଅଙ୍ଗୀଭୂତ। ତୁଳସୀ ବିବାହ, ବେଲ ବରଣ, ଗର୍ଭଣା ସଂକ୍ରାନ୍ତି ଆଦି ପର୍ବମାନ ଯେପରି କୃଷକ ପରିବାର ମହା ସମାରୋହରେ ପାଳନ କରିଥାନ୍ତି, ଠିକ୍ ସେହିପରି, ପୌଷ ଅମାବାସ୍ୟା (ବକୁଳ ଅମାବାସ୍ୟା)ରେ ଆମ୍ର ବୃକ୍ଷର ପୂଜା ହୋଇଥାଏ। ହିନ୍ଦୁ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ରହିଛି। ଆମ୍ବଡାଳ ଓ ପଇଡ଼ କଳସ ବା ଘଟ ସ୍ଥାପନ ଉପଲକ୍ଷେ ଏକ ଅପରିହାର୍ଯ୍ୟ ବସ୍ତୁ। ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ। ଦୋଳଯାତ୍ରା ବେଳେ ପ୍ରଭୁ ଶ୍ରୀଦୋଳ ଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭାପାଏ। ପୁଣି ଫଳ ମାନଙ୍କ ରାଜା ହେଉଛି ଆମ୍ବ। ଆମ୍ବର ଅନ୍ୟ ନାମ ଆମ୍ର, ଚୂତ,ସହକାର,ରସାଳ। ସ୍ତ୍ରୀ ଲୋକେ ଓ କୁମାରୀ ଝିଅମାନେ ବଉଳ ବସି ବନ୍ଧୁତ୍ୱ ବାନ୍ଧିବା ପରମ୍ପରା ରହିଛି। ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ,ବେଲ ଅଁଳା,ଅଶ୍ୱସ୍ତ, ବର, ପଳାଶ,କଦଳୀ ଇତ୍ୟାଦି ଭଳି ପୂଜନୀୟ।

   ଶ୍ରୀକ୍ଷେତ୍ର ଭଳି ପରମ ପବିତ୍ର କ୍ଷେତ୍ର ତ୍ରିଭୁବନରେ ବିରଳ । ଏହି ପାବନ କ୍ଷେତ୍ରକୁ ନିଜର ରମଣୀୟ ଲୀଳାକ୍ଷେତ୍ର ରୂପେ ସ୍ଵୟଂ ସ୍ବୀକାର କରି ନିଗୁଣ ବ୍ରହ୍ମ ସଗୁଣ ସାକାର ଦାରୁବ୍ରହ୍ମ ରୂପରେ ପ୍ରତିଭାତ ହୋଇ ନାନାବିଧ ବିଚିତ୍ର ଲୀଳାମାନ ସଂରଚନା କରି ନିଜର ଅନୁରକ୍ତ ଭକ୍ତମାନଙ୍କ ଗହଣରେ ରହି ନିଜେ ନିଜର ଆନନ୍ଦମୟ ସ୍ଥିତିରେ ରହିବା ସହିତ ଜଗତବାସୀଙ୍କୁ ଅପାରଆନନ୍ଦ । ଦାନକରି ଧନ୍ୟ କରୁଅଛନ୍ତି ପରଂବ୍ରହ୍ମ ହେଲେ ମଧ୍ୟ ସାଧାରଣ ମଣିଷ ପରି ଆଚରଣ କରନ୍ତି, ଓଡ଼ିଆମାନଙ୍କର ଚିର ଆରାଧ୍ୟ ଇଷ୍ଟଦେବ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ନିତ୍ୟ ଉତ୍ସବମୟ ଠାକୁର । ବର୍ଷସାରା ଲାଗି ରହିଥାଏ । ଶ୍ରୀମନ୍ଦିରରେ ବିଭିନ୍ନ ଯାତ୍ରା ଉତ୍ସବ ।

ll ବ୍ରହ୍ମୋବାଚ ll

ପୌଷେ ମାସି ମହୀନାଥ ଅମାବାସ୍ୟାଦିନେ ପୁନଃ।
ପ୍ରାତଃକାଳାନ୍ତରସ୍ୟାପି ସଙ୍ଗେ ଭକ୍ତ୍ୟାଞ୍ଚିତୋଽର୍ଚକଃ।। ୧।।
ଲାଙ୍ଗଳୀଫଳଖଣ୍ଡୈଶ୍ଚ ଚୂର୍ଣ୍ଣୈସ୍ତଣ୍ଡୁଳସମ୍ଭବୈଃ।
ବର୍ତ୍ତୁଳାନି ସୁରମ୍ୟାଣି ତାନି ପୂପାନି ଦାପୟେତ୍।। ୨।।

ବ୍ରହ୍ମା କହିଲେ – ହେ ରାଜା ! ପୌଷମାସ ଅମାବାସ୍ୟାରେ ପ୍ରାତଃକାଳୀନ ପୂଜାପରେ ଭକ୍ତିଭାବ ସହକାରେ ପୂଜକ ଖଣ୍ଡ ନଡ଼ିଆ, ପଡ଼ିଥିବା ସୁରମ୍ୟ ଚକୁଳି ପିଠାମାନ ପ୍ରଭୁଙ୍କୁ ଅର୍ପଣ କରିବେ।

ପୂଜାନ୍ତେ ବିଷ୍ଣବେ ଦଦ୍ୟାଦ୍ଦିବ୍ୟାଂଶ୍ଚୂତାଙ୍କୁରାନପି।
ବନ୍ଦାପନାଂ ପ୍ରକୁର୍ବୀତ ପୂର୍ବବଦ୍ଧରଣୀପତେ।। ୩।।

     ହେ ଧରଣୀପତି  ! ଏହିପୂଜା ପରେ ଜଗନ୍ନାଥ (ବିଷ୍ଣୁ)ଙ୍କୁ ଆମ୍ବ ବଉଳ (ଏହା ବକୁଳ ଅମାବାସ୍ୟା)  ଲାଗି କରି ବନ୍ଦାପନା କରିବ।

          ପୌଷ ମାସ ଅମାବାସ୍ୟା ଦିନ ଶ୍ରୀଜୀଉମାନଙ୍କର ଆଳତି ଅବକାଶ ବଢ଼ିବା ପରେ ବେଶ ହେବା ସମୟରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ନିମନ୍ତେ ଖଣ୍ଡିଏ ଅଧୁକ ମାଳ ଲାଗି କରାଯାଇଥାଏ । ଗୋପାଳବଲ୍ଲଭ ଭୋଗ ସରି ସକାଳଧୂପ ଉଠିଲେ ରୋଷଘରୁ ଭୋଗ ଛେକ ସଙ୍ଗେ ବଉଳଗଇଁଠା ତାଟ ଛାମୁକୁ ଆସେ । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବା ଉତ୍ତାରେ ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ଭୋଗ ଲଗାଇଥାନ୍ତି । ପୂଜାପରେ ଟେରା ଫି ଟି ଲେ ଆଳତି ହୁଏ । ବଉଳଗଇଁଠା ତାଟ ଭିତରେ ଥାଇ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହାପରେ ମହାପ୍ରସାଦ ବାହାରକୁ ଆସିଥାଏ । ମହାପ୍ରସାଦ କଢ଼ାଯାଇ ପାଣି ପଡ଼ିବା ପରେ ଦକ୍ଷିଣଘରୁ ନାରାୟଣ ସିଂହାସନକୁ ବିଜେ କରନ୍ତି । ପୂଜାପଣ୍ଡା ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ ଆଣି ନାରାୟଣଙ୍କୁ ପ୍ରଦାନ କରନ୍ତି । ଆଜ୍ଞାମାଳ ପାଇ ନାରାୟଣ ସାଗର ବିଜେ ନିମନ୍ତେ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କଲେ ଶ୍ରୀଜୀଉଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ବି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ ।

Leave a Reply

Your email address will not be published. Required fields are marked *