Spread the love

କନ୍ଧମାଳ : ଜାନୁଆରୀ ୬ ରୁ କନ୍ଧମାଳରେ ଧାନ ସଂଗ୍ରହ ଏବଂ ୨୨ଟି ଲ୍ୟାମ୍ପସ୍ ଓ ଗୋଟିଏ ମାର୍କେଟ୍ ୟାର୍ଡରେ ହେବ କ୍ରୟ, ୪୫୪୦ ଚାଷୀ ପଞ୍ଜୀକୃତ…

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲାରେ ଆସନ୍ତା ଜାନୁଆରୀ ୬ ତାରିଖରୁ ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ଆରମ୍ଭ ହେବ l ଏଥିନିମନ୍ତେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେଇଚି l ବୈଠକରେ ମାନ୍ୟବର ସାଂସଦ ଓ ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗାଣ ବିଭାଗ, ସମବାୟ ବିଭାଗ ଏବଂ ଆରଏମସିର ଅଧିକାରୀମାନେ ଯୋଗଦେଇଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ବୈଠକରେ ଧାନ ସଂଗ୍ରହ ନୀତି, ଚାଷୀ ପଞ୍ଜୀକରଣ ଓ ଚଳିତ ବର୍ଷର ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ଚଳିତ ଖରିଫ ଋତୁରେ ଜିଲ୍ଲାର ପ୍ରାୟ ୪,୫୪୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହେଇଛନ୍ତି l ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ ଲ୍ୟାମ୍ପସ୍ ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବ l ସରକାରଙ୍କ ନିର୍ଦ୍ଧାରିତ ଦର ଅନୁଯାୟୀ ସାଧାରଣ ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନର ମୂଲ୍ୟ ୨,୪୮୧ ଟଙ୍କା ରହିଛି l ଜିଲ୍ଲାରେ ମୋଟ ୨୨ଟି ଲ୍ୟାମ୍ପସ୍ ଓ ଗୋଟିଏ ମାର୍କେଟ୍ ୟାର୍ଡ ମାଧ୍ୟମରେ ଧାନ ସଂଗ୍ରହ କରାଯିବ l ମଣ୍ଡିଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଅପରାହ୍ନ ୩ଟା ସୁଦ୍ଧା ଧାନ ଆଗମନ ପ୍ରକ୍ରିୟା ଶେଷ କରାଯିବ l ପ୍ରତ୍ୟେକ କ୍ରୟ କେନ୍ଦ୍ରର ଲକ୍ଷ୍ୟ ଅନୁଯାୟୀ ସପ୍ତାହରେ ୨ରୁ ୩ ଦିନ ଧାନ କ୍ରୟ କରାଯିବ l ଏହାର କାର୍ଯ୍ୟସୂଚୀ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ବିଭାଗ ଚୂଡ଼ାନ୍ତ କରିବେ l ଧାନ ସଂଗ୍ରହରେ ସ୍ୱଚ୍ଛତା ଓ ଶୃଙ୍ଖଳା ରକ୍ଷା ପାଇଁ ମଣ୍ଡିରେ ଧାନର ଗୁଣବତ୍ତା ପରୀକ୍ଷା କରାଯିବ। ଚାଷୀମାନେ ମଣ୍ଡିକୁ ଆସିବା ସମୟରେ ଆଧାର କାର୍ଡ ଓ ମୂଳ ବ୍ୟାଙ୍କ ପାସବୁକ୍ ଆଣିବାକୁ ପରାମର୍ଶ ଦିଆଯାଇଛି l ଏଥିସହ ଆଇରିସ୍ ସ୍କାନର ମାଧ୍ୟମରେ ଚାଷୀଙ୍କ ପରିଚୟ ଯାଞ୍ଚ କରାଯିବ l ଟୋକନ୍‌ର ବୈଧତା ୩୦ ଦିନ ରହିବ ଏବଂ ପ୍ରତି ୭ ଦିନରେ ଚାଷୀଙ୍କ ପଞ୍ଜୀକୃତ ମୋବାଇଲ୍‌କୁ ସ୍ମାରକ ବାର୍ତ୍ତା ପଠାଯିବ l ମଣ୍ଡିରେ ପାନୀୟ ଜଳ, ବିଶ୍ରାମଗୃହ, ଶୌଚାଳୟ, ତାରପୋଲିନ୍ ଓ ଧାନର ଗୁଣବତ୍ତା ପରୀକ୍ଷା ଉପକରଣ ଆଦି ବ୍ୟବସ୍ଥା କରିବାକୁ ଆରଏମସିକୁ ନିର୍ଦ୍ଦେଶ ଦିଆଯାଇଛି l ଚାଷୀମାନଙ୍କୁ ଧାନର ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ଓ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ସଚେତନତା କାର୍ଯ୍ୟକ୍ରମ କରାଯିବ l ମଣ୍ଡିରେ ଧାନ କ୍ରୟ ପରେ ସେହି ଦିନ ହିଁ ଧାନ ଉଠାଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି l ଚାଷୀମାନଙ୍କୁ ଯେପରି କୌଣସି ପ୍ରକାର ହଇରାଣ ହେବାକୁ ନପଡ଼େ, ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଯତ୍ନବାନ ହେବାକୁ ନିର୍ଦ୍ଦେଶ ରହିଛି l ଏଥିସହ ଚକାପାଦ ବ୍ଲକ୍‌ରେ ରବି ଋତୁରେ ଏକ ନୂତନ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଚାଷୀ ଅନୁକୂଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଧାନ ସଂଗ୍ରହର ସଫଳ ପରିଚାଳନା ପାଇଁ ଜନପ୍ରତିନିଧି, ଚାଷୀ ପ୍ରତିନିଧି, ମିଲର୍ ଓ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ l