ସାମାଜିକ ଗଣମାଧ୍ୟମର କୁପ୍ରଭାବ ଓ ଯୌନ ଉହୀଡ଼ନ: ଏକ ସଚେତନତାମୂଳକ ଭର୍ତୁଆଲ୍ କର୍ମଶାଳା
ଭୁବନେଶ୍ବର, : ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ” ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ତରଫରୁ ମହାବିଦ୍ୟାଳୟ ମାନଙ୍କୁ ନେଇ ଆଜି “ସାମାଜିକ ଗଣମାଧ୍ୟମର କୁପ୍ରଭାବ ଯୌନ ଉହୀଡ଼ନ ଉପରେ କିପରି ପ୍ରଭାବ ପକାଏ” ଶୀର୍ଷକ ଏକ ସମ୍ବେଦନଶୀଳ ତଥା ସଚେତନତାମୂଳକ ଭର୍ତୁଆଲ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍, ଗବେଷିକା, ପରିଷଦ ସଦସ୍ୟା ତଥା ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁଚେତା ପ୍ରିୟବାଦିନୀ ଯୋଗଦେଇଥିଲେ ।ନିଜର ଅଭିଭାଷଣରେ ଡକ୍ଟର ପ୍ରିୟବାଦିନୀ ଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମ ବ୍ୟବହାର ସମୟରେ ନିଜର ଫଟୋ, ଭିଡିଓ ଏବଂ ବ୍ୟକ୍ତିଗତ ଓ ଅନୁରଙ୍ଗ ତଥ୍ୟ ସେୟାର କରିବା କ୍ଷେତ୍ରରେ ଅତ୍ୟନ୍ତ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ଯୁଗରେ ସୋସିଆଲ୍ ମିଡିଆ ଯଥା ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ଵାଟ୍ସଆପ୍, ସ୍ନାପଚାଟ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ମାଧ୍ଯମ ଛାତ୍ରଛାତ୍ରୀଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଏହା ଶିକ୍ଷା, ଯୋଗାଯୋଗ ଓ ଜ୍ଞାନ ଆହରଣରେ ସହାୟକ ହେଉଥିବାବେଳେ ଏହାର ଅପବ୍ୟବହାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗମ୍ଭୀର ସାମାଜିକ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ସୋସିଆଲ୍ ମିଡିଆ ମାଧ୍ୟମରେ ଅଶ୍ଳୀଳ ବାର୍ତ୍ତା ପ୍ରେରଣ, ଅଶୋଭନୀୟ ଫଟୋ ଓ ଭିଡିଓ ପଠାଇବା, ମିଥ୍ୟା ପରିଚୟ ଦେଇ ବନ୍ଧୁତା ସ୍ଥାପନ କରିବା, ବ୍ୟକ୍ତିଗତ ଫଟୋର ଅପବ୍ୟବହାର, ଅନଲାଇନ୍ ଧମକ ଓ ବ୍ଲାକମେଲିଂ ଭଳି ଘଟଣା ଛାତ୍ରଛାତ୍ରୀଙ୍କୁ ଯୌନ ଉହୀଡ଼ନର ଶିକାର କରୁଛି। ଏପରି ଘଟଣା ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ, ଆତ୍ମବିଶ୍ବାସ, ଶିକ୍ଷାଗତ ପ୍ରଦର୍ଶନ ଓ ସାମାଜିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହି ସମସ୍ୟାର ନିରାକରଣ ପାଇଁ ଡିଜିଟାଲ୍ ସାକ୍ଷରତା, ସାଇବର ସୁରକ୍ଷା ସଚେତନତା, ନୈତିକ ଶିକ୍ଷା ଓ ଅଭିଭାବକଙ୍କ ତଦାରଖ ଅତ୍ୟନ୍ତ ଜରୁରୀ । ଏଥିସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ମରରେ ସଚେତନତା କାର୍ଯ୍ୟକ୍ରମ ଏବଂ ଅଭିଯୋଗ ଗ୍ରହଣର ସୁବ୍ୟବସ୍ଥା କରାଯିବା ଆବଶ୍ୟକ।ଏଥିସହ ଯଦି କୌଣସି ବ୍ୟକ୍ତି କାହାର ବ୍ୟକ୍ତିଗତ ଫଟୋକୁ ବିକୃତ କରି ପ୍ରସାରଣ କରନ୍ତି କିମ୍ବା ଡିପ୍ଫେକ୍ ମାଧ୍ଯମରେ ଅପପ୍ରଚାର କରନ୍ତି, ତେବେ ଏପରି ଅପରାଧ ବିରୋଧରେ ଆଇନଗତ ବ୍ୟବସ୍ଥା ଓ ଦଣ୍ଡବିଧାନ ରହିଥିବା ସମ୍ପର୍କରେ ସେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏଭଳି ପରିସ୍ଥିତିରେ ଭୟଭୀତ ନହୋଇ ସାଇବର ହେଲ୍ପଲାଇନ୍ ଓ ଅନ୍ୟାନ୍ୟ ସରକାରୀ ସହାୟତା ବ୍ୟବସ୍ଥାର ସହଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ କଲେଜ କୋଅର୍ଡିନେଟର ପ୍ରଫେସର ଚଣ୍ଡୀ ଚରଣ ରଥ ଏବଂ ଆମ ଗୌରବ ଆମ କଲେଜର ମ୍ୟାନେଜର ଶ୍ରୀଯୁକ୍ତ ହରିହର ବଡ଼ପଣ୍ଡା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଆଇସି ଓ ସୋସିଆଲ୍ ମିଡିଆ କୋଅର୍ଡିନେଟର ଶ୍ରୀମତୀ ଚଇତାଳି ସୋମ ପରିଚାଳନା କରିଥିବାବେଳେ ଅଭିରାମ ଜେନା, ପ୍ରୀତିନନ୍ଦା ମହାପାତ୍ର ଓ ସ୍ବାତୀ ପ୍ରଭା ମିଶ୍ର ସହଯୋଗ କରିଥିଲେ।କର୍ମଶାଳାର ଉପାଦେୟତା ଓ ପ୍ରାସଙ୍ଗିକତାକୁ ଉପଲବ୍ଧି କରି ବିଭିନ୍ନ କଲେଜ ପକ୍ଷରୁ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ପୁନର୍ବାର ଆୟୋଜନ କରିବା ପାଇଁ ଅନୁରୋଧ କରାଯାଇଥିଲା ।ପରିଶେଷରେ କୁହାଯାଇପାରେ ଯେ, ସୋସିଆଲ୍ ମିଡିଆ ନିଜେ ଖରାପ ନୁହେଁ, ବରଂ ଏହାର ଅପବ୍ୟବହାର ହିଁ ଯୌନ ଉପୀଡ଼ନର ଏକ ପ୍ରମୁଖ କାରଣ । ତେଣୁ ଛାତ୍ରଛାତ୍ରୀମାନେ ସଚେତନ, ସତର୍କ ଓ ଦାୟିତ୍ବବାନ ହେବା ସହିତ ଏକ ସୁରକ୍ଷିତ ଡିଜିଟାଲ୍ ପରିବେଶ ଗଠନ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।ଏହି କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡିଜିଟାଲ୍ ସୁରକ୍ଷା, ଆତ୍ମସଚେତନତା ଓ ଅନଲାଇନ୍ ମର୍ଯ୍ୟାଦା ରକ୍ଷା ସମ୍ପର୍କରେ
ସଚେତନତା ସୃଷ୍ଟି କରିବା ସହ ଏକ ସୁରକ୍ଷିତ ଓ କ୍ଷିତ ଓ ସମ୍ମାନଜନକ ଡିଜିଟାଲ୍ ପରିବେଶ ଗଠନ ଦିଗରେ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି।











