ପଶ୍ଚିମବଙ୍ଗରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ଗଜପତିର ମାଷ୍ଟର୍ସ ଆଥଲେଟ କିଶୋରଙ୍କ ସଫଳତା
ପାରଳାଖେମୁଣ୍ଡି, 17/11 (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ପଶ୍ଚିମବଙ୍ଗର ମେଦିନୀପୁରସ୍ଥିତ ଅରବିନ୍ଦ ଷ୍ଟାଡିୟମରେ ଅନୁଷ୍ଠିତ ନବମ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ଗଜପତି ଜିଲାର ମାଷ୍ଟର୍ସ ଆଥଲେଟ କିଶୋର ଚନ୍ଦ୍ର ରଥଙ୍କୁ
ସଫଳତା ମିଳିଛି। ଏହି ଚାମ୍ପିୟନଶିପରେ ଗଜପତିର ଆନ୍ତର୍ଜାତୀୟ ମାଷ୍ଟର୍ସ ଆଥଲେଟ୍ କିଶୋର ଚନ୍ଦ୍ର ରଥ ୩ଟି କାଂସ୍ୟ ପଦକ ଜିତି ଗଜପତି ଜିଲା ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୯୭୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ଓଡ଼ିଶାରୁ ୧୭ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗନେଇ ମୋଟ ୨୯ଟି ପଦକ ହାସଲ କରିଥିଲେ. ପାରଳାଖେମୁଣ୍ଡିର କିଶୋର ୨ଶହ ମିଟର ଦୌଡ଼, ଲଙ୍ଗଜମ୍ପ ଓ ଟ୍ରିପଲ ଜମ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୩ଟି କାଂସ୍ୟ ପଦକ ଜିତିଛନ୍ତି। ତାଙ୍କର ଏହି କୃତିତ୍ଵ ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ଓଡିଶାର ଚାଷ ଜମିକୁ ଆନ୍ଧ୍ର ହାତେଇବା ଷଡ଼ଯନ୍ତ୍ରକୁ ନେଇ 2 ରାଜ୍ୟର ଗ୍ରାମବାସୀ ମୁହାଁମୁହିଁ
ପାରଳାଖେମୁଣ୍ଡି, 17/11 (ତାରିଣୀ ପ୍ରସାଦ ପଣ୍ଡା):
ଓଡିଶା ତଥା ଗଜପତି ଜିଲ୍ଲାର ଚାଷ ଜମିକୁ ଆନ୍ଧ୍ର ହାତେଇବା ଷଡ଼ଯନ୍ତ୍ରକୁ ନେଇ 2 ରାଜ୍ୟର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି. ଏହି ଘଟଣା ନେଇ ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି. ଗଜପତି ଜିଲ୍ଲାର ଅମାରିଙ୍ଗ ଗ୍ରାମର ଚାଷଜମିକୁ ନିଜର ବୋଲି ଦାବି କରିବାରୁ ଆନ୍ଧ୍ରର ଦାଡ଼ସର ଗ୍ରାମର ଲୋକ ଓ ଅମାରିଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଓଡ଼ିଶା ଜମି ନେଇ ଆନ୍ଧ୍ରପ୍ରଦେଶ ନିଜ ସୀମାକୁ ବୃଦ୍ଧି କରିବାକୁ ହୀନ ଚକ୍ରାନ୍ତ କରୁଛି ବୋଲି ଓଡିଶା ତଥା ଗଜପତିର ସୀମାନ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗଜପତି ଜିଲ୍ଲାର ଅମାରିଙ୍ଗ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଶତାଧିକ ବର୍ଷ ହେଲା ପିଢ଼ି ପରେ ପିଢ଼ି ଏହି ଜମିରେ ଚାଷବାସ କରିଆସୁଛନ୍ତି। ହେଲେ ଏବେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଦାଡ଼ସର ଗ୍ରାମବାସୀ ଉକ୍ତ ଜମି ଉପରେ ନିଜର ଅଧିକାର ଜାହିର କରିବାକୁ ଉଦ୍ୟମ କରୁଛନ୍ତି। ଏହା କେବଳ ଜମିକୁ ନେଇ ବିବାଦ ନୁହେଁ, ବରଂ ଓଡ଼ିଶାର ସୀମା ଓ ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରିବା ଭଳି ଘଟଣା ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଆନ୍ଧ୍ରର କିଛି ଅଧିକାରୀ ଅମାରିଙ୍ଗ ଅଞ୍ଚଳରେ ପହଞ୍ଚି ଜମି ମାପଚୁପ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବାରୁ ଉକ୍ତ ଜମି ଆନ୍ଧ୍ର ସୀମା ମଧ୍ୟରେ ଥିବା ଦାବି କରିବା ସହ ଆନ୍ଧ୍ରରେ ମିଶିଯିବାକୁ ଆନ୍ଧ୍ର ଅଧିକାରୀମାନେ କହିଥିଲେ | ନଚେତ୍ ଘରଦ୍ଵାର ଉଚ୍ଛେଦ କରିଦେବାକୁ ଧମକ ଦେଇଥିଲେ। ସେତେବେଳେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜମିର ସ୍ଥିତି ଅନୁଧ୍ୟାନ କରିବା ସହ ଏହା ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଓଡ଼ିଶା ପ୍ରଶାସନର ସେହି ସ୍ପଷ୍ଟୀକରଣକୁ ଆନ୍ଧ୍ର ପକ୍ଷ ଗୁରୁତ୍ବ ଦେଉ ନଥିବା ଭଳି ପରିସ୍ଥିତି ପୁଣି ସୃଷ୍ଟି ହୋଇଛି ଏବେ ପୁଣି ସେହି ଜମିକୁ ନେଇ ବିବାଦ ତୀବ୍ର ହୋଇଛି। ଏନେଇ ଗଜପତି ଜିଲ୍ଲାର ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି. ସମ୍ପୃକ୍ତ ଘଟଣା ନେଇ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି, ସୀମାନ୍ତରେ ଓଡ଼ିଶାର ଜମି ଓ ଭିଟାମାଟିକୁ ବଞ୍ଚାଇବା ପାଇଁ ଗ୍ରାମବାସୀ ନିଜସ୍ତରରେ ସଂଘର୍ଷ କରୁଥିବା ବେଳେ ପ୍ରଶାସନର ନିଷ୍କ୍ରିୟତା ସେମାନଙ୍କ ଚିନ୍ତା ବଢ଼ାଇଛି। ସୀମା ବିବାଦକୁ ନେଇ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସୀମା ନିର୍ଦ୍ଧାରଣ ଓ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସରପଞ୍ଚ ଶ୍ରୀ କାର୍ଜି ଦାବି ଜଣାଇଛନ୍ତି। ଘଟଣା ନେଇ ଅମାରିଙ୍ଗ ଗ୍ରାମବାସୀ ଗଜପତି ଜିଲ୍ଲାର ରାୟଗଡ ତହସିଲଦାରଙ୍କୁ ସବୁକିଛି ତଥ୍ୟ ପ୍ରମାଣ ଦେଖାଇ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି. ଅପରପକ୍ଷରେ ସମ୍ପୃକ୍ତ ଘଟଣା ନେଇ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା କହିଛନ୍ତି ରାୟଗଡ ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ବାହିନୀ ସମ୍ପୃକ୍ତ ଗ୍ରାମରେ ଅତି ତୁରନ୍ତ ପହଞ୍ଚି ଏହି ବିବାଦର ସମାଧାନ କରାଯିବ.
ଗଜପତି ଜିଲ୍ଲାରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ନେଇ ବିଧାନସଭା କମିଟିରେ ପ୍ରଶ୍ନ ଉଠାଇଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି,16/11(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ଏବଂ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭା କମିଟି ବୈଠକରେ ସ୍ୱର ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କ ପକ୍ଷରୁ ଉଠାଯାଇଥିବା ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।
ବିଧାନସଭା ସଚିବାଳୟ ପକ୍ଷରୁ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କ ଦସ୍ତଖତରେ ଜାରି ଚିଠି ଅନୁଯାୟୀ, କମିଟି ଅଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ବିଧାୟକ ପ୍ରଶାନ୍ତ ବେହେରା, ଉମା ଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ, ଡଃ ଫକୀର ମୋହନ ନାଏକ, ରୂପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗୋ, ବିଜୟ କୁମାର ଦଳବେହେରା, ସୁଜାତା ସାହୁ, ପ୍ରଦୀପ କୁମାର ସାହୁ ଓ ସୁବାସିନୀ ଜେନାଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବାହ୍ନ ୧୦ଟା ୩୦ରେ କମିଟି ସଦସ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ଏବଂ ୧୦ଟା ୪୫ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ସଚିବଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ୨୦୨୫-୨୦୨୬ ବର୍ଷର ତୃତୀୟ ରିପୋର୍ଟରେ କମିଟି ପକ୍ଷରୁ ଦିଆଯାଇଥିବା ପର୍ଯ୍ୟବେକ୍ଷଣ ଓ ସୁପାରିଶ ଉପରେ ବିଭାଗର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହ ବିଭାଗର ସାଧାରଣ କାର୍ଯ୍ୟକଳାପ ସମୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା।
ସେହିପରି ପୂର୍ବାହ୍ନ ୧୧ଟା ୪୫ରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବଙ୍କ ସହ ଅନୁରୂପ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଥିଲା।
ବୈଠକରେ ବିଧାୟକ ରୂପେଶ ପାଣିଗ୍ରାହୀ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଠିକ୍ ସମୟରେ ମିଳୁନଥିବା ଅଭିଯୋଗକୁ ଗୁରୁତ୍ୱର ସହ ଉପସ୍ଥାପନ କରିଥିଲେ। ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ଭତ୍ତା ପ୍ରଦାନ କରାଯିବା ସହ ବକେୟା ରହିଥିବା ହିତାଧିକାରୀଙ୍କୁ ମଧ୍ୟ ଅତିଶୀଘ୍ର ଭତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଥିବା ଜଣାପଡ଼ିଛି।











