ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ତ୍ୱରିତ ପଦକ୍ଷେପ
- ଦୈନିକ ଜଳଯୋଗାଣ ୭୨ ନିୟୁତ ଲିଟରକୁ ବୃଦ୍ଧି, ନିୟୋଜିତ ହେଲେ ୪୬ଟି ଟ୍ୟାଙ୍କର
- ବିକଳ୍ପ ଉତ୍ସରୁ ୮ ନିୟୁତ ଲିଟର ଅତିରିକ୍ତ ଜଳଯୋଗାଣ
ଭୁବନେଶ୍ୱର, ୨ ନଭେମ୍ବର ୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ରହ୍ମପୁର ସହରରେ ବାଧାପ୍ରାପ୍ତ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ଓ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସୁରକ୍ଷିତ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାଟକୋ ସହଯୋଗରେ ଜରୁରୀକାଳୀନ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ବିକଳ୍ପ ଜଳଉତ୍ସର ବିନିଯୋଗ ସହ ଜାନିବିଲି ଇନଟେକ୍ର ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନିଆଯାଉଛି।
ବିକଳ୍ପ ଉତ୍ସରୁ ଜଳଯୋଗାଣ ବୃଦ୍ଧି
ବ୍ରହ୍ମପୁର ସହରରେ ଦୈନିକ ଜଳଯୋଗାଣ ପରିମାଣକୁ ୭୨ ନିୟୁତ ଲିଟର (ଏମ୍ଏଲ୍ଡି)କୁ ବୃଦ୍ଧି କରାଯାଇଛି। ଏଥିମଧ୍ୟରୁ ୬୪ ନିୟୁତ ଲିଟର ଜଳ ଭୂପୃଷ୍ଠ ଜଳଉତ୍ସରୁ ଯୋଗାଇ ଦିଆଯାଉଥିବା ବେଳେ ଅତିରିକ୍ତ ୮ ନିୟୁତ ଲିଟର ଜଳ ୧୮ଟି ଉତ୍ପାଦନକ୍ଷମ କୂପ ମାଧ୍ୟମରେ ଯୋଗାଣ କରାଯାଉଛି। ଏହା ସହିତ ବିଭିନ୍ନ ଅଞ୍ଚଳରେ ଜଳ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ୪୬ଟି ଟ୍ୟାଙ୍କର ନିୟୋଜିତ କରାଯାଇଛି। ଏଥିରେ ୧୨ଟି ଘରୋଇ ଟ୍ୟାଙ୍କର ସାମିଲ ରହିଛି।
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଇଆଇଏସ୍ଇଆର୍କୁ ଜଳଯୋଗାଣ ପୁନଃସ୍ଥାପିତ ହୋଇଛି ଏବଂ ସ୍ୱାଭାବିକ ଭାବେ ଚାଲୁ ରହିଛି। ସେହିପରି ହିଞ୍ଜିଳିକାଟୁ ଓ ଗୋପାଳପୁରରେ ମଧ୍ୟ ଜଳଯୋଗାଣ ବ୍ୟବସ୍ଥା ସୁଚାରୁରୂପେ ଜାରି ରହିଛି।
ସୁରକ୍ଷିତ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ
ପାନୀୟ ଜଳର ଗୁଣବତ୍ତା ଓ ଜନସ୍ୱାସ୍ଥ୍ୟର ସୁରକ୍ଷାକୁ ବିଭାଗ ପ୍ରାଥମିକତା ଦେଇଛି। ଏଥିପାଇଁ ଜଳ ବିଶୋଧନାଗାରଗୁଡ଼ିକରେ ସୁପର କ୍ଲୋରିନେସନ୍ ବ୍ୟବସ୍ଥା ଜାରି ରହିଛି। ଜଳ ବିଶୋଧନ ପ୍ରକ୍ରିୟାରେ ପ୍ରାରମ୍ଭିକ ସ୍ତରରେ ୪ ପିପିଏମ୍ ଏବଂ ଶେଷ ସ୍ତରରେ ୧୦ ପିପିଏମ୍ କ୍ଲୋରିନେସନ୍ କରାଯାଉଛି। ଏଥିସହିତ ଜଳ ବିତରଣ ବ୍ୟବସ୍ଥାର ଶେଷ ଭାଗରେ ୨ ପିପିଏମ୍ କ୍ଲୋରିନେସନ୍ ସୁନିଶ୍ଚିତ କରାଯାଉଛି। ବିଭାଗର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଟିଏ ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ (ଏମ୍ଟିୟୁ) ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟରେ ପହଞ୍ଚିଛି।
ଜାନିବିଲି ଇନଟେକ୍ର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
ଜାନିବିଲି ଇନଟେକ୍ରେ ଅସ୍ଥାୟୀ ଜଳ ଅବରୋଧ ବ୍ୟବସ୍ଥା (ଟେମ୍ପୋରାରି ପଣ୍ଡିଂ ଆରେଞ୍ଜମେଣ୍ଟ) ନିର୍ମାଣ କାର୍ଯ୍ୟ ପ୍ରାୟ ୯୯ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଇନଟେକ୍ ନିକଟରେ ବାଲିବନ୍ଧ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଥିପାଇଁ ଇତିମଧ୍ୟରେ ପ୍ରାୟ ୧୫ ହଜାର ବାଲିବସ୍ତା ବିଛାଯାଇଥିବା ବେଳେ ଆଜି ଆଉ ୫ ହଜାର ବାଲିବସ୍ତା ବିଛାଇବା ପାଇଁ ଯୋଜନା ରହିଛି। ଆବଶ୍ୟକ ଶ୍ରମଶକ୍ତି ଓ ଯନ୍ତ୍ରପାତି ନିୟୋଜିତ କରାଯାଇ ଏହି କାର୍ଯ୍ୟ ଆଗେଇ ନିଆଯାଉଛି। ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି।
ପ୍ରଶାସନିକ ଓ ଆର୍ଥିକ ସହାୟତା ବୃଦ୍ଧି
ବ୍ରହ୍ମପୁର ମହାନଗର ନିଗମ ସମେତ ପ୍ରଭାବିତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଜରୁରୀକାଳୀନ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଅତିରିକ୍ତ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହାଦ୍ୱାରା କ୍ଷେତ୍ରସ୍ତରୀୟ ସମନ୍ୱୟ ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଜରୁରୀକାଳୀନ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ନିଜ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ଆର୍ଥିକ ସମ୍ବଳ ବିନିଯୋଗ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଚାଲୁ ରହିଥିବା କାର୍ଯ୍ୟର ନିୟମିତ ତଦାରଖ କରାଯାଉଛି। ବିଶେଷକରି ଜଳଯୋଗାଣର ପରିମାଣ ବୃଦ୍ଧି, ପାନୀୟ ଜଳର ଗୁଣବତ୍ତା ବଜାୟ ରଖିବା ଓ ଜାନିବିଲି ଇନଟେକ୍ର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଉଛି। ଜନସାଧାରଣଙ୍କ ଅସୁବିଧାକୁ ସର୍ବନିମ୍ନ କରିବା ସହ ବ୍ରହ୍ମପୁର ସହରରେ ଯଥାଶୀଘ୍ର ସ୍ୱାଭାବିକ ଜଳଯୋଗାଣ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।











