Spread the love

ରାଷ୍ଟ୍ରୀୟ ଏକତା ଦିବସରେ ଯୋଗଦେବେ ନୂଆପଡ଼ା ଜିଲ୍ଲାର ୫୦ ଜଣ ପ୍ରତିନିଧି; ପ୍ରଥମ ପର୍ଯ୍ୟାୟରେ ୩ ପ୍ରତିନିଧିଙ୍କ ଗୁଜରାଟ ଯାତ୍ରା ଆରମ୍ଭ

ନୂଆପଡ଼ା, ତା. ୨୫/୧୦: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଗୁଜରାଟର ଏକତା ନଗରଠାରେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ ଏବଂ ଭାରତ ପର୍ବ–୨୦୨୬ରେ ନୂଆପଡ଼ା ଜିଲ୍ଲାରୁ ୫୦ ଜଣ ଆମନ୍ତ୍ରିତ ପ୍ରତିନିଧି ଯୋଗଦେବେ। ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ଖରିଆର ରୋଡ୍‌ ରେଳ ଷ୍ଟେସନରୁ ଜିଲ୍ଲାର ୩ ଜଣ ପ୍ରତିନିଧି ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଏସ୍‌ଡିପିଓ କ୍ଷିରେଶ୍ୱର ସାହୁ, ଡେପୁଟି ଜିଲ୍ଲାପାଳ ଶେଖ ନସିମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ବିଜେପି ଜିଲ୍ଲା ସଭାପତି କମଳେଶ ଦୀକ୍ଷିତଙ୍କ ସମେତ ଅନ୍ୟମାନେ ଖରିଆର ରୋଡ୍‌ ରେଳ ଷ୍ଟେସନରେ ଉପସ୍ଥିତ ରହି ପ୍ରତିନିଧିମାନଙ୍କୁ ବିଦାୟ ଜଣାଇବା ସହ ସେମାନଙ୍କର ସୁଖଦ ଓ ନିରାପଦ ଯାତ୍ରା କାମନା କରିଥିଲେ।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଭବ୍ୟ ଏକତା ପରେଡ ଆୟୋଜିତ ହେବ। ଚଳିତ ବର୍ଷର ପରେଡରେ ଦେଶରୁ ସଶସ୍ତ୍ର ନକ୍ସଲବାଦର ପରିସମାପ୍ତି ଦିଗରେ ହାସଲ ହୋଇଥିବା ଉଲ୍ଲେଖନୀୟ ସଫଳତାକୁ ବିଶେଷ ଭାବେ ପ୍ରଦର୍ଶିତ କରାଯିବ। ନକ୍ସଲବାଦ ବିରୋଧୀ ଅଭିଯାନରେ ସାହସିକତା ଓ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ରାଜ୍ୟର ପୁଲିସ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ର ପରେଡ ଦଳ ଏଥିରେ ଅଂଶଗ୍ରହଣ କରିବେ।

ଏହି ଅବସରରେ ଦେଶର ଏକଦା ସଶସ୍ତ୍ର ନକ୍ସଲବାଦ ପ୍ରଭାବିତ ୧୨୬ଟି ଜିଲ୍ଲାରୁ ପ୍ରାୟ ୨,୦୦୦ କଳାକାରଙ୍କୁ ନେଇ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି) ପକ୍ଷରୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିବେଷଣ କରାଯିବ। ନକ୍ସଲ ହିଂସା ସମୟରେ ସାଧାରଣ ଲୋକେ ସାମ୍ନା କରିଥିବା ଦୁର୍ଦ୍ଦଶା, ସଂଘର୍ଷ ଓ ଜୀବନଜୀବିକାର ସମସ୍ୟାକୁ ଏହି ପରିବେଷଣ ମାଧ୍ୟମରେ ଉପସ୍ଥାପନ କରାଯିବ। ଏହି ଜିଲ୍ଲାଗୁଡ଼ିକରୁ ପ୍ରାୟ ୫ ହଜାର ଜଣଙ୍କୁ ଏହି ସମାରୋହରେ ଆମନ୍ତ୍ରଣ କରାଯାଇଛି। ହିଂସାର ଅବସାନ ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଶାନ୍ତି, ସ୍ଥିରତା ଓ ବିକାଶର ନୂତନ ଧାରା ପ୍ରବାହିତ ହେଉଥିବାର ବାର୍ତ୍ତା ଏହି ଆୟୋଜନ ମାଧ୍ୟମରେ ପ୍ରସାରିତ ହେବ।

ଏହି ଜାତୀୟସ୍ତରୀୟ ସମାରୋହରେ ଯୋଗଦେଇ ନୂଆପଡ଼ା ଜିଲ୍ଲାର ପ୍ରତିନିଧିମାନେ ଜାତୀୟ ଏକତା, ଅଖଣ୍ଡତା, ଭାଇଚାରା ଓ ଦେଶପ୍ରେମର ବାର୍ତ୍ତାକୁ ଅଧିକ ଆତ୍ମସାତ୍‌ କରିବା ସହ ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତା ଓ ଐତିହ୍ୟର ଅନୁଭୂତି ହାସଲ କରିବେ।