ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧’: ଶୁଭମ୍ ରଥ ଚାମ୍ପିୟନ୍
ପୁରୀ: ଶ୍ରୀକ୍ଷେତ୍ର ପୁରୀର ଚକ୍ରତୀର୍ଥ ରୋଡ୍ ସ୍ଥିତ ଚକ୍ରତୀର୍ଥ ମନ୍ଦିର ପରିସରରେ ଶ୍ରୀମନ୍ଦିର ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗ ଇଷ୍ଟେଟ୍ ପକ୍ଷରୁ ଦୁଇଦିନିଆ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧’ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୩ ଓ ୨୪ ତାରିଖରେ ଆୟୋଜିତ ଏହି ଚେସ୍ ପ୍ରତିଯୋଗିତାରେ ଶୁଭମ୍ ରଥ ଚାମ୍ପିୟନ୍ ହୋଇଥିବାବେଳେ ସାହିଲ ପଣ୍ଡା ରନର୍ସ ଅପ୍ ହୋଇଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିନ ଅର୍ଥାତ୍ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟାରେ ଲିଗ୍ ଓ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ପରବର୍ତ୍ତୀ ଦିନ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଖେଳାଳିମାନେ ନିଜର ଚାଲ୍, ରଣନୀତି ଓ ଏକାଗ୍ରତା ମାଧ୍ୟମରେ ପ୍ରତିଯୋଗିତାକୁ ରୋମାଞ୍ଚକ କରିଥିଲେ।
ଅନ୍ତିମ ଦିନର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ରେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପୁରୀ ମହାନଗର ନିଗମର କମିସନର ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଖେଳାଳିମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।
ପ୍ରତିଯୋଗିତା ଶେଷରେ ଆୟୋଜକ ସନ୍ତୋଷ କୁମାର ପୁଷ୍ପାଳକ, ସାହିଲ ପଣ୍ଡା, ପ୍ରାୟୋଜକ ଓ ନିଯୋଗର ବରିଷ୍ଠ ସଦସ୍ୟମାନଙ୍କ ଦ୍ୱାରା ବିଜେତାଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା।
ଚେସ୍ ଭଳି ବୁଦ୍ଧିଭିତ୍ତିକ ଖେଳର ପ୍ରଚାରପ୍ରସାର ଏବଂ ଖେଳାଳିଙ୍କ ପ୍ରତିଭାକୁ ଉତ୍ସାହିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି ପ୍ରତିଯୋଗିତା ଯୁବପିଢ଼ିଙ୍କ ମଧ୍ୟରେ ଚେସ୍ ପ୍ରତି ଆଗ୍ରହ ବଢ଼ାଇବା ସହ ଏକାଗ୍ରତା, ଧୈର୍ଯ୍ୟ ଓ ରଣନୀତିମୂଳକ ଚିନ୍ତାଧାରାର ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।











