ହିଇହେ..ଦେଢଶୁର ଗଲେ ନଣନ୍ଦ ବି ଗଲେ ମତେ କାହିଁ ନେଲ ନାଁହି,ତମ ମନେ ଯଦି ଏତେ କଥା ଥିଲା ବାହା ହଉଥିଲ କାହିଁ!!ପବିତ୍ର ହେରା ପଞ୍ଚମୀ ରେ ଅଭିମାନିନୀ ମା ଓ ମହାପ୍ରଭୁ ଙ୍କ ଦିବ୍ୟ ମାନବୀୟ ଲୀଳା।ମା ସାଆନ୍ତାଣୀ ରାଗି ପଞ୍ଚମ..ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’ ।

Spread the love

ହିଇହେ ଦେଢଶୁର ଗଲେ ନଣନ୍ଦ ବି ଗଲେ ମତେ କାହିଁ ନେଲ ନାଁହି
ତମ ମନେ ଯଦି ଏତେ କଥା ଥିଲା ବାହା ହଉଥିଲ କାହିଁ!!
ପବିତ୍ର ହେରା ପଞ୍ଚମୀ ରେ ଅଭିମାନିନୀ ମା ଓ ମହାପ୍ରଭୁ ଙ୍କ ଦିବ୍ୟ ମାନବୀୟ ଲୀଳା।
ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଗୋଟିଏ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’ ।
ଶ୍ରୀଜଗନ୍ନାଥ ଗୁଣ୍ଡିଚାଘରକୁ ଚାଲିଯିବା ପରେ, ବିରହ ବିଧୁରା ମହାଲକ୍ଷ୍ମୀ ନିଜ ମନର ବ୍ୟଥାକୁ ଶ୍ରୀମନ୍ଦିର ପରିସରରେ ବିମଳା ଦେବୀଙ୍କ ନିକଟରେ ଯାଇ କହନ୍ତି । ଏହାର ପ୍ରତିକାର ପାଇଁ ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦେବୀ ବିମଳା ତାଙ୍କୁ ସାନ୍ତ୍ୱନା ଦେଇ କହନ୍ତି- ସ୍ୱାମୀ ଯଦି କେବେ ଅବିବେକୀ ପରି ଆଚରଣ କରନ୍ତି, କିଛି ଅକରଣୀୟ କାମ କରନ୍ତି, ତେବେ ତାଙ୍କୁ କୌଶଳ କରି ନିଜ ଆଡ଼କୁ ଆଣିବାକୁ ପଡ଼େ । ତେଣୁ ତୁମେ ତାଙ୍କୁ ଉଚ୍ଚାଟିତ କରି ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ତାଙ୍କ ଉପରେ ‘ମୋହନଚୂର୍ଣ୍ଣ’ ପ୍ରୟୋଗ କର । ଏହା କହି ଦେବୀ ବିମଳା, ଲକ୍ଷ୍ମୀଙ୍କୁ ‘ମୋହନଚୂର୍ଣ୍ଣ’ ବି ଦିଅନ୍ତି । ବିମଳାଙ୍କର ଏହି ପରାମର୍ଶରେ ଦେବୀ ଲକ୍ଷ୍ମୀ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ, ଗୁଣ୍ଡିଚା ମନ୍ଦିରରେ ଥିବା ଜଗନ୍ନାଥଙ୍କ ନିକଟକୁ ଯାଇ ତାଙ୍କ ଉପରେ ସେହି ମୋହନଚୂର୍ଣ୍ଣ ପ୍ରୟୋଗ କରନ୍ତି ।
ଶ୍ରୀଜଗନ୍ନାଥଙ୍କଠାରୁ ତାଙ୍କୁ ଆଜ୍ଞାମାଳ ଦିଆଯାଏ । ତାହା ମାଧ୍ୟମରେ ଶ୍ରୀଜଗନ୍ନାଥ ତାଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଯେ ତିନିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିଆସିବେ ।
କିନ୍ତୁ ଏହି ସମୟରେ ଆଉ ଗୋଟିଏ ଘଟଣା ଘଟେ । ସେତେବେଳକୁ ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ ଏବଂ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରିପାରନ୍ତି ନାହିଁ । ସେଥିରେ ସେ ରୁଷ୍ଟ ହୁଅନ୍ତି । ପୁନଶ୍ଚ ‘ନନ୍ଦିଘୋଷ’ ରଥ ପାଖକୁ ଆସି ସେଥିରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଯାଆନ୍ତି ।
ଏହାକୁ ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ପରିପ୍ରକାଶ ବୋଲି ସାଧାରଣତଃ କୁହାଯାଇଥାଏ । କିନ୍ତୁ ଏହା ତାଙ୍କର କ୍ରୋଧ ନୁହେଁ । ଏହା ତାଙ୍କର ପତି-ପ୍ରୀତିର ନିଦର୍ଶନ । ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ସହିତ ଫେରିବାର ପ୍ରତିଶ୍ରୁତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ । କିନ୍ତୁ ଅଧିକ ସମୟ ସ୍ୱାମୀଙ୍କ ଶ୍ରୀମୁଖ ଦର୍ଶନ ନକରି ପାରିବା ନେଇ ତାଙ୍କ ମନରେ କ୍ଷୋଭ ଜାତ ହୁଏ । ତାହାର ପରିପ୍ରକାଶ ଘଟେ ‘ନନ୍ଦିଘୋଷ’ର ରଥକାଠ ଭଙ୍ଗାରେ।

Leave a Reply

Your email address will not be published. Required fields are marked *