Spread the love

ବନ୍ୟା ପାଣି ଘେରରେ କୂଳସାହି ଆଶ୍ରମ ସ୍କୁଲ, ଶତାଧିକ ପିଲା ଜଳବନ୍ଦୀ
ରାତି ସାରା ଜଗିବେ ଅଗ୍ନିଶମ ବାହିନୀ
ଆସନ୍ତାକାଲି ସକାଳେ ପିଲାଙ୍କୁ ସ୍ଥାନାନ୍ତର
ପଟ୍ଟାମୁଣ୍ଡାଇ ତା ୧୮/୮- ଦର୍ଶନ ସମୀକ୍ଷା

ରାଜ୍ୟ ସରକାରଙ୍କ ଏସ ସି ଏସ ଟି ବିଭାଗ ଦ୍ୱାରା ପରିଚାଳିତ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୂଳସାହି ଆଶ୍ରମ ସ୍କୁଲରେ ବନ୍ୟା ପାଣି ପଶିଛି I ଏହି ସ୍କୁଲରେ ରାଜ୍ୟର ବିଭିନ୍ନ ଅଂଚଳରୁ ଏସ ସି ଏସ ଟି ପିଲାମାନେ ହଷ୍ଟେଲରେ ରହି ପାଠ ପଢି ଥାନ୍ତି I ବ୍ରାହ୍ମଣୀ ନଦୀ କୂଳରେ କୂଳସାହି ଆଶ୍ରମ ସ୍କୁଲ ରହିଛି I ସମ୍ପ୍ରତି ବ୍ରାହ୍ମଣୀ ନଦୀରେ ତୃତୀୟ ବନ୍ୟା ଦେଖା ଦେଇଥିବାରୁ କୂଳସାହି ଆଶ୍ରମ ସ୍କୁଲରେ ବନ୍ୟା ଜଳ ପ୍ରବେଶ କରିଛି I ବନ୍ୟା ଜଳ ଘେରରେ କୂଳସାହି ଆଶ୍ରମ ସ୍କୁଲ ଥିବାରୁ ଏହି ସ୍କୁଲରେ ପାଠ ପଡୁଥିବା ପିଲାମାନେ ବସ୍ତୁତଃ ଜଳବନ୍ଦୀ ହୋଇପଡିଛନ୍ତି I ସ୍କୁଲରୁ ବାହାରକୁ ବାହାରିବ ପାଇଁ ଡ଼ଙ୍ଗା ବ୍ୟବସ୍ଥା କରାଯାଇ ନାହିଁ I ଏପଟେ କୁମ୍ଭୀର ଭୟ ଯୋଗୁଁ ପିଲାମାନେ ବନ୍ୟା ପାଣିରେ ପଶି ବାହାରକୁ ଆସିପାରୁନାହାନ୍ତି I ଯାହାଫଳରେ ଏହି ସ୍କୁଲ ପିଲାମାନେ ଜଳବନ୍ଦୀ ହୋଇ ଭୋକ ଉପାସରେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି I ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କୂଳସାହି ଆଶ୍ରମ ସ୍କୁଲ ପିଲାମାନଙ୍କୁ ଜଳବନ୍ଦୀରୁ ମୁକ୍ତ କରିବା ସହିତ ସମସ୍ତ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି I ତେଵେ ସର୍ବଶେଷ ଖବର ଅନୁଯାୟୀ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ ନାୟକ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ କୂଳସାହି ସ୍କୁଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି I ପିଲାମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଛି ରାତି ହୋଇ ଯାଇଥିବାରୁ ଜଳବନ୍ଦୀ ଥିବା ପିଲାମାନଙ୍କୁ ସ୍ଥାନାନ୍ତର କରାଯାଉପାରିନାହିଁ I ପ୍ରଶାସନ ନିର୍ଦେଶରେ ରାତି ସାରା ଅଗ୍ନିଶମ ବାହିନୀ ପିଲାମାନଙ୍କୁ ଜଗି ରହିବେ I ଆସନ୍ତାକାଲି ସକାଳେ ବନ୍ୟା ସ୍ଥିତି ପରଖିବା ପରେ ଜଳବନ୍ଦୀ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି I