ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକ ସଭା
ଭୁବନେଶ୍ଵର, ୧୪.୦୮.୨୦୨୬ –ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଧଉଳି ଚାରୁକଳା ମହାବିଦ୍ୟାଳୟର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଚିବ ଓ ସଭାପତି ଏବଂ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ମହାବିଦ୍ୟାଳୟର ପ୍ରଦର୍ଶନୀ କକ୍ଷରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି।ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।ସ୍ଵର୍ଗତ କାନୁନଗୋ କଳା କ୍ଷେତ୍ରରେ ଜଣେ ନିରବଚ୍ଛିନ୍ନ ସାଧକ ତଥା ଉଚ୍ଚକୋଟିର ଶିଳ୍ପୀ ଥିଲେ । ସେ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ସାରି ରାଜ୍ୟ ସଂଗ୍ରହାଳୟରେ ଗ୍ୟାଲେରୀ ସୁପରଭାଇଜର, ପରବର୍ତ୍ତୀ ସମୟରେ ଓଡ଼ିଶା ଲଳିତ କଳା ଏକାଡ଼ଡେମୀରେ ସଚିବ ଏବଂ ସଭାପତି ରୂପେ ନିଯୁକ୍ତ ହୋଇଥିଲେ ।

ସେ ମଧ୍ୟ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଭୁବନେଶ୍ୱରଠାରେ ପ୍ରତିଷ୍ଠାରେ ସାହାଯ୍ୟ କରିବା ସହିତ ସେଠାରେ ସଚିବ ଭାବେ ରହି ଚିତ୍ରକଳା କ୍ଷେତ୍ରରେ ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟ କରିଯାଇଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ସେ ଯୁବ କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାପାଇଁ ସଦା ବେଳେ ପ୍ରଚେଷ୍ଟା କରିଥିଲେ । ଓଡ଼ିଶାର କଳା କ୍ଷେତ୍ରରେ ସର୍ବଶ୍ରେଷ୍ଠ ସମ୍ମାନ ‘ଧର୍ମପଦ ପୁରସ୍କାର’ ଓ ‘ରାଜ୍ୟ ପୁରସ୍କାରରେ’ ମଧ୍ୟ ସମ୍ମାନିତ ହୋଇଥିଲେ । ସେ ଅତ୍ୟନ୍ତ କର୍ମନିଷ୍ଠ ଓ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ଭାବେ ଖ୍ୟାତ ଥିଲେ ।ଏହି ଅବସରରେ ଶିଳ୍ପୀଙ୍କ ଫୋଟୋଚିତ୍ରରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ଭୂପତିଭୂଷଣ ପଣ୍ଡା, ସର୍ଫୁଦ୍ଦିନ୍ ଏହମ୍ମଦ୍ ,ପ୍ରଫୁଲ୍ଲ ପ୍ରଧାନ ପୁଷ୍ପ ପ୍ରଦାନ ପୂର୍ବକ ଶିଳ୍ପୀଙ୍କ ସ୍ମୃତି ଚାରଣ କରିଥିଲେ।
ଅଧ୍ୟକ୍ଷ, ଧଉଳି ଚାରୁକଳା ମହାବିଦ୍ୟାଳୟର











