Spread the love

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ଢ଼େଙ୍କାନାଳ,ତା. ୧୨.୭.୨୦୨୬ – ଦର୍ଶନ ସମୀକ୍ଷା

ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ବାଇପାସ୍ ସ୍ଥିତ ସହରକୁ ପ୍ରବେଶ ରାସ୍ତାରେ ପାଣି ଜମୁଥିବାରୁ ଏହାର ପ୍ରତିକାର ପାଇଁ ବିହିତ ବ୍ୟବସ୍ଥା କରି ଓ ଦୁର୍ଘଟଣା ପ୍ରବଣ ରାସ୍ତା ଏବଂ ଛକ ଗୁଡ଼ିକରେ ଲାଇଟିଂ ର ବ୍ୟବସ୍ଥା ମାସକ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୂଖ କଲେଜ ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ସାଇନେଜ୍‌ ଓ ପ୍ରତିଫଳକ ଦର୍ପଣ ଲଗାଇବାକୁ କହିଛନ୍ତି ।

ଜାତୀୟ ରାଜପଥରେ ହୋଇଥିବା ଖାଲ ଓ ଜଳୁ ନ ଥିବା ଲାଇଟ ପୋଷ୍ଟକୁ ଚ଼ିହ୍ନଟ କରି ଯଥାଶୀଘ୍ର ମରାମତି ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପରାମର୍ଶ ଦେଇଛନ୍ତି । ରାସ୍ତା କଡ଼ରେ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବାରୁ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବାରୋପ କରିଥିଲେ । କଣ୍ଟାନାଳୀ ବାଇପାସ ଛକ ଠାରେ ସୁଦୃଶ୍ୟ ସାଇନେଜ୍ ବ୍ୟବସ୍ଥା, ନବଭାରତ ଠାରେ ରାସ୍ତାରେ ଅଧିକ ପାଣି ଜମା ଯୋଗୁଁ ଚ଼ଳାଚ଼ଳରେ ଅସୁବିଧା, ଅପ୍ରାପ୍ତ ବୟସ୍କ ପିଲାମାନଙ୍କ ଗାଡ଼ିଚାଳନାରେ ରୋକ ଲଗାଇବା, ରାସ୍ତାରେ ଗାଇଗୋରୁଙ୍କ ଦୁର୍ଦ୍ଦଟଣାରେ ମୃତାହତ, ଅବୈଧ ନିର୍ମାଣ ଆଦି ଉଚ୍ଛେଦ , ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା ସଂପର୍କରେ ସଦସ୍ୟ ମାନେ ଆଲୋଚନା କରିଥିଲେ ।

ଗତ ଜୁଲାଇ ମାସରେ ୩୦ଟି ଦୁର୍ଘଟଣା ଘଟି ମୋଟ ୨୫ ଜଣ ଆହତ ହୋଇଥିବା ବେଳେ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆର. ଟି. ଓ. ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ଚ଼ଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୨୧୫୦ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇ ଥିବା ବେଳେ ଗତ ଜୁଲାଇ ମାସରେ ୧୦୧୮ଜଣଙ୍କୁ ଜୋରିମାନା କରାଯାଇଛି ବୋଲି ସେ ସୂଚ଼ନା ଦେଇଥିଲେ । ଏହି ଅବସରରେ, ଦୁର୍ଦ୍ଧଟଣା ଗ୍ରସ୍ତ ମାନଙ୍କୁ ଉଦ୍ଧାର କରିଥିବା ଷଣ୍ଢପଶିପାଟଣା (ଗନ୍ଦିଆ ) ର ମଦନ ରାଉତ, ପୋରୁଆଖୋଜ (ଗନ୍ଦିଆ ) ର ବଳରାମ ପରିଡ଼ା ଏବଂ ପାଳଗାଣ୍ଡୁଆ (ଗନ୍ଦିଆ ) ର ସଂଜୟ ପରିଡାଙ୍କୁ ଗୁଡ୍ ସମରିଟାନ ଭାବେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ଜାତୀୟ ରାଜପଥରେ ହେଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. (ପ୍ରୋବେସନ୍ ) ସୁଧା ଚୈହାନ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *