ଅତି ପୁରାତନ ପ୍ରସିଦ୍ଧ ରାଧାକାନ୍ତ ମଠର ମହନ୍ତ ଭାବେ ଦାୟିତ୍ୱ ନେଲେ ଗୋପାଳ ଦାସ
ପାରଳାଖେମୁଣ୍ଡି, 8/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଅବସ୍ଥିତ ଅତି ପୁରାତନ ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜମାନଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବତନ ମହନ୍ତ ରାଧାଚରଣ ଦାସଙ୍କ ବିୟୋଗ ପରେ ଦୀର୍ଘଦିନ ଧରି ରାଧାକାନ୍ତ ମଠରେ ସ୍ଥାୟୀ ମହନ୍ତ ନଥିବାରୁ ମଠର ପରିଚାଳନାକୁ ନେଇ ଅନିଶ୍ଚିତତା ରହିଥିଲା। ମଠ ପରିଚାଳିତ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂର୍ବରୁ କାଶୀନଗର ମହନ୍ତ ମହାରାଜଙ୍କୁ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ସ୍ଥାୟୀ ଭାବେ ମହନ୍ତ ଦାୟିତ୍ୱ ଗ୍ରହଣ ହୋଇନଥିଲା। ଏହି ପରିପ୍ରେକ୍ଷୀରେ ଆଜି ଏକ ବିଶେଷ ଧାର୍ମିକ ଓ ପରମ୍ପରାଗତ ପ୍ରକ୍ରିୟା ମଧ୍ୟରେ ଗୋପାଳ ଦାସଙ୍କୁ ରାଧାକାନ୍ତ ମଠର ମହନ୍ତ ମହାରାଜ ଭାବେ ଉତ୍ତରାଧିକାରୀ ତଥା ଚେଲା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସହ ପୁରୀ ରାଧାକାନ୍ତ ମଠର ମହନ୍ତ ମହାରାଜ, ପାରଳାଖେମୁଣ୍ଡି ମହନ୍ତ ମହାରାଜ, ରେକିଲି ମହନ୍ତ, ଶ୍ରୀକାକୁଲମ ମହନ୍ତ, ଚଙ୍ଗୁଡ଼ି ମହନ୍ତଙ୍କ ସମେତ ବିଭିନ୍ନ ମଠର ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଗୋପାଳ ଦାସ ମହନ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମଠର ଧାର୍ମିକ ପରମ୍ପରା, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ମଠ ପରିଚାଳିତ ବିଦ୍ୟାଳୟର କାର୍ଯ୍ୟକୁ ସୁଚାରୁ ଭାବେ ଚଳାଇବା ନେଇ ଆଶା ପ୍ରକାଶ ପାଇଛି। ଗୋପାଳ ଦାସଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ସ୍ଥାନୀୟ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି.
ଅବସରପ୍ରାପ୍ତ ଏସବିଆଇ ଅଫିସରଙ୍କ ପତ୍ନୀଙ୍କ ବିୟୋଗ
ପାରଳାଖେମୁଣ୍ଡି, 8/8(ତାରିଣୀ ପ୍ରସାଦ ପଣ୍ଡା):
ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ରହୁଥିବା ପୂର୍ବତନ ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆର ଅଧିକାରୀ ହରିମୋହନ ପଟ୍ଟନାୟକଙ୍କ ପତ୍ନୀ ଲତିକା ପଟ୍ଟନାୟକଂକ ଗତକାଲି ସନ୍ଧ୍ଯାରେ ବିୟୋଗ ଘଟିଛି। ସେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଂକୁ ୫୯ ବର୍ଷ ହୋଇଥିଲା।ତାଂକର ଅକାଳ ବିୟୋଗରେ ଏସବିଆଇର ପୂର୍ବତନ କର୍ମକର୍ତ୍ତା ଅନାଦି ପାଣିଗ୍ରାହୀ,ଶିବପ୍ରସାଦ ପଟ୍ଟନାୟକ, କୃଷ୍ଣପ୍ରସାଦ ପାତ୍ର, ସତ୍ୟନାରାୟଣ ପଣ୍ଡା, କୈଳାଶ ମୋହନ ପାଠୀ,ଉମାପ୍ରସାଦ ନାୟକ,ସାରଳା ପଟ୍ଟନାୟକ ଗୋକୁଳୀ ପାଇକ,ଧର୍ମରାଜ ନାଏକ ତଥା ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନ ଯଥା:- ଉତ୍କଳ ହିତୈଷିଣୀ ସମାଜ, ପ୍ରଗତି ମହିଳା ସଂଗଠନ,ଭକ୍ତି ସଂଗୀତ ସଂସଦ,ନିତ୍ୟାନନ୍ଦ ପାଠାଗାର,କ୍ରିୟେଟିଭ୍ ଆର୍ଟସ୍, ନିୟତି,ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର,ଆକାଂକ୍ଷା ମହିଳା ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଗଜପତି ଜିଲ୍ଲା ତଥା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତାଗଣ ଦିଗନ୍ତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ହରିମୋହନ ପଟ୍ଟନାୟକ ଓ ତାଂକର ପରିବାରବର୍ଗଂକୁ ସମବେଦନା ଜଣାଇଛନ୍ତି।
ଗଜପତି : ଦଶମ ଶ୍ରେଣୀ ପାଠ ଛାଡି ଅସହାୟ ବାପାଙ୍କ ସେବାରେ ପୁଅ…. ଆଧାରକାର୍ଡ ମିଳି ନଥିବା ଯୋଗୁଁ ଦୁଃଖ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, 8/8(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି. 75 % ଭିନ୍ନକ୍ଷମ ଥିବା ଅସହାୟ ବାପାଙ୍କ ସେବା ପାଇଁ ଦଶମ ଶ୍ରେଣୀ ପାଠ ଛାଡି ସାହା ହୋଇଛି ଏକମାତ୍ର ପୁଅ. ହେଲେ ଆଧାରକାର୍ଡ ହୋଇପାରିନଥିବା ଯୋଗୁଁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ନପାଇ ଏମାନେ ବହୁ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ ହୋଇଛି. ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଛେଲାଗଡ଼ ଗ୍ରାମର ଖ୍ରୀଷ୍ଟିଆନ ସାହିରେ. ଏହି ସାହିରେ ବାସ କରୁଥିବା ଇଶାକ ଲିମ୍ମା. ସେ ଗତ 17 ବର୍ଷ ଧରି 75% ଭିନ୍ନକ୍ଷମ ହୋଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି. ତାଙ୍କର ଏକମାତ୍ର ପୁଅ ଦଶମ ଶ୍ରେଣୀ ପାଠ ଛାଡି ବାପାଙ୍କ ସେବାରେ ନିଜକୁ ଉତ୍ସଗ କରିଛି. ଏମାନଙ୍କ ଏକ ପୁରାତନ ଘର ରହିଛି. ଏହି ଘରେ ସରକାରଙ୍କ ଠାରୁ ମିଳୁଥିବା ସାହାର୍ଯ୍ୟ ମାତ୍ର କିଛି ଟଙ୍କା ଆଉ ଚାଉଳରେ ଏହି ଦୁଇ ପ୍ରାଣୀ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତଉଛନ୍ତି. ଏମାନଙ୍କ ଆଧାରକାର୍ଡ ହୋଇପାରୁନଥିବା ଯୋଗୁଁ 75% ଭାଗ ଭିନ୍ନକ୍ଷମ ଥାଇ ସୁଦ୍ଧା ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଆଦି ପାଇପାରୁନାହାନ୍ତି. ଗ୍ରାମବାସୀମାନେ ଏହି ଅସହାୟ ଦୁଇ ପ୍ରାଣୀଙ୍କୁ ଅନେକ ଥର ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ତଥାପି ଏମାନଙ୍କ ଦୁଃଖ କଷ୍ଟ ଦୂର ହୋଇପାରୁନାହିଁ. ଏଭଳି ଅସହାୟଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଓ ଚିକିତ୍ସା ସୁବିଧା ପାଇଁ ପ୍ରଶାସନ ଓ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଅତି ତୁରନ୍ତ ଆଧାରକାର୍ଡ଼ ଦେବା ପାଇଁ ପଦକ୍ଷେପ ନିଆ ଯାଉ ବୋଲି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି.












Leave a Reply