Spread the love

ଝାରସୁଗୁଡ଼ା : ଜିଲ୍ଲା ପ୍ରଶାସନର ବେଆଇନ୍ ମଦ ବିକ୍ରି ବିରୋଧରେ ବ୍ୟାପକ ପଦକ୍ଷେପ; ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ..

ଝାରସୁଗୁଡ଼ା କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ର ଜାତୀୟ ରାଜପଥ କଡ଼ ଢାବାରେ ନିୟମିତ ଚଢ଼ାଉ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଝାରସୁଗୁଡ଼ା ଜିଲ୍ଲା ର ମାରକୁଟା ଗ୍ରାମର ୩ଟି ଢାବାରୁ ମଦ ଜବତ ସହ ୩ ଗିରଫ କରାଯାଇଛି l

ଝାରସୁଗୁଡ଼ା ଜିଲ୍ଲା ଜାତୀୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକରେ ବେଆଇନ୍ ମଦ ବିକ୍ରି ଯୋଗୁଁ ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ବାରମ୍ବାର ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏହା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ଏହିଭଳି କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ଚଢ଼ାଉକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିୟମିତ ଭାବେ ଏହାର ସମୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏହି ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ, ଖାଦ୍ୟ ନିରାପତ୍ତା ଅଧିକାରୀ, ରାଜସ୍ୱ ନିରୀକ୍ଷକ, ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି l ଏହି କ୍ରମରେ ଆଜି ଝାରସୁଗୁଡ଼ା ଅବକାରୀ ଟିମ୍ ଦ୍ୱାରା ଖାଦ୍ୟ ନିରାପତ୍ତା ଅଧିକାରୀ, ଆର.ଆଇ. ଏବଂ ମାରକୁଟା ଜି.ପି. ର ପି.ଇ.ଓ. ଙ୍କ ସହଯୋଗରେ ମାରକୁଟା ଗ୍ରାମର ୩ଟି ଢାବାରେ ମିଳିତ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉ ସମୟରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ବିଦେଶୀ ମଦ, ବିୟର ଏବଂ ଓ.ଏସ୍. ଲିକର ଜବତ କରାଯାଇଛି l ଜବତ ସାମଗ୍ରୀ ଅନୁଯାୟୀ, ଅଭିଯୁକ୍ତ ରଥ ଓରାମଙ୍କ ଠାରୁ ୧୧ ଲିଟର ବିଦେଶୀ ମଦ, ଅଭିଯୁକ୍ତ ସୁଶାନ୍ତ କୁଜୁରଙ୍କ ଠାରୁ ୧୧ ଲିଟର ବିୟର ଓ ୪ ଲିଟର ବିଦେଶୀ ମଦ ଏବଂ ଅଭିଯୁକ୍ତ ବିରେନ୍ଦ୍ର ଓରାମଙ୍କ ଠାରୁ ୧୫ ଲିଟର ମଦ ଜବତ କରାଯାଇଛି l ଏତଦ୍‌ବ୍ୟତୀତ, ଚଢ଼ାଉ ବେଳେ ଖାଦ୍ୟ ନିରାପତ୍ତା ଅଧିକାରୀ ଢାବାଗୁଡ଼ିକରେ ଥିବା ଅସ୍ୱାସ୍ଥ୍ୟକର ଓ ପଚାସଢ଼ା ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିବା ସହ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୦,୦୦୦/- ଟଙ୍କାର ଜରିମାନା ଆଦାୟ କରିଛନ୍ତି l ଗିରଫ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି l ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ଘଟଣାର ସଠିକ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଉକ୍ତ ଢାବାଗୁଡ଼ିକର ମାଲିକାନା ସମ୍ପର୍କିତ ତଥ୍ୟ ପାଇଁ ତହସିଲଦାରଙ୍କୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି l

Leave a Reply

Your email address will not be published. Required fields are marked *