ସେଞ୍ଚୁରିଅନ୍ ୟୁନିଭର୍ସିଟିରେ ‘TEJAS’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,4/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘TEJAS (Transforming Entrepreneurial Journeys Across States & Districts)’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ସୋମବାର ସେଞ୍ଚୁରିଅନ୍ ୟୁନିଭର୍ସିଟି (CUTM), ପାରଳାଖେମୁଣ୍ଡି ଅଡିଟୋରିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉଦ୍ୟୋଗୀତା ହେଉଛି ଆତ୍ମନିର୍ଭର ଭାରତ ଗଠନର ମୂଳ ଆଧାର। ଗଜପତି ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଚିନ୍ତାଧାରା ଓ ନବପ୍ରବର୍ତ୍ତନକୁ ସଠିକ୍ ମାର୍ଗଦର୍ଶନ ମିଳିଲେ ସେମାନେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହୋଇପାରିବେ। ଏହି ଏକଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଯୁବ ଉଦ୍ୟୋଗୀ, ନବପ୍ରବର୍ତ୍ତକ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଯୁବକ-ଯୁବତୀମାନେ ଉଦ୍ୟୋଗୀତା ସମ୍ପର୍କିତ ସଚେତନତା, ମେଣ୍ଟରଶିପ୍, ଦକ୍ଷତା ବିକାଶ, ସରକାରୀ ସହାୟତା ଯୋଜନା ଓ ବଜାର ସହ ସଂଯୋଗ ସ୍ଥାପନର ସୁଯୋଗ ପାଇପାରିବେ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କ୍ୟୁଆର୍ (QR) କୋଡ୍ ସ୍କାନ୍ କରି ଅନଲାଇନ୍ ପଞ୍ଜିକରଣର ବ୍ୟବସ୍ଥା କରାଯାଇଥିଲା। ଗଜପତି ସମେତ ଆଖପାଖ ଅଞ୍ଚଳର ଉଦ୍ୟୋଗୀ ହେବାକୁ ଇଚ୍ଛୁକ ଯୁବକ-ଯୁବତୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଓ ନବପ୍ରବର୍ତ୍ତକମାନଙ୍କୁ ଏହି ସୁଯୋଗର ସଦ୍ବ୍ୟବହାର କରିବାକୁ ଆୟୋଜକ ପକ୍ଷରୁ ଆହ୍ୱାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, DPIITର ସିଇଓ ତଥା ଗଜପତିର ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ସେଞ୍ଚୁରିଅନ୍ ୟୁନିଭର୍ସିଟିର ଅଧ୍ୟକ୍ଷ ଡି.ଏନ୍. ରାଓ, ଭାଇସ୍ ଚେୟାରମ୍ୟାନ୍ ମୁକ୍ତିକାନ୍ତ ମିଶ୍ର, ପ୍ରଫେସର ଦୁର୍ଗା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।
ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଶିକ୍ଷାବିଦ୍, ସଫଳ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୟୋଗୀତା ବିକାଶ, ନବପ୍ରବର୍ତ୍ତନ, ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ।
‘TEJAS’ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଉଦ୍ୟୋଗୀତାର ପ୍ରସାର, ନୂତନ ଷ୍ଟାର୍ଟଅପ୍ ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ ଭାବେ ଗଢ଼ି ତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
ଚେନ୍ନାଇରେ ଗଜପତିର ଶ୍ରମିକ ନିଖୋଜ, ଖୋଜିବା ପାଇଁ ବୃଦ୍ଧ ପିତା ମାତା ଗଜପତିରୁ ଚେନ୍ନାଇ ଗଲେ
ପାରଳାଖେମୁଣ୍ଡି, 4/8(ତାରିଣୀ ପ୍ରସାଦ ପଣ୍ଡା ):
ବୃଦ୍ଧ ପିତା ମାତାଙ୍କୁ ପରିପୋଷଣ କରିବା ପାଇଁ ଗଜପତି ଜିଲ୍ଲାରୁ ନିଜ ଭିଟା ମାଟି ଛାଡି ଦାଦନ ଶ୍ରମିକ ଭାବେ
ଚେନ୍ନାଇ ଯାଇଥିବା ଶ୍ରମିକ ନିଖୋଜ ଅଛନ୍ତି. ସେ ଦୀର୍ଘ 2 ମାସ ଧରି ନିଖୋଜ ଥିବା ସହ ତାର କୌଣସି ଖବର ନ ପାଇ ବୃଦ୍ଧ ପିତାମାତା ତାକୁ ଖୋଜିବା ସହ ଗଜପତି ଫେରାଇ ଆଣିବା ପାଇଁ ଚେନ୍ନାଇ ଯାତ୍ରା କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କିରାଆମ୍ବ ଗ୍ରାମର ଜିତୁ ନାୟକ ନିଜ ବୃଦ୍ଧ ପିତା ମାତାଙ୍କୁ ପରିପୋଷଣ କରିବା ପାଇଁ ନିଜ ଘର ଦ୍ୱାର ଛାଡି ବିଗତ 6 ବର୍ଷ ତଳେ ଚେନ୍ନାଇ ଯାଇଥିଲେ. ଚେନ୍ନାଇରେ ଜିତୁ ଏକ ହୋଟେଲରେ ଶ୍ରମିକ ଭାବେ କାମ କରି ପ୍ରତେକ ମାସରେ ତାର ଦରମାରୁ ଅଧା ଟଙ୍କା ନିଜ ବୃଦ୍ଧ ପିତାମାତାଙ୍କୁ ପ୍ରତେକ ମାସରେ ପଠାଉ ଥିଲା. ସେହି ଟଙ୍କାରେ ଜିତୁର ବୃଦ୍ଧ ପିତାମାତା ଗଜପତିର କିରାଆମ୍ବ ଗ୍ରାମରେ ଚଳି ଆସୁଥିଲେ. ହେଲେ ଗତ 2 ମାସରୁ ଉର୍ଦ୍ଧ ସମୟ ହେଲା ଜିତୁ ଠାରୁ କୌଣସି ଫୋନ କଲ ତାର ବୃଦ୍ଧ ପିତାମାତାଙ୍କ ନିକଟକୁ ଆସିନାହିଁ କିମ୍ବା 2 ମାସ ହେଲା ସେ ପଠାଉ ଥିବା ଟଙ୍କା ମଧ୍ୟ ଆସିନାହିଁ. ଗଜପତିରୁ ଜିତୁର ପିତାମାତା ମୋବାଇଲ କଲ କଲେ ଜିତୁର ମୋବାଇଲ ନଂ ରେ ଅନ୍ୟ ଜଣେ କଲ ରିସିଭ କରି ସେଠାରେ ଜିତୁ ନଥିବା ହିନ୍ଦୀରେ କହି କାଟି ଦେଉଥିବା ଅଭିଯୋଗ ହୋଇଛି. ଘଟଣା ନେଇ ଜିତୁର ବୃଦ୍ଧ ପିତା ମାତା ଅତ୍ୟନ୍ତ ଭୟଭୀତ ହୋଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ନିବେଦନ କରିଛନ୍ତି. ଜିତୁକୁ ଫେରାଇ ଆଣିବା ପାଇଁ ଆଜି ତାର ବୃଦ୍ଧ ପିତାମାତା ଗଜପତିରୁ ବାହାରି ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ସମ୍ପୃକ୍ତ ଘଟଣା ନେଇ ଉଦବେଗ ପ୍ରକାଶ ପାଇଛି. ଘଟଣା ନେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.












Leave a Reply