Spread the love

ସଂଗୀତ ସାଧନାରେ ବ୍ରତୀ ଡେଜି

କୋଲକାତା :(ଦର୍ଶନ ସମୀକ୍ଷା)

ସଂଗୀତକୁ ଯିଏ ସାଧନା କରି ଶ୍ରୋତାଙ୍କ ମନକୁ ବାନ୍ଧି ରଖିଥାଏ, ଅନ୍ୟକୁ ହଜାଇ ହଜିବା କଳାକୁ ଯିଏ ପାଥେୟ କରି ସମସ୍ତଙ୍କ ପ୍ରଶଂସା ଓ ଶୁଦ୍ଧାର ପାତ୍ର ସାଜିଥିବା ଅନନ୍ୟ କଳାକାର ହେଉଛନ୍ତି ଡେଜି ସ୍ବାଇଁ । ଜଗନ୍ନାଥ ଜଣାଣ ହେଉ କି ପ୍ରେମର ସଂଗୀତ ତାଙ୍କ ସୁମଧୁର ସ୍ବରରେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି । ହିନ୍ଦୀ, ବଙ୍ଗଳା ସଂଗୀତରେ ସମ ଭାବରେ ପରିବେଷଣ କରି ମଞ୍ଚ କମ୍ପାଇଥାନ୍ତି ସେ । ତାଙ୍କ କଣ୍ଠର ଯାଦୁ ଅନନ୍ୟ। ସେ କେବଳ ସଂଗୀତ ଶିଳ୍ପୀ ନୁହଁନ୍ତି, ନିଜେ ଲିରିକ୍ସ ଲେଖନ୍ତି, ବାଦ୍ୟଯନ୍ତ୍ର ବଜାଇ ବିମୋହିତ କରନ୍ତି ଶ୍ରୋତାଙ୍କୁ। ସେ ହେଉଛତି ଜଗତସିଂହପୁର ଜିଲ୍ଲା ବଡ଼ଲହଙ୍ଗା ଗ୍ରାମର ଡେଜି ସ୍ବାଇଁ।

ତାଙ୍କର ଶୁଭନାମ ମନସ୍ମିତା ସ୍ବାଇଁ। ଡେଜିଙ୍କ ପିତା ସୁଦର୍ଶନ ସ୍ବାଇଁ ଜଣେ କଳାକାର। ଘରେ ବିଭିନ୍ନର ସଂଗୀତ ରେକର୍ଡ ରଖୁଥିଲେ । ବାପା ଘରୁ ହିଁ ନିଜର ସଂଗୀତ ଚର୍ଚ୍ଚା ଆରମ୍ଭ କରନ୍ତି ଡେଜି । ମାତା ସୁଚିତ୍ରା ସ୍ବାଇଁଙ୍କ ସହ ବାପାଙ୍କ ପ୍ରେରଣାରେ ମାତ୍ର ୧୮ ବର୍ଷ ବୟସରେ ସମଗ୍ର ଅଞ୍ଚଳରେ ସେ ଉଦୀୟମାନ କଣ୍ଠ ଶିଳ୍ପୀଭାବେ ନାନା ମଞ୍ଚରେ ସଂଗୀତ ପରିବେଷଣ କରି ପୁଂଶସିତ ଓ ସମ୍ମାନିତ ହୁଅନ୍ତି ।

ସେ ଗୁରୁ ଅଙ୍କୁର ଚରଣ ମହାରଣାଙ୍କ ଠାରୁ ସଂଗୀତ ଶିକ୍ଷାଲାଭ କରନ୍ତି। ଧୀରେ ଧୀରେ ଡେଜି ଓଡିଶାର ବହୁ ପ୍ରତିଷ୍ଠିତ ମଞ୍ଚରେ ସଂଗୀତ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣି ନିଅନ୍ତି । ବହୁ ଭଜନରେ ଡେଜି କଣ୍ଠଦାନ କରିଛନ୍ତି।

ତାନପୁରା, ହାରମୋନିୟମ ବଜାଇବାରେ ଧୁରନ୍ଦର ଡେଜି ନିଜେ ବହୁ ଗୀତ ରଚନା କରିଛନ୍ତି। ଖାଲି ସେତିକି ନୁହେଁ ନିଜ ଅଞ୍ଚଳରେ ସଂଗୀତ ବିଦ୍ୟାଳୟ ଖୋଲି ବହୁ ପ୍ରତିଭାକୁ ସେ ଆଗକୁ ଆଣିଛନ୍ତି। ଏହି କର୍ମକାଣ୍ଡ ଭିତରେ ବୁଡ଼ି ରହିଥ‌ିବା ଡେଜି ସ୍ବାଇଁଙ୍କୁ ବିବେକାନନ୍ଦଙ୍କୁ ବିବାହ କରନ୍ତି। ବିବାହ ପରେ ବେଶ କିଛିଦିନ ସେ ସଂଗୀତ ସାଧନାରୁ ଦୂରେଇ ରୁହନ୍ତି। ହେଲେ ଯାହାଙ୍କ ଜୀବନ ସଂଗୀତ ପାଇଁ ସମର୍ପିତ ସେ କ’ଣ ଚୁପ୍ ହୋଇ ବସିପାରେ।

ସ୍ବାମୀ ବିବେକାନନ୍ଦ ପତ୍ନୀଙ୍କ ମନର କଥା ବୁଝି ପାରନ୍ତି । ସେ ପୁଣି ନୂଆ କରି ସଂଗୀତ ସାଧନାକୁ ଓହ୍ଲାଇବାକୁ ଉତ୍ସାହ ଯୋଗାନ୍ତି। ଦିଲ୍ଲୀରେ ରହଣୀ କାଳରେ ଡେଜି ଆରମ୍ଭ କରନ୍ତି ସଂଗୀତ ସାଧନା। ପୁଣି ସଂଗୀତ କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରି ଶ୍ରୋତାଙ୍କୁ ମତୁଆଲା କରି ତୋଳନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ସଂଗୀତ ଉପହାର ଦିଅନ୍ତୁ। କୋଲକାତା ସହରକୁ ୨୦୧୭ ମସିହାରେ କିଛି ଦିନ ପରେ ବିବେକାନନ୍ଦଙ୍କ ବଦଳି ହୁଏ । ଚିତ୍ତରଞ୍ଜନ କଲୋନୀ ବାଘାଯାତୀନରେ ରହିଲେ । ପୁଣି ଆରମ୍ଭ ହୁଏ ସଂଗୀତର ଘୋଷଯାତ୍ରା । ଏଥର ମଞ୍ଚରେ ସଂଗୀତ ପରିବେଷଣ ସହିତ ତାଙ୍କ କଣ୍ଠରେ ଏଦିନ ଥିଲା ଏ ରାତି ଥୁଲା, ଦିୱାନି କରିଲୁ ମୋର ମନକୁ ଛୁଇଁ, ତୁ ମୋ ଦିଲୱାଲି (ଆଲବମ୍), ମୋ’ ଘରକୁ ଆସିବ ସାଇ, ତୋ ଚକା ଆଖକୁ ଚାହିଁ, ଏହା ପରେ ସବୁଠାରୁ ଏବେ ଭାଇରାଲ ହୋଇଛି ତେଜିଙ୍କ “ସ୍ବର୍ଗଦ୍ବାର’ ସଂଗୀତଟି।

ଖାଲି ସେତିକି ନୁହେଁ ଡେଜି ବଙ୍ଗଳା ସଂଗୀତ “ସ୍ନେହମୟୀ ମା’ ଯାହା ଏସ୍ଏମ୍ ମ୍ୟୁଜିକ ପ୍ରସ୍ତୁତ କରିଛି ତାହା ଏବେ ବହୁତ ହିଟ୍ ହୋଇଛି। ତାଙ୍କ ସୁଲଳିତ କଣ୍ଠରେ ମନମୁଗ୍ଧ ଦର୍ଶକ। ସେ କେବଳ ମଞ୍ଚ କି କ୍ୟାସେଟ୍ ନୁହେଁ ଏବେ ଚଳଚ୍ଚିତ୍ରରେ ଗାଇବାକୁ ଆମନ୍ତ୍ରଣ ପାଇଛନ୍ତି । କୋଲକାତାରେ ବହୁ ବଡ଼ ମଞ୍ଚ ସହିତ ଓଡ଼ିଆ ଅନୁଷ୍ଠାନରେ ସଂଗୀତ ପରିବେଷଣ କରି ପଂଶସିତ। ସଂଗୀତ ରନ୍ ସହ ଶାରଳା ପୀଠରେ ସମ୍ବନ୍ଧିତ । ଡେଜି ଏବେ ସମ୍ଭାବନା ମୟୀ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଉଭା ହୋଇଛନ୍ତି। ତାଙ୍କର ସଂଘର୍ଷ ପାଇଁ ଜଣେ ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି। ସେ ଓଡ଼ିଆ ସଂଗୀତ ଶ୍ରୋତାଙ୍କୁ ଅନେକ କିଛି ଉପହାର ଦେବେ।

Leave a Reply

Your email address will not be published. Required fields are marked *