ନିମାପଡ଼ା ପ୍ରେରଣା ଦିବସ ପାଳିତ
ନିମାପଡ଼ା, ୧୪/୦୫: (ଦର୍ଶନ ସମୀକ୍ଷା)
ନିମାପଡ଼ା ରେ ଜନ୍ମ ହୋଇଥିବା ଓଡ଼ିଶା ର ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶତାବ୍ଦୀର ଯୁଗପୁଋଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ପବିତ୍ର ଶ୍ରାଦ୍ଧ ଦିବସ କୁ ଆଜି ନିମାପଡ଼ାରେ ‘ନିମାପଡ଼ା ପ୍ରେରଣା ଦିବସ’ ଭାବେ ଶହୀଦ୍ ସ୍ମୃତି ସଂସଦ ପ୍ରାଙ୍ଗଣରେ ପାଳନ କରାଯାଇଛି। ଏହି ଅବସରରେ ପ୍ରଥମ ଭବାନୀ ପଟ୍ଟନାୟକ ସେବା ପୁରସ୍କାର -୨୦୨୬ ଗୋପ ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଉତ୍ସର୍ଗ କୁ ପ୍ରଦାନ କରାଯାଇଥିଲା। ଆମ ଓଡ଼ିଶା ଶୀର୍ଷକ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୧୦୦ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦିନେ ମାତ୍ର ବାର ବର୍ଷ ବୟସରେ ଯେଉଁ ପିଲା ଭବାନୀ ଗୁରୁଜୀଙ୍କ କନିଅର ଛାଟ କୁ ଭୂକ୍ଷେପ ନକରି ପଞ୍ଚମ ଜର୍ଜ କି ଜୟ ବଦଳରେ ମହାତ୍ମା ଗାନ୍ଧୀଙ୍କ ଜୟ ଧୋନି ଦେଇ ନିମାପଡ଼ା ବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ସେହି ପିଲା ମାତ୍ର ଅଠର ବର୍ଷ ବୟସରେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ରେ ଗାନ୍ଧିଜୀଙ୍କ ଡାକରାରେ ପାଠ ପଢ଼ା ଛାଡ଼ି ଭାରତ ମୁକ୍ତି ଆନ୍ଦୋଳନ ରେ ଯୋଗଦେଇ ଅଭିବ୍ୟକ୍ତ ପୁରୀ ଜିଲ୍ଲା ରେ ସର୍ବ ପ୍ରଥମେ ବୀର ମାଟି ନିମାପଡ଼ା କୁ ସ୍ୱାଧୀନ ପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ସାହସର ସହ ରକ୍ତମୁଖା ପୋଲିସ ଆଗରେ ଛାତି ପାତି ଦେଇ ନିଜ ଦେଶପ୍ରେମ ର ପରିଚୟ ଦେଇଥିଲା ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶାର ପ୍ରଖ୍ୟାତ ସାହିତିକ ପ୍ରଫେସର ଦାଶ ବେନହୁର କହିଥିଲେ।
ଦେଶ ମାତୃକାର ସେବା ପାଇଁ ହସି ହସି କାରା ବରଣ କରି ନିଜ ଜୀବନର ୩ ବର୍ଷ ୬ ମାସ କାଳ ବ୍ରିଟିଶ ଜେଲର୍ କଳା କୋଠରୀରେ ରହି ଅକଥନୀୟ ନିର୍ଯାତନା ସହିଥିବା ଏହି ଦୃଦ୍ଧଷ ଦେଶ ଭକ୍ତ ନିଜକୁ ଖଟିଖିଆ ମେହନତି ମଣିଷର ସେବା ପାଇଁ ଉତ୍ସର୍ଗ କରିଦେଲା। ଜେଲ୍ ଭିତରେ ଦେଶର ସନ୍ଥ ପୁରୁଷ ନବକୃଷ୍ଣ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଭୂମିପୁତ୍ର ବିଜୁ ବାବୁ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ସଚ୍ଚୋଟ ରାଜନୀତି ଓ ଦେଶ ପ୍ରେମ ର ତାଲିମ ନେଇ ମାଟ୍ରିକ ପାସ କରିନଥିବା ଏହି ସଂଗ୍ରାମୀ ତିନି ତିନି ଥର ରାଜ୍ୟ ସଭାର ସାଂସଦ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ବୋଲି ନିମାପଡ଼ା ଶହୀଦ୍ ସ୍ମୃତି ସଂସଦ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।କଂଗ୍ରେସ ର ସେବା ଦଳ ର ମୁଖ୍ୟ ଭାବେ ସେ ବନ୍ୟା ପ୍ରପୀଡିତଙ୍କ ସେବା କରିବା ଠାରୁ ଆରମ୍ଭ କରି କଳାହାଣ୍ଡି ର ଅନାହାର ପ୍ରପୀଡ଼ିତ ମଣିଷଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ସେ ତାଙ୍କ ର ସବୁ ସମୟ ଓ ସବୁ ଅର୍ଥ ରାଶିକୁ ବିନିଯୋଗ କରିଦେଉଥିଲେ। ନିମାପଡ଼ା ରେ ନାରୀ ଶିକ୍ଷା ର ବିକାଶ ପାଇଁ ବାଳିକା ବିଦ୍ୟାଳୟ ସ୍ଥାପନ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ଉଚ୍ଚଶିକ୍ଷା ପାଇଁ ନିମାପଡ଼ା ମହାବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ନିମାପଡାର ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ତାଙ୍କ ହତଗଢା ସମ୍ପଦ। ଶିକ୍ଷା ଅନୁଷ୍ଠାନଟିଏ ଗଢ଼ିବା ପାଇଁ ସେ ଭିକ୍ଷା ଥାଳି ଧରି ଘର ଘର ବୁଲିବାକୁ ବି କୁଣ୍ଠା ବୋଧ କରୁନଥିଲେ ବୋଲି ସଂସଦର ସମ୍ପାଦକ ଡ଼ ବେଣୁଧର ସେନାପତି କହିଥିଲେ।
ଜୀବନର ଶେଷ ସମୟରେ ବି ସେ ସେବା ଓ ସଙ୍ଗତି ପାଇଁ ଜୀବନର ସବୁ ସମୟ ଓ ପାଉଥିବା ପେନସନ ର ନେବେ ଭାଗ ଦେଇଦେଉଥିଲେ। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଠାରୁ ଆରମ୍ଭ କରି ନିମାପଡ଼ା ଶହୀଦ୍ ସ୍ମୃତି ସଂସଦ ପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ରେ ସେ ସଭାପତି ଭାବେ କାର୍ଯ୍ୟ କରି ଆସିଥିଲେ। ତାଙ୍କରି ପ୍ରଚେଷ୍ଟା ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ, ଇନ୍ଦିରାଗାନ୍ଧୀ, ବିଜୟ ଲକ୍ଷ୍ମୀ ପଣ୍ଡିତ ଓ ପାମେଲା ମାଉଣ୍ଟବ୍ୟାଟନ ଙ୍କ ଭଳି ବ୍ୟକ୍ତି ଆସି ଏହି ଶହୀଦ୍ ସ୍ମୃତି ସଂସଦ କୁ ଉଦ୍ଘାଟନ କରି ନିମାପଡ଼ା କୁ ଗୌରବାନ୍ୱିତ କରିଛନ୍ତି ବୋଲି କହିଥିଲେ ଶିକ୍ଷାବିତ୍ ଶ୍ରୀ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଂସଦର ସଦସ୍ୟ ଶ୍ରୀ ଜୀବନାନନ୍ଦ ମହାପାତ୍ର କହିଲେ ଆଜି ସେ ଆମ ସହିତ ନାହାନ୍ତି ସତ, କିନ୍ତୁ ତାଙ୍କ ପ୍ରେରଣା ଶହ ଶହ ଯୁବ ପ୍ରତିଭାକୁ ଜନ୍ମ ଦେଇଛି। ତାଙ୍କ ବର୍ତ୍ତମାନରେ ଓଡ଼ିଶା ଜଣେ ସଚ୍ଚୋଟ ବର ପୁତ୍ରଙ୍କୁ ହରାଇଛି।
ଭବାନୀ ବାବୁଙ୍କର ସେହି ସ୍ୱପ୍ନର ନିମାପଡ଼ା ଗଠନ ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରି ପାରିଲେ ତାଙ୍କ ଆତ୍ମା ଶାନ୍ତିରେ ବିଶ୍ରାମ ନେବ ବୋଲି ନିମାପଡ଼ା ପ୍ରେରଣା ଦିବସରେ ଯୋଗଦେଇ ଅନ୍ୟାନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ, ପୁର୍ବତନ ଶିକ୍ଷା ଅଧିକାରୀ ଅନିଲ ବିଶ୍ୱାଳ , ଶିକ୍ଷାବିତ୍ ଜଗେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply