ପାରଳାଖେମୁଣ୍ଡି ସେଞ୍ଚୁରିଆନ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା
ପାରଳାଖେମୁଣ୍ଡି, 14/5(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡିରେ ଅବସ୍ଥିତ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ୍ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ପାସ୍ ହାର ସହିତ ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି ।

ସୁଶ୍ରୀ ବନ୍ଦନା ରାଉତ 92.4% ମାର୍କ ସହିତ ସ୍କୁଲ ଶ୍ରେଷ୍ଠ ହୋଇଛନ୍ତି, ତା’ପରେ ସୁଶ୍ରୀ ଅନିତା ରାଜୁ 91.2% ଦ୍ୱିତୀୟ ସ୍ଥାନ ରଖିଥିବା ବେଳେ ସୁଶ୍ରୀ ଅଭିଳାଷା ପାତ୍ର 90% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି। ମୋଟ ତିନି ଜଣ ଛାତ୍ରୀ 90% ରୁ ଅଧିକ ନମ୍ବର ରଖିଛନ୍ତି, ଏଥିସହିତ 12 ଜଣ ଛାତ୍ରଛାତ୍ରୀ 80% ରୁ ଅଧିକ ନମ୍ବର ରଖିଛନ୍ତି, 26 ଜଣ ଛାତ୍ରଛାତ୍ରୀ 70% ରୁ ଅଧିକ ନମ୍ବର ରଖିଛନ୍ତି ଏବଂ 29 ଜଣ ଛାତ୍ରଛାତ୍ରୀ 60% ରୁ ଅଧିକ ନମ୍ବର ରଖିଛନ୍ତି, ଯାହା ଶୈକ୍ଷିକ ଉତ୍କର୍ଷତାର ଏକ ବ୍ୟାପକ ପରିସର ପ୍ରଦର୍ଶନ କରିଛି।
ଛାତ୍ରଛାତ୍ରୀଙ୍କ ସଫଳତାରେ ଗର୍ବ ପ୍ରକାଶ କରି ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପାଧ୍ୟକ୍ଷ ପ୍ରଫେସର ଡି.ଏନ୍. ରାଓ, ବିଦ୍ୟାଳୟର ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ଉପାଧ୍ୟକ୍ଷ ଜେ.କେ. ନାୟକ , ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ
ଏବଂ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କୃତିତ୍ୱ ହାସଲ ପାଇଁ ଅଭିନନ୍ଦନ ଜଣାଇଛନ୍ତି l
ଗଜପତି ପ୍ରଶାସନ ତରଫରୁ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି, ୧୪/୦୫(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ ତରଫରୁ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷାରେ A1 ଗ୍ରେଡ୍ (୬ ଜ ଣ)ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଜିଲ୍ଲାର ୭ଟି ବ୍ଲକର ଶୀର୍ଷ ୩ ଜଣ ସଫଳତା ଅର୍ଜନକାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜିଲ୍ଲାପରିଷଦ ସ୍ଥିତ ଆର୍ ସେ ଟି ଭବନରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲା ପୁନର୍ବାର ସମଗ୍ର ଓଡ଼ିଶାରେ ସର୍ବାଧିକ ପାସ୍ ପ୍ରତିଶତ ୯୯.୩ % ହାସଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସମଗ୍ର ଜିଲ୍ଲାରେ ଗର୍ବ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
କାର୍ଯ୍ୟକ୍ରମର ଶୁଭାରମ୍ଭ ପାରଳାଖେମୁଣ୍ଡି ମହାରାଜା ଗାର୍ଲସ୍ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ଉଦ୍ଘାଟନୀ ସଙ୍ଗୀତ ମାଧ୍ୟମରେ ହୋଇଥିଲା। ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ସମାରୋହରେ ଯୋଗଦେଇଥିବା ଅତିଥିମାନେ ନିଜ ଉଦ୍ବୋଧନରେ କହିଥିଲେ ଯେ, “ଗଜପତି ଆଜି କେବଳ ଏକ ଏସ୍ପିରେସନାଲ ଜିଲ୍ଲା ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଇନପିରେସନାଲ ଜିଲ୍ଲା ଭାବେ ପରିଚିତ ହୋଇଛି।” ଜିଲ୍ଲାର ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପ୍ରୟାସ ଏହି ଅଭୂତପୂର୍ବ ସଫଳତାର ମୂଳ କାରଣ ବୋଲି ସେମାନେ ମତପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଙ୍କ ମାର୍ଗଦର୍ଶନ ରେ ପ୍ରୟାସ “ସୁପର 30” ଦ୍ୱାରା ସଫଳତା ହାସଲ ହେଇଥିବାର ସମସ୍ତ ଅତିଥି ଭୂରି ଭୂରି ପ୍ରଶଂସା କରିଥିଲେ।
ମୁଖ୍ୟ ଅତିଥି ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ଭାଷଣରେ କହିଥିଲେ ଯେ, “ଗଜପତିର ଛାତ୍ରଛାତ୍ରୀମାନେ ଆଜି ପ୍ରମାଣ କରିଛନ୍ତି ଯେ ପରିଶ୍ରମ, ଶୃଙ୍ଖଳା ଓ ସଂକଳ୍ପ ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।” ସେ ଆହୁରି କହିଥିଲେ ଯେ, ଗ୍ରାମାଞ୍ଚଳର ପ୍ରତିଭାମାନେ ଆଜି ରାଜ୍ୟସ୍ତରରେ ଗଜପତିକୁ ଗୌରବାନ୍ୱିତ କରିଛନ୍ତି।

ଅନ୍ୟତମ ଅତିଥି ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ମୋହନ ଶ୍ରୀ ଦାଶରଥି ଗମାଙ୍ଗ ନିଜ ଅଭିଭାଷଣରେ କହିଥିଲେ, “ଏହି ସମ୍ବର୍ଦ୍ଧନା କେବଳ ଛାତ୍ରଛାତ୍ରୀଙ୍କ ସଫଳତାର ଉତ୍ସବ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ମଞ୍ଚ।” ସେମାନେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଜାତି ଗଠନରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ସଭାପତି ଭାବେ ଦାୟିତ୍ୱ ତୁଲାଇବା ସହ ଏହି ରେଜଲ୍ଟ କୁ ନେଇ ଗର୍ବ ପ୍ରକାଶ କରିବା ସହ ଶିକ୍ଷା ବିଭାଗର କୁ ଧନ୍ୟବାଦ ଦେବା ସହ ଉଛାହିତ କରିଥିଲେ ଭବିଷ୍ୟତ ରେ ଆହୁରି ସୁନାମ ଅର୍ଜନ କରିବା ପାଇଁ।
ମାଁ ଗଙ୍ଗାବାହିନୀଙ୍କ ଘଟ ଯାତ୍ରା ସମାପିତ
ପାରଳାଖେମୁଣ୍ଡି, 14/5(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ଅନୁଷ୍ଠିତ ମାଁ ଗଙ୍ଗାବାହିନୀଙ୍କ ଘଟଯାତ୍ରା ସମାପନ ହୋଇଯାଇଛି ।

ଏହି ଯାତ୍ରା ଗ୍ରାମରେ 7 ଦିନ ଧରି ଚାଲିଥିବା ବେଳେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିଲା । ଏଥି ଲାଗି ଗ୍ରାମରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲାବାର କଳାକାରଙ୍କ ଦ୍ବାରା ବିଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସେହିପରି ପ୍ରତ୍ୟହ ସନ୍ଧ୍ୟାରେ ମାଁଙ୍କ ଘଟ ପରିକ୍ରମା କରାଯାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭିଡ ଜମୁଥିଲା । ମାଁଙ୍କ ଦର୍ଶନ ଲାଗି ଏପରିକି ସୀମାନ୍ତ ଆନ୍ଧ୍ର ପ୍ରଦେଶର ବହୁ ଗ୍ରାମାଞ୍ଚଳବାସୀ ଏହି ପୂଜାର୍ଚ୍ଚନାରେ ଯୋଗଦେଉଥିଲେ । ମାନସିକଧାରୀ ମାନେ ଦିନରେ ବିଭିନ୍ନ ବେଶବୁଶାରେ ସଜ୍ଜିତ ହୋଇ ଗ୍ରାମାଞ୍ଚଳ ପରିକ୍ରମା କରୁଥିଲେ । ଏହି ବେଶବୁଶା ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଥିଲା ।
ଗଜପତିରେ ପୁଣି ଦାଦନ ଯନ୍ତ୍ରଣା….. ପ୍ରଶାସନର ସହାୟତା ମିଳିଲାନି, ଲୋକେ ଚାନ୍ଦା କରି ହାଇଦ୍ରାବାଦରୁ ଆଣିଲେ ଶବ ପାରଳାଖେମୁଣ୍ଡି, 14/5(ତାରିଣୀ ପ୍ରସାଦ ପଣ୍ଡା):
ସରକାର ଦାଦନଙ୍କ ଦୁଃଖ ଦୂର କରିବାପାଇଁ କେତେ ଯୋଜନା କଲେ ମଧ୍ୟ ତାହା ଗଜପତି ଜିଲ୍ଲାରେ ଫେଲ ମାରିଛି, ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମରୁ ଦାଦନ ଖଟିବା ପାଇଁ ଯାଇଥିବା ବୁଲା ଗୁରୁ (35) ହାଇଦ୍ରାବାଦ ଠାରେ ମୃତ୍ୟୁବରଣ କରିଥିଲେ. ଆର୍ଥୀକ ଅନାଟନରେ ଥିବା ମୃତକ ଶ୍ରମିକଙ୍କ ପରିବାର ହାଇଦ୍ରାବାଦରୁ ଶବ ଫେରେଇ ଆଣିବାରେ ଅକ୍ଷମ ବୋଲି ପ୍ରଶାସନକୁ ଜଣାଇ ଅଞ୍ଚଳବାସୀ ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ.

ହେଲେ ପ୍ରଶାସନ ଶୁଣିଲାନି. ଗ୍ରାମବାସୀ ଏବଂ ହାଇଦ୍ରାବାଦରେ କାର୍ଯ୍ୟରତ ଶ୍ରମିକମାନେ ଚାନ୍ଦା କରି ଏକ ଭଡା ଗାଡ଼ିରେ ମୃତ ଶ୍ରମିକଙ୍କ ଶବକୁ ଗଜପତି ଆଣିଲେ. ଗତକାଲି ଶୋକାକୁଳ ପରିବେଶରେ ଶବକୁ ସତ୍କାର କରାଯାଇଛି. ମୃତ ଶ୍ରମିକଙ୍କ ଦୁଇ ଛୋଟ ପୁଅଙ୍କ ସହ ପତ୍ନୀ ରହିଛନ୍ତି. ବର୍ତ୍ତମାନ ଏମାନେ ଅନାଥ ହୋଇ ପଡିଛନ୍ତି ବୋଲି ଅଭିଯୋଗ କରି ସମ୍ପୃକ୍ତ ପରିବାରକୁ ବଂଚିବା ପାଇଁ ସରକାରୀ ସାହାର୍ଯ୍ୟ ଦିଆଯାଉ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି.












Leave a Reply