ନେତା ଓ ନେତୃତ୍ଵ ସଙ୍କଟ ପାଇଁ ଗଞ୍ଜାମ କଂଗ୍ରେସ ଦିଗହରା -ରବି ରଥ ବରିଷ୍ଠ ସାମ୍ୱାଦିକ, ବ୍ରହ୍ମ୍ଠପୁର

Spread the love

ନେତା ଓ ନେତୃତ୍ଵ ସଙ୍କଟ ପାଇଁ ଗଞ୍ଜାମ କଂଗ୍ରେସ ଦିଗହରା

ବ୍ରହ୍ମପୁର : ଦର୍ଶନ ସମୀକ୍ଷା

ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନରେ ସଫଳତା ପାଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ସାରା ଭାରତ ବର୍ଷରେ କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵକୁ ସାରା ଭାରତ ବର୍ଷ ସ୍ଵୀକାର କରୁଛି ।

ଏହି ସମୟରେ ଓଡ଼ିଶାର କଂଗ୍ରେସ ସର୍ବମାନ୍ୟ ନେତା ତଥା ସଭାପତି ଭକ୍ତ ଚରଣ ଦାସ ଦାୟିତ୍ଵ ନେବା ପରେ ମୃତ କଂଗ୍ରେସ ସଂଗଠନକୁ କ୍ରୀୟାଶିଳ କରି ରାଜ୍ୟରେ ନୂତନ ଦିଗଦର୍ଶନ ଦେଖାଇ ପାରିଛନ୍ତି । ରାଜ୍ୟର ବିଭିନ୍ନ ଜିଲାରେ ଭକ୍ତଙ୍କ ନେତୃତ୍ଵ ପ୍ରତି ସମର୍ଥନ ବଢ଼ୁଥିବା ବେଳେ ଗଞ୍ଜାମର ନେତୃତ୍ଵ ସବୁଠାରୁ ଦୁର୍ବଳ ବୋଲି ଜଣାପଡ଼ିଛି । ସଂଗଠନର ଦାୟିତ୍ଵ ସମ୍ଭାଳିବା ପାଇଁ ଉପଯୁକ୍ତ ନେତା ଥିବା ସତ୍ତ୍ୱେ ଜଣେ ଜନ ସମ୍ପର୍କ ନଥିବା ନେତାଙ୍କୁ ଦାୟିତ୍ଵ ଦେଇଥିବାରୁ ସଂଗଠନ କ୍ରୀୟାଶୀଳ ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବିଶେଷ କରି ପ୍ରମୁଖ ଦଳ କୁହାଯାଉଥିବା ବିଜେପି, ବଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବା ସ୍ପଷ୍ଟ ଜଣାଯାଇଛି। ହେଲେ ରାଜ୍ୟରେ ବିଜେପି ଓ ବିଜେଡିର ସ୍ଥିତି ବରାବର ରହିଥିବା ବେଳେ କଂଗ୍ରେସ ସ୍ଥିତି ସଂପୁର୍ଣ ଦୃର୍ବଳ ହୋଇପଡିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଗଞ୍ଜାମଜିଲ୍ଲା ସମସ୍ତ ନିର୍ବାଚନରେ ଅଧିକ ସଫଳତା ହାସଲକରି ରାଜ୍ୟ ରାଜନୀତିରେ ନିଜ ଦବଦବା ବଜାଇ ରଖିଆସୁଥିଲା। କିନ୍ତୁ ଏହି ଦଳ ଏବେ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଛି। ଏଥିପାଇଁ ଜିଲ୍ଲା ସଂଗଠନ ପ୍ରତି ରାଜ୍ୟ ନେତୃତ୍ବଙ୍କ ଅଣଦେଖା ଓ ଅବହେଳା ସାଙ୍ଗକୁ ଆନ୍ତରିକତାର ଅଭାବକୁ ଦାୟୀ କରାଯାଇଛି। ଉପଯୁକ୍ତ ନେତା ଓ ନେତୃତ୍ଵ ଅଭାବରୁ ଦଳ ରସାତଳକୁ ଚାଲିଯାଇ ଦିଗହରା ହୋଇପଡିଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ଦଳକୁ ସଂଜୀବନୀ ଦେଇଆସୁଥିବା ନେତା ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା 2019 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରି ବିଜେଡିକୁ ଚାଲିଯିବା ଏବଂ ଶେଷରେ ଚଳିତ ବର୍ଷର ରାଜ୍ୟସଭା ନିର୍ବାଚନ ପରେ ଜିଲ୍ଲାର ଏକମାତ୍ର ବିଧାୟକ ରମେଶ ଜେନାଙ୍କୁ ଦଳ ନିଲମ୍ବିତ କରିଥିବାରୁ ରାଜ୍ୟ କଂଗ୍ରେସ ମାନଚିତ୍ରରୁ ଗଞ୍ଜାମ ଜିଲ୍ଲା ନିଶ୍ଚିହ୍ନ ହୋଇ ଯାଇଛି। ଅତୀତରେ ବ୍ରହ୍ମପୁର ଲୋକସଭା ଆସନରୁ ଆର. ଜଗନ୍ନାଥ ରାଓ, ଗୋପୀନାଥ ଗଜପତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ, ଜୟନ୍ତୀ ପଟନାୟକ କଂଗ୍ରେସ ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ 2004 ରେ ଚନ୍ଦ୍ରଶେଖର ସାହୁ ଶେଷଥର ପାଇଁ ଦଳୀୟ ସାସଂଦ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ବିଧାନସଭା କ୍ଷେତ୍ରରେ ମଧ୍ୟ ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି। ଗତ କିଛି ବର୍ଷ ହେଲା ନିର୍ବାଚନ ସମୟରେ ଦଳ ପୁରୁଣା ପ୍ରାଥୀ ଙ୍କୁ ବଦଳାଇ ନୁଆଁ ପ୍ରାର୍ଥୀ ଦେଇଆସୁଛି। ଯାହାଫଳରେ ଦଳୀୟ କର୍ମୀ ଓ ଭୋଟରମାନେ ଅଜଣା ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ଅମଙ୍ଗ ହେଉଛନ୍ତି।

ବ୍ରହ୍ମପୁର ବିଧାନସଭା ଆସନ 1967 ଠାରୁ 1990 ପର୍ଯ୍ୟନ୍ତ କଂଗ୍ରେସ ହାତରେ ଥିଲା। 1990ରେ ଏଠାରେ ଶିବଶଙ୍କର ସାହାଣୀ ଶେଷ କଂଗ୍ରେସ ବିଧାୟକ ହୋଇଥିବା ବେଳେ 1995ରୁ ଏହି ଆସନ ବିରୋଧୀ ହାତକୁ ଚାଲିଯାଇଛି। 2004ରେ ତ୍ରିନାଥ ବେହେରା ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଶେଷ ଥର ପାଇଁ କଂଗ୍ରେସ ରବିଧାୟକ ହୋଇଥିଲେ। ସେହି ଦିନ ଠାରୁ ଏଠାରେ ପ୍ରତି ନିର୍ବାଚନ ରେ ଦଳ ପ୍ରାର୍ଥୀ ବଦଳାଉଛି। ଫଳରେ 2024 ନିର୍ବାଚନବେଳକୁ ଦଳର ଭୋଟ 3361 ରେ ପହଁଚିଛି। ଛତ୍ରପୁରରେ କଂଗ୍ରେସ ବିଭିନ୍ନ ନିର୍ବାଚନ ରେ ଅନ୍ୟ ଦଳ ସହ ମେଣ୍ଟକରି ଏହି ଆସନକୁ ହାତଛଡା କରିଛି। 1995ରେ ଏଠାରୁ ଦୈତାରୀ ବେହେରା କଂଗ୍ରେସ ର ଶେଷ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 2004ରେ ଏହି ଆସନରେ କଂଗ୍ରେସର ଭୋଟ 7168 ରହିଛି।

ଚିକିଟି ନିର୍ବାଚନ ମଣ୍ଡଳୀରେ 1985 ମସିହାରେ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ଵାନସାମନ୍ତରା ଶେଷ ଥର ପାଇଁ ବିଜୟୀ ହୋଇଥିବା ବେଳେ ଗତ 2024 ନିର୍ବାଚନରେ ଏଠାରେ ଦଳର ଭୋଟ ସଂଖ୍ୟା 2896କୁ ଖସିଆସିଛି। 2008 ରେ ରାଜ୍ୟରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ହେବାପରେ ଦିଗପହଣ୍ଡିକୁ ନୁଆଁ ନିର୍ବାଚନ ମଣ୍ଡଳୀ ମାନ୍ୟତା ମିଳିଛି। 2014 ରେ ପରାଜିତ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର 33052 ଭୋଟପାଇ ଦ୍ଵିତୀୟ ସ୍ଥାନରେ ଥିବାବେଳେ 2024 ବେଳକୁ କଂଗ୍ରେସ ଦଳ ଟିକେଟ ଦେବାରେ ଚଞ୍ଚକତା କରିବା ଯୋଗୁଁ ଏହି ଭୋଟ 10 ହଜାରକୁ ଖସି ଆସିଛି। ଯାହାକି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ । ଉଲ୍ଲେଖ କରାଯାଇପାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଯଥା ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡି ରୁ ମାତ୍ର 28 ହଜାର ଭୋଟ ପାଇଥିଲେ ।
ଏଠାରେ ମଧ୍ୟ ଦଳ ବାରମ୍ବାର ପ୍ରାଥୀ ବଦଳାଇ କ୍ଷତି ସହୁଛି। ପାରଳାଖେମୁଣ୍ଡି ଓ ମୋହନାରେ ରେ କଂଗ୍ରେସ ସ୍ଥିତି ବିଶେଷ ଖରାପ ନଥିବା ଜାଣିବାକୁ ମିଳିଛି। ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟ ପଟନାୟକଙ୍କ ଅସୁସ୍ଥତା କାରଣରୁ ପାରଳାଖେମୁଣ୍ଡି ଆସନ କଂଗ୍ରେସ ହାତେଇବାରେ ଅସମର୍ଥ ହୋଇଛି। ତେବେ ମୋହନା ଆସନରେ କ୍ରମାଗତ ଦୁଇଥର ବିଜୟୀ ହୋଇଆସୁ ଥିବା କଂଗ୍ରେସ ବିଧାୟକ ଦଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ବନ କରିଛି। ଏଣୁ ଆଗାମୀ ନିର୍ବାଚନରେ ଦଳ ଉପରେ ଏହାର ପ୍ରଭାବ ପଡିବା ନରି ଆଶଙ୍କା ଦେଖାଦେଇଛି। ବ୍ରହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ବ ରଶ୍ମୀ ରଞ୍ଜନ ପଟନାୟକକୁ ଦିଆଯାଇଛି। ଲୋକସଂପର୍କ ରକ୍ଷା ଦିଗରେ ସେ ସଂପୁର୍ଣ ବିଫଳ ହୋଇଥିବା ନେଇ ହାଇକମାଣ୍ଡଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ଗତ ଛାତ୍ର ସଂସଦ ନିର୍ବାଚନୀରେ ମଧ୍ୟ ସାରା ରାଜ୍ୟର ବିଭିନ୍ନ କଲେଜରେ ଦଳ ପକ୍ଷରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବା ବେଳେ ଜିଲା କଂଗ୍ରେସ ପକ୍ଷରୁ କୌଣସି କଲେଜରେ ପ୍ରାର୍ଥୀ ଦିଆଯାଇନଥିଲା । କେବଳ ବିନାୟକ ଆଚାର୍ଯ୍ୟ କଲେଜ ଓ ଭିଷ୍ମଗିରି କଲେଜରେ କିଛି ପ୍ରାର୍ଥୀ ଦିଆଯାଇଥିଲା ।
ଗତ 4 ନଭେମ୍ୱରରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ 100ରୁ ଊର୍ଦ୍ଧ୍ଵ କଂଗ୍ରେସ ନେତା, କର୍ମୀ ଭୁବନେଶ୍ଵରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ ଦାସଙ୍କୁ ସାକ୍ଷାତ ଆଲୋଚନା କରି ସାଂଗଠନିକ ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଇ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଗୁରୁତ୍ଵ୍ଜାରୋପ କରିଥିଲେ । ଏ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ କଂଗ୍ରେସ ସଂଗଠନ ରସାତଳଗାମୀ ହୋଇପଡ଼ିବ ବୋଲି ଦୋହରାଇଥିଲେ ।
ଅର୍ଣ୍ଣବ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ଓ କ୍ଷତିଗ୍ରସ୍ତ ଲୋକଙ୍କ ସାକ୍ଷାତ ପାଇଁ ପିସିସି ସଭାପତି ଶ୍ରୀ ଦାସ ଗତ 5, 6 ଓ 7 ନଭେମ୍ୱରରେ ଗଞ୍ଜାମ ଓ ଗଜପତି ଜିଲା ଗସ୍ତ କରିଥିଲେ । ଏହି ସମୟରେ 5 ନଭେମ୍ୱରରେ ଛତ୍ରପୁର ଠାରେ ଗଞ୍ଜାମ ଜିଲା (ପୂର୍ବ) ସଭାପତିଙ୍କ ବିରୋଧରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଏବଂ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ଵରେ ବହୁ ନେତା, କର୍ମୀ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଗାମୀ ଦିନରେ ପିସିସି କଣ ପଦକ୍ଷେପ ନେବ ଆଗାମୀ ଦିନରେ ଜଣାପଡ଼ିବ ।
ସେହିଭଳି ଜିଲ୍ଲାର ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ସ୍ଥିତି ଦ୍ଵଖିବାକୁ ମିଳିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପୋଲସରା ବିଧାନସଭା ଆସନରୁ 2024 ନିର୍ବାଚନ ରେ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 2014 ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀଭାବେ ଲଢ଼ି 44539 ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିବାବେଳେ ଆଜି କଂଗ୍ରେସ ଭୋଟ ହ୍ରାସ ପାଇ 3763କୁ ଆସିଯାଇଛି। କବିସୂର୍ଯ୍ୟନଗରରେ ମଧ୍ୟ 1995ରେ ହରିହର ସ୍ଵାଇଁ ଙ୍କ ପରେ ଆଉ କେହି କଂଗ୍ରେସରୁ ବିଧାୟକ ଜିତିନାହାନ୍ତି। 2024ରେ କଂଗ୍ରେସ ପ୍ରାର୍ଥୀ ମାତ୍ର ମାତ୍ର 2696 ଭୋଟ ପାଇଛନ୍ତି। ଖଲିକୋଟ ରେ 1980 ପରେ ଆଇ କେହି କଂଗ୍ରେସ ବିଧାୟକ ଜିତିନାହାନ୍ତି। ସେହିଭଳି 1985ରେ ଭଞ୍ଜନଗରରୁ ଉମାକାନ୍ତ ମିଶ୍ର, 1995 ରେ ଆସିକାରୁ ଉଷାରାଣୀ ପଣ୍ଡା ଓ ହିଞ୍ଜିଳିରୁ ଉଦୟ ନାୟକ ଏବଂ 2000 ନିର୍ବାଚନରେ ସୋରଡ଼ାରୁ ଉଷାରାଣୀ ପଣ୍ଡା ଶେଷ ଥର ଲାଗି କଂଗ୍ରେସ ବିଧାୟକ ଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ସବୁ ଆସନରେ କଂଗ୍ରେସ ଖାତା ଖୋଲି ପରନି। ବରଂ ଏହି ସବୁ ନିର୍ବାଚନ ମଣ୍ଡଳୀରେ ଦଳର ଭୋଟ ସଂଖ୍ୟା ଏବେ 3 ରୁ 5 ହଜାରେ ରହିଛି। ଜିଲ୍ଲାରେ ଏବେ ସକ୍ରିୟ ପୁରୁଣା ନେତା କେହି ନାହାନ୍ତି। ନୁଆଁ ନେତା ଲୋକଙ୍କ ପାଖରେ ଗ୍ରହଣୀୟ ହେଉନାହାନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ ହେବାକୁ ଯାଉଥିବା ପଞ୍ଚାୟତ ଓ ଅର୍ବାନ ନିର୍ବାଚନ ମୁକାବିଲା ପାଇଁ ପିସିସି ସଭାପତି କିଭଳି ରଣ ନୀତି ଆପଣାଇବେ ତାହାନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ରବି ରଥ, ବରିଷ୍ଠ ସାମ୍ୱାଦିକ, ବ୍ରହ୍ମ୍ଠପୁର