ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି, ୩.୧୧(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆଜି ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଦଳ ଜିଲ୍ଲା ପରିଦର୍ଶନ କରିଥିଲେ। ଦଳରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ଧାନ ବିକାଶ ପାଟଣା ନିର୍ଦ୍ଦେଶକ ଡ.ମାନସ ସିଂ, କେନ୍ଦ୍ରୀୟ ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ଶ୍ରୀ ରାହୁଲ ଚୌରସିଆ, ଜଳଶକ୍ତି ମନ୍ତ୍ରଣାଳୟ CWC ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ଜେନା, ଶକ୍ତି ବିଭାଗ, ସିଇଏ ଆର.କେ ପୁରମ ନୂଆଦିଲ୍ଲୀ ଉପନିର୍ଦ୍ଦେଶକ ଶ୍ରୀ କରଣ ସରେନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଭୁବନେଶ୍ୱର ଶ୍ରୀ ସୁନୀଲ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ ନୂଆଦିଲ୍ଲୀ ଶ୍ରୀ ଅଜୟ କୁମାର ସାହୁ ଏବଂ ଜାତୀୟ ସୁଦୂର ସମ୍ବେଦନ କେନ୍ଦ୍ର (NRSC), ISROର ବୈଜ୍ଞାନିକ ଶ୍ରୀ ସି. ସାଇ କ୍ରିଷ୍ଣା ଉପସ୍ଥିତ ଥିଲେ।
ଏହି ଅବସରରେ ଇଡ୍କୋର ମୁଖ୍ୟ ଜେନେରାଲ ମ୍ୟାନେଜର ଶ୍ରୀ ସରୋଜ କୁମାର ସାହୁ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରସ୍ତୁତ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ କେନ୍ଦ୍ରୀୟ ଦଳକୁ ବାତ୍ୟା ଜନିତ କ୍ଷୟକ୍ଷତି ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ବାତ୍ୟା ଯୋଗୁଁ ଗଜପତି ଜିଲ୍ଲାର ୧୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୪୭ଟି ୱାର୍ଡର ଗ୍ରାମ ପ୍ରଭାବିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୪୭ଟି ସାମ୍ଭାବ୍ୟ ଭୂସ୍ଖଳନ ଚିହ୍ନଟ କରାଯାଇଥିବା ବେଳେ ୧୩ଟି ବିଭିନ୍ନ ସ୍ଥାନରେ ଛୋଟବଡ଼ ଭୂସ୍ଖଳନ ହୋଇଥିବା ଅବଗତ କରାଯାଇଥିଲା । ସେହିପରି ୧୨୩୨ଟି ଘର ଭାଙ୍ଗିଥିବା ସୂଚନା ଦିଆଯାଇଥିଲା। ବାତ୍ୟା ସମୟରେ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ୩୫,୦୧୪ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଥିଲା।
ଆଜିର ଗସ୍ତ ସମୟରେ କେନ୍ଦ୍ରୀୟ ଦଳ ଗୋସାଣୀ, ରାୟଗଡ଼, ଆର୍.ଉଦୟଗିରି ଓ ମୋହନା ବ୍ଲକ୍ର ବାତ୍ୟା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶେଷକରି କୃଷି, ଫସଲ, ରାସ୍ତାଘାଟ, ବିଦ୍ୟୁତ୍ ଭିତ୍ତିଭୂମି, ଜଳସମ୍ପଦ ଓ ଅନ୍ୟାନ୍ୟ ଜରୁରୀ ସେବା କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ କେନ୍ଦ୍ରୀୟ ଦଳ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ଏବଂ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ। ଏହି ସମୟରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଏକ ଟିମ୍ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଥିବାରୁ କେନ୍ଦ୍ରୀୟ ଦଳ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିଦ୍ର ହୋନନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

ଅର୍ଣ୍ଣବ ବାତ୍ୟାରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା 5 ଦିନ ପରେ ମଧ୍ୟ ମିଳିଲାନି …..
ପ୍ରଶାସନ ଉଦ୍ଧାର କାର୍ଯ୍ୟ ବନ୍ଦ କଲେ, ପରିବାର ଲୋକେ ଟଙ୍କା ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ
ପାରଳାଖେମୁଣ୍ଡି, 3/11(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପ୍ରଳୟଙ୍କର ଅର୍ଣ୍ଣବ ବାତ୍ୟାଜନିତ କାରଣରୁ ନିଖୋଜ ଥିବା ବ୍ୟକ୍ତିଙ୍କ ପତ୍ତା 5 ଦିନ ପରେ ମଧ୍ୟ ମିଳୁନାହିଁ. ବର୍ତ୍ତମାନ ପୁଣି ଆସୁଥିବା ସମ୍ଭାବ୍ୟ ମୁରାସୁକୁ ମୁକାବିଲା କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା କାରଣରୁ ପ୍ରଶାସନ ଗତ 4 ଦିନ ଧରି ଚାଲୁ ରଖିଥିବା ଉଦ୍ଧାର କାର୍ଯ୍ୟକୁ ଆଜିଠାରୁ ବନ୍ଦ କରିଛନ୍ତି. ଅପରପକ୍ଷରେ ନିଖୋଜ ପରିବାରର ଲୋକେ ନିଜସ୍ୱ ଟଙ୍କା ଲଗାଇ ଘରୋଇ ଉଦ୍ଧାରକାରୀଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆଜିଠାରୁ ଆରମ୍ଭ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ପିତାମ୍ବର ବାଢ଼ିଆସାହୁ ଗତ 30 ତାରିଖ ଦିନ ସବୁ ଦିନ ଭଳି
ମହେନ୍ଦ୍ରତନୟା ନଦୀରେ ଗାଧେଇବା ପାଇଁ ଯାଇଥିଲେ. ହେଲେ ଅର୍ଣ୍ଣବ ଜନିତ ପ୍ରବଳ ବର୍ଷାରେ ମହେନ୍ଦ୍ରତନୟା ନଦୀରେ ବନ୍ୟାଜଳ ଆସିବା କାରଣରୁ ଗାଧେଇବା ପାଇଁ ଯାଇଥିବା ଶ୍ରୀ ବାଢ଼ିଆସାହୁ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ. ସେହିଦିନ ଠାରୁ ରାୟଗଡ ବ୍ଲକ ପ୍ରଶାସନ ଦ୍ୱାରା ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ ଗତ 4 ଦିନ ଧରି ଲଗାତାର ଭାବେ ଜାରି ରଖିଥିଲେ. ତଥାପି ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳିଲାନି. ବର୍ତ୍ତମାନ ସମ୍ଭାବ୍ୟ ମୁରାସୁ ବାତ୍ୟାର ମୁକାବିଲା ଓ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ଜରୁରୀକାଳୀନ ଭାବେ ବ୍ଲକ ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା କାରଣରୁ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ 4 ଦିନ ପରେ ବନ୍ଦ ରଖାଗଲା. ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ନିଜସ୍ୱ ଅର୍ଥ ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି. ସମ୍ପୃକ୍ତ ଘଟଣାଟି ରାୟଗଡ ବ୍ଲକ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି.

ଗଜପତି ଜିଲ୍ଲା ବିଜେପିର ପ୍ରଥମ ସଭାପତି ଏମ୍. ଗୋପାଳ ରାଓଙ୍କ ବିୟୋଗ ।
ପାରଳାଖେମୁଣ୍ଡି, ୩/୧୧ (ତାରିଣୀ ପ୍ରସାଦ ପଣ୍ଡା) :
ପାରଳାଖେମୁଣ୍ଡିର ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଏମ୍. ଗୋପାଳ ରାଓଙ୍କର ମଙ୍ଗଳବାର ୭୩ ବର୍ଷ ବୟସରେ ବଡ଼ଦାଣ୍ଡ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସୂଚନା ଯେ ସେ ଗଜପତି ଜିଲ୍ଲା ବିଜେପିର ପ୍ରଥମ ସଭାପତି ଥିଲେ ଏବଂ କେହି ବିଜେପିକୁ ଭଲରୂପେ ପରିଚିତ ନଥିବା ବେଳେ ନିଜ ଖର୍ଚ୍ଚରେ ଜିଲ୍ଲାରେ ସଂଗଠନ ତିଆରି କରି ବୃଦ୍ଧି କରିଥିଲେ । ତାଙ୍କ ପ୍ରତି ଜିଲ୍ଲାବାସୀଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ସେ ଜଣେ ବହୁତ ସ୍ନେହି ଓ ଭଲ ପାଇବା ବ୍ଯକ୍ତି ଥିବା ସହିତ ପାରସ୍ପରିକ ସ୍ନେହ, ସରଳ, ଶ୍ରଦ୍ଧା ଓ ଆତ୍ମୀୟତା ର ବିସ୍ବାଶି ଥିଲେ । ସବୁବେଳେ ଲୋକଙ୍କ ସହିତ ରହି ସେମାନଙ୍କ ସବୁ ସମସ୍ୟା ସମାଧାନରେ ସାହାଯ୍ୟ କରିବା ସହିତ ନିଜେ ଜଣେ ଭଲ କୃଷକ ଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ଜଣେ ଅଭିଜ୍ଞ ଆଇନଜୀବୀ, ବରିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଓ ଦରଦୀ ମଣିଷଙ୍କୁ ହରାଇଲା ବୋଲି ବରିଷ୍ଠ ଆଇନଜୀବୀ ପ୍ରସାନ୍ତ ପ୍ରଧାନ, ସତ୍ଯ ନାରାୟଣ ପାଢ଼ୀ, ଶିଶିର ଜେନ୍ନା, ରୂପେଶ ସାହୁ, ବାର କାଉସିଲ୍ ସଭାପତି ବାବୁ ନାୟକ, ବିଜେପି ନେତା ଜଗନ୍ନାଥ ମହାପାତ୍ର, ଚିତ୍ରି ସିମାଦ୍ରୀ, ପୂର୍ବ ବିଧାୟକ କେ. ନାରାୟଣ ରାଓ, ସାମ୍ବାଦିକ ସଞ୍ଜୁ ପାଢ଼ୀ ପ୍ରମୁଖଙ୍କ ସହିତ ବହୁ ବ୍ଯକ୍ତି ବିଶେଷ ପ୍ରକାଶ କରିଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ପ୍ରଭୁ ବୋଲି ଶେଷ ବିଦାୟ ସମୟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ବିଧାୟକ କୋଡୁରୁ ନାରାୟଣ ରାଓ କହିଛନ୍ତି ।ଫଟୋ










