Spread the love

:ରାୟଗଡ଼ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

ପାରଳାଖେମୁଣ୍ଡି, 16/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି – ୨୦୨୬’ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ପି.ଏମ. ଶ୍ରୀ ରାୟଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା ଯୋଗ ଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତା ଉପରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ୧୩ ଓ ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୀତାମ୍ବର ନାୟକ ଏବଂ ଗୌତମୀ ଜାନୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ମହୋତ୍ସବରେ ରାୟଗଡ଼ ବ୍ଲକର ୧୨ ଗୋଟି କ୍ଲଷ୍ଟରରୁ ଆସିଥିବା ୧୦୭ଟି ବିଦ୍ୟାଳୟର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାୟଗଡ଼ ପି.ଏମ. ଶ୍ରୀ ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, କାରଡ଼ାସିଂ ସ୍କୁଲ ଦ୍ୱିତୀୟ ସ୍ଥାନ ଏବଂ ତାଳମୁଣ୍ଡା ସ୍କୁଲ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଜେତା ବିଦ୍ୟାଳୟଗୁଡ଼ିକୁ ମଞ୍ଚରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷା ବିଭାଗର ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପରିଚାଳନା ସମିତିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।

ୟୁଏଚଆରଏସି ପକ୍ଷରୁ ମାନବାଧିକାର ସଚେତନତା ଓ ସଂଗଠନ ସୁଦୃଢ଼ୀକରଣ ନେଇ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, 16/10(ତାରିଣୀ ପ୍ରସାଦ ପଣ୍ଡା):

ୟୁନାଇଟେଡ୍ ହ୍ୟୁମାନ ରାଇଟ୍ସ ଆଣ୍ଡ ଆଣ୍ଟି କରପସନ କାଉନସିଲ୍ (ୟୁଏଚଆରଏସି), ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ମାନବାଧିକାର ସୁରକ୍ଷା, ଜନସଚେତନତା ଓ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାପତି ରାହୁଲ ହର, ମହିଳା ସଭାନେତ୍ରୀ ତନୁଜା ଶତପଥୀ, ମହିଳା ଉପସଭାନେତ୍ରୀ ଜସ୍ମିନ୍ ଶେଖ ଏବଂ ରାୟଗଡ଼ା ବ୍ଲକ ସଭାପତି ଉପସ୍ଥିତ ଥିଲେ। ଏଥିସହ ସଂଗଠନର ଅନ୍ୟାନ୍ୟ ପଦାଧିକାରୀଙ୍କ ଭୂମିକା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ସାଧାରଣ ଲୋକଙ୍କ ମାନବାଧିକାର ସୁରକ୍ଷା, ସମାନତାର ଅଧିକାର, ଆଇନଗତ ସଚେତନତା ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗଠନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ଅଧିକାରର ସୁରକ୍ଷା ସହ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ନ୍ୟାୟ ପାଇବାରେ ଲୋକଙ୍କୁ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା।
ମାନବାଧିକାର ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହ ସଂଗଠନର କାର୍ଯ୍ୟକଳାପକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ମାନବାଧିକାରର ସୁରକ୍ଷା , ଦୁର୍ନୀତି ବିରୋଧୀ ସଚେତନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁଏଚଆରଏସି ଆଗାମୀ ଦିନରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

କାଶୀନଗର ଶ୍ରୀରାମ କଲେଜରେ ଏବିଭିପିର ବିଜୟ ପରେ ଛାତ୍ର ସଂସଦ ବିଜେପିର ରାଜ୍ୟ ଉପସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ପାରଳାଖେମୁଣ୍ଡି, 16/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା କାଶୀନଗରସ୍ଥିତ ଶ୍ରୀରାମ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନଙ୍କ ପୁର୍ଣ ବିଜୟ ଘଟିଛି. ଗତକାଲିର ନିର୍ବାଚନ ଫଳ ଘୋଷଣା ହୋଇ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର ସମସ୍ତ ଛାତ୍ର ନେତା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି ଅବସରରେ ଶ୍ରୀ ରାଓ ବିଜୟୀ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆଗାମୀ କାର୍ଯ୍ୟକାଳର ସଫଳତା କାମନା କରିଥିଲେ।ଛାତ୍ର ସଂସଦ ନିର୍ବାଚନରେ ବିଜୟ ପରେ ଏବିଭିପି ସମର୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ଏହି ଅବସରରେ ବିଜୟୀ ପ୍ରତିନିଧି ମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଶୃଙ୍ଖଳିତ ଏବଂ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।