ଧୋୟା ଦୁର୍ଗତଙ୍କ ପ୍ରଜାମେଳି, ଖୋଲା ମଞ୍ଚରେ ନଅ ଦଫା ଦାବି ! ବରୀ,
୧୩/୧୦ (ଦର୍ଶନ ସମୀକ୍ଷା)
ଐତିହ ସମୃଦ୍ଧ ଯାଜପୁର ଜିଲ୍ଲାର ବରୀ ବ୍ଲକ ତଥା ତତସଂଲଗ୍ନ ଉତ୍ତରରେ ଅବସ୍ଥିତ ବିଂଝାରପୁର ବ୍ଲକ ର ଅନେକାଂଶ ଅଞ୍ଚଳ, ଦକ୍ଷିଣରେ ଅବସ୍ଥିତ ବଡଚଣା ବ୍ଲକ ର ଅନେକାଂଶ ଅଞ୍ଚଳ ଏବଂ ପୂର୍ବରେ ଅବସ୍ଥିତ କେନ୍ଦ୍ରାପଡା ର ଅଳପୁଆ ରୁ ଆଳି ଯାଏ ବ୍ୟାପକ ଅଞ୍ଚଳ ଚିର ବନ୍ୟା ଧୋୟାଞ୍ଚଳ ଭାବେ କୁଖ୍ୟାତି ଲଭିଛି । ଶହଶହ ବର୍ଷରୁ ଧୋୟାବାସୀ ମାନେ ବର୍ଷକୁ ବର୍ଷ ବନ୍ୟା ମାଡରେ ବହୁ କଷଣ ସହି ଆସୁଛନ୍ତି । ବନ୍ୟାହେଲେ ଚିରାଚରିତ ଭାବେ ବିଗତ କେତେକେତେ ସରକାରର କେତେକେତେ ଯନ୍ତ୍ରୀ ମନ୍ତ୍ରୀ ଅଫିସର ଦୁର୍ବିପାକରେ ବିପନ୍ନ ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି ସିନା, ଧୋୟା ବାସୀଙ୍କ “ଯେଉଁ ତିମିର କୁ ସେହି ତିମିରେ” । ଭୀଷଣ ବନ୍ୟା ପରେ ପରେ ରିଲିଫ, ଥଇଥାନ ଓ ଦୁର୍ବଳ ବନ୍ଧବାଡ଼ ସୁରକ୍ଷାରେ କୋଟି କୋଟି ଅର୍ଥ ରାଜକୋଷରୁ ଚଳୁ ହୁଏ ।
କୌଣସି ନେତା, ଅଫିସର ଓ ସ୍ଥାନୀୟ ପ୍ରଭାବଶାଳୀଙ୍କ ବନ୍ୟା ନିୟନ୍ତ୍ରଣ ସ୍ଥାୟୀ ଯୋଜନା କୁ ସଫଳତା ପାଇଁ ଆନ୍ତରିକତା ର ଘୋର ଅଭାବ ଯୋଗୁଁ ଶତାଧିକ ବର୍ଷଧରି ଧୋୟା ବାସୀ ଅକଥନୀୟ ବନ୍ୟାଜନୀତ ପ୍ରାକୃତିକ ଦଣ୍ଡ ସହିବାକୁ ବାଧ୍ୟ ହୁଅନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଜୁଲାଇ ଅଗଷ୍ଟ ଭୀଷଣ ବନ୍ୟାପରେ ବରୀ ଏବଂ ଅନ୍ୟ ବ୍ଲକ ର କିଛି ବୁଦ୍ଧିଜୀବୀ, ସମାଜସେବୀ, ସ୍ଥାନୀୟ ନେତା, ସାମ୍ବାଦିକ ଗଣ ଓ ବନ୍ୟା ମୁକାବିଲା ରେ ଆନ୍ତରିକତା ଥିବା ବ୍ୟକ୍ତି ବିଶେଷ ଓ ଶହ ଶହ ପୁରୁଷ ମହିଳା ଗତ ୧୨ ଅକ୍ଟୋବର ପୂର୍ବାହ୍ନ ରେ ବରୀ ର ପ୍ରମୁଖ ସ୍ଥାନ ଅଜାଣ ରେ ଏକ ଆୟୋଜିତ ଖୋଲା ମଞ୍ଚରେ ସମ୍ମିଳିତ ହୋଇ ବହୁ ମାନସ ମନ୍ଥନ କରି ନଅ ଦଫା ଦାବକୁ ସରକାରଙ୍କ ଦ୍ୱାରା ସଫଳତା ପାଇଁ ସମସ୍ତ ପ୍ରକାର ପ୍ରକାର ପ୍ରୟାସ କରିବାକୁ ସଂକଳ୍ପ କରିଥିବା ଜଣା ଯାଇଛି ।
ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ଖୋଲା ମଞ୍ଚରେ ଆହୁତ ସଭାରେ ବରିଷ୍ଠ କୃଷକ ନେତା ନିମାଇଁ ରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ସମ୍ନାନିତ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା, ଅନ୍ୟତମ ଅତିଥି ଭାବେ ଜଳ ସମ୍ପଦ ବିଭାଗ ର ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶତ୍ରୁଘ୍ନ ଦାଶ, ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ର କାର୍ଯ୍ୟକାରୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି ଓ ସାମ୍ବାଦିକ ସଂଘର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ବରୀ ନିର୍ବାଚନ ମଣ୍ଡଳୀର ଅନ୍ୟତମ ଭାଜପା ଟାଣୁଆ ନେତା ଦେବେନ୍ଦ୍ର ଦାସ, ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଆଶୁତୋଷ ପରିଡା, ପୂର୍ବତନ ବରୀ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ଶିକ୍ଷାବିତ କୁଳମଣି ଶୁକ୍ଳ, ପ୍ରାକ୍ତନ ଶିକ୍ଷକ ଅଶୋକ ସାମଲ, ଆଡଭୋକେଟ ଅମ୍ବିକା ସାମଲ, ପଶୁପ୍ରେମୀ ବିବେକାନନ୍ଦ ନାଥ, ସରପଞ୍ଚ ଶ୍ରୀମତୀ ମଲ୍ଲ, ବରିଷ୍ଠ ସାମ୍ବାଦିକ ପ୍ରଭାତ ମହାନ୍ତି, ବଡଚଣା ବ୍ଲକର ବନମାଳୀ ସାହୁ, ଜୟଦରଥ ମହାନ୍ତି, ବିଂଝାରପୁର ର ଅଟଳ ବିହାରୀ ନାୟକ, ଏବଂ ସ୍ଥାନୀୟ ମୁରବୀ ଓ ଅନ୍ୟ କ୍ଷେତ୍ରିୟ ପ୍ରମୁଖ କୁଶଧ୍ୱଜ ସାମଲ, ଗିରୀଶ ରାୟ , ମକର ଧ୍ୱଜ ସାହୁ, ବ୍ରଜ ବିହାରୀ ପ୍ରଧାନ, ହରିଶ ଦଳାଇ, ବଭିରାମ ମଲ୍ଲ, ଅନିରୁଦ୍ଧ ମଲ୍ଲ, ମାଧବାନନ୍ଦ ଶାନ୍ତି, ଦିଲ୍ଲୀପ ଦାସ, ପ୍ରଭାସ ଚନ୍ଦ୍ର ଦାସ ଓ ଆଳିର ନିଖିଳ ସାମଲ ପ୍ରମୁଖ ସଭାରେ ଯୋଗଦେଇ ନିଜ ନିଜର ଭୂମିକା ନିଭାଇ ଥିଲେ । ଆଗକୁ ନଅ ଦଫା ଦାବୀକୁ ସଫଳ ପାଇଁ ସରକାରଙ୍କୁ ନିବେଦନ କରିବା ସହ ସମସ୍ତ ପ୍ରକାର ପ୍ରୟାସ ଜାରି ରହିବ ବୋଲି ପ୍ରମୁଖ ଆୟୋଜକ ଙ୍କ ତରଫରୁ ଜଣା ଯାଇଛି ।











