ଗଜପତି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ – ୨୦୨୬…..
ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
ପାରଳାଖେମୁଣ୍ଡି, 29/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ପାରଳା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୨୧ତମ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୬ ସ୍ଥାନୀୟ ନଗର ଭବନ ( ଟାଉନ ହଲ) ଠାରେ ଅନୁଷ୍ଠିତ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚ ତଥା ସିନେ କଳାକାର ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଉଦଘାଟନୀ ସଭାରେ ସଭାପତିତ୍ୱ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ।
ମଞ୍ଚାସିନ ଅତିଥି ମାନେ ନିଜ ବକ୍ତବ୍ୟରେ ଆୟୋଜକ ଅନୁଷ୍ଠାନର ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଯଦିଓ ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ଉପାନ୍ତ ପାରଳାଖେମୁଣ୍ଡିରେ ଦୀର୍ଘ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ ଦିନ ଧରି ପାଳନ କରାଯାଉ ଥିବାରୁ ସେମାନେ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଭିତ୍ତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ପଦାମୃତ ନୃତ୍ୟାୟନ ଓ ମିରାକଲ ଡେନ୍ସ ଷ୍ଟୁଡିଓ ଅନୁଷ୍ଠାନ ସମେତ ଆୟୋଜକ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସୁଭାଶିଷ ପତି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଦର୍ଶ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଡି.ମୋହନ ରାଓ , ରଘୁନାଥ ପଟ୍ଟନାୟକ , ଡି. ପ୍ରିୟଙ୍କା , ସ୍ୱର୍ଣ୍ଣଲତା ପାତ୍ର , ସୁଧା ରଞ୍ଜନ ପଟ୍ଟନାୟକ, ହରିହର ପଟ୍ଟନାୟକ , ସନ୍ତୋଷ ପାଟ୍ଟଯୋଶୀ , ଭିକି , ନିରଞ୍ଜନ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମାନେ ସମ୍ବଲପୁରୀ ନୃତ୍ୟରେ ଝୁମି ଉଠିଥିଲେ।
ଗଜପତିର ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍
ପାରଳାଖେମୁଣ୍ଡି,29/9(ତାରିଣୀ ପ୍ରସାଦ ପଣ୍ଡା):
ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ଆୟୋଜନରେ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ଆସନ୍ତା ଅକ୍ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ନେଇ ଆଜି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ପ୍ରାୟ ୩୦ଟି ରାଜ୍ୟରୁ ୮୦୦ ରୁ ଅଧିକ ଖେଳାଳି, କୋଚ୍, ମ୍ୟାନେଜର, ଟିମ୍ ଅଫିସିଆଲ୍ ଓ ଟେକ୍ନିକାଲ୍ ଅଫିସିଆଲ୍ ଯୋଗଦେବେ।

ପ୍ରତିଯୋଗିତାରେ ଯୋଗଦେଉଥିବା ଖେଳାଳି ଓ ଅଫିସିଆଲ୍ମାନଙ୍କ ରହଣି, ଖାଦ୍ୟ ଏବଂ ଆବଶ୍ୟକୀୟ ଅନ୍ୟାନ୍ୟ ସୁବିଧା ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ସୁବ୍ୟବସ୍ଥିତ କରାଯାଇଛି। ଚାମ୍ପିଅନ୍ସିପ୍କୁ ସୁଚାରୁ ଓ ସଫଳ ଭାବେ ଆୟୋଜନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଏକ ଟେକ୍ନିକାଲ୍ ଓ ଚ୍ୟାଲେଞ୍ଜିଂ କ୍ରୀଡ଼ା। ମହେନ୍ଦ୍ରଗିରିର ପାହାଡ଼ିଆ ଭୂପୃଷ୍ଠ ଓ ପ୍ରାକୃତିକ ପରିବେଶ ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିବ।ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଯୋଗ୍ୟ ଖେଳାଳିମାନେ ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରିବେ। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ ଓ କ୍ରୀଡ଼ା ସମ୍ଭାବନା ଦେଶବ୍ୟାପୀ ଭାବେ ପ୍ରଚାରିତ ହେବା ସହ ଓଡ଼ିଶାର କ୍ରୀଡ଼ା ପରିବେଶକୁ ଆହୁରି ସମୃଦ୍ଧ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ, ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର ପାଠକ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ କୁମାର ସାହୁ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ପ୍ରସ୍ତାବିତ ଜାତୀୟ ଏମ୍ଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।
ଗଜପତି : ଗୁଣି ସନ୍ଦେହରେ ଅଧ ରାତିରେ କଙ୍ଗାରୁ କୋୖର୍ଟରେ ମୃତ୍ୟୁଦଣ୍ଡ ଓ ହତ୍ୟା ମାମଲାରେ
12 ଜଣ ଗିରଫ
ପାରଳାଖେମୁଣ୍ଡି, 29/9 (ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତ ମେରାମାଁ ଗ୍ରାମରେ କଙ୍ଗାରୁ କୋୖର୍ଟ ଦ୍ୱାରା ଗୁଣି କରୁଥିବା ଅଭିଯୋଗରେ ଏକପାକ୍ଷିଆ ଦୋଷୀ ସାବ୍ୟସ୍ତ କରି ସେହି ଗ୍ରାମର ରାମଚନ୍ଦ୍ର ମଲ୍ଲିକଙ୍କୁ ମୃତ୍ୟୁ ଦଣ୍ଡ ଦେବା ସହ ପିଟିପିଟି ହତ୍ୟା କରିବା ଅଭିଯୋଗରେ ମୋହନା ପୋଲିସ 12 ଜଣଙ୍କୁ ଗିରଫ କରି ଆଜି କୋୖର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମେରାମାଁ ଗ୍ରାମରେ ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ରାମଚନ୍ଦ୍ର ଗୁଣି କରି ମାରି ଦେଉଥିବା ଅଭିଯୋଗ ସହ ଅନ୍ୟ କେତେକ ବିବାଦ ଯୋଗୁଁ ରାମଚନ୍ଦ୍ର ମେରାମାଁ ଗ୍ରାମରୁ 1 କିମି ଦୂରରେ ଥିବା ଏକ ପାହାଡ଼ରେ ଘର କରି ପରିବାର ସହ ରହୁଥିଲେ. ବର୍ତ୍ତମାନ କିଛିଦିନ ତଳେ ଗ୍ରାମର ଜଣେ ବ୍ୟକ୍ତି ଅନ୍ୟ ଜଣେ ଶିଶୁର ମୃତ୍ୟୁ ପରେ ଏହି ଗୁଣି ସନ୍ଦେହ ଗ୍ରାମବାସୀଙ୍କ ଠାରେ ଦୃଢ଼ୀ ଭୂତ ହୋଇଥିଲା. ଶନିବାର ବିଳମ୍ବିତ ରାତିରେ ମେରାମାଁ ଗ୍ରାମର କିଛି ଗ୍ରାମବାସୀ ପାହାଡ଼ ଉପରେ ରହୁଥିବା ରାମଚନ୍ଦ୍ର ଘରକୁ ଯାଇ ଜବରଦସ୍ତି ଡାକି ନେଇ ଏକ କଙ୍ଗାରୁ କୋୖର୍ଟର ଆୟୋଜନ କରିବା ସହ ରାମଚନ୍ଦ୍ରଙ୍କୁ ଗୁଣି କରି ଲୋକଙ୍କୁ ମାରି ଦେଉଛୁ ବୋଲି ଏକତରଫା ଅଭିଯୋଗ କରି କଙ୍ଗାରୁ କୋୖର୍ଟରେ ହତ୍ୟାଦଣ୍ଡ ଦେଇଥିଲେ.

ପରେ ରାମଚନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରୁଥିବା ବେଳେ ତାଙ୍କ ସ୍ତ୍ରୀ ଲୀଳାବତୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରା ଯାଇଥିବା ଆଦି ନେଇ ମୋହନା ଥାନାରେ ଲୀଳାବତୀ ଲିଖିତ ଅଭିଯୋଗ କରିବା ପରେ 195/26 ରେ ମାମଲା ରୁଜୁ ହୋଇଥିଲା ବୋଲି ମୋହନା ପୋଲିସ ସୂଚନା ପ୍ରଦାନ କରି କହିଛନ୍ତି ଘଟଣା ନେଇ ସାଇଣ୍ଟିଫିକଟିମ ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ଅନୁଧ୍ୟାନ କରିବା ସହ ମୃତଦେହର ପୋଡି ଯାଇଥିବା ହାଡ଼ ଓ ପାଉଁଶର ଅବଶେଷକୁ ଜବତ କରି ଏହି ହତ୍ୟା ଘଟଣାରେ ମୋହନା ପୋଲିସ 12 ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି.
ସେମାନେ ହେଲେ ମେରାମା ଗ୍ରାମର କାମଦେବ ମଲ୍ଲିକ (୪୬), ଦୀପୁ ବେହେରା (୨୧), କାର୍ତ୍ତିକ ମଲ୍ଲିକ (୩୪), ପ୍ରଭା ମଲ୍ଲିକ (୪୧), ଅନନ୍ତ ବେହେରା (୨୪), କଟ ମଲ୍ଲିକ (୫୧), ଚୈତନ୍ୟ ମଲ୍ଲିକ, ଅଶୋକ ମଲ୍ଲିକ, ରବୀନ୍ଦ୍ର ବେହେରା, ରାଜୁ ବେହେରା, ରାଘବ ମଲ୍ଲିକ ଓ କାଳିଆ ବେହେରା।
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ନେଇ ଗଜପତିରେ ସୋଲାର ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି, ୨୯.୦୯.(ତାରିଣୀ ପ୍ରସାଦ ପଣ୍ଡା ):
ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅନ୍ତର୍ଗତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ଅଂଶ ଭାବେ ଗଜପତି ଜିଲ୍ଲାରେ ‘ସୋଲାର ରଥ’ ଶୁଭାରମ୍ବ କରାଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଲାର ରଥକୁ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅମିତ ଗର୍ଗ, ସିଇଓ ବ୍ରହ୍ମପୁର , କୁଲକର୍ଣ୍ଣି ମିକନ, ସିଇଓ ବ୍ରହ୍ମପୁର, ଜୋନାଲ ମୁଖ୍ୟ ଜୟପୁର ମନ୍ମଥ ମିଶ୍ର, ବରିଷ୍ଠ ମ୍ୟାନେଜର ଟିପିଏସ୍ଓଡିଏଲ୍ ପି.କେ.ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଟିପିଏସ୍ଓଡିଏଲ୍ ରାୟଗଡ଼ା, ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁ, ଦୁରେଶ ରଞ୍ଜନ ପଣ୍ଡା, ଉପଖଣ୍ଡ ଅଧିକାରୀ ଟିପିଏସ୍ଓଡିଏଲ୍ ପାରଳାଖେମୁଣ୍ଡି, କୁଳୀଚରଣ ବେହେରା ଏବଂ ଯନ୍ତ୍ରୀ ଟିପିଏସ୍ଓଡିଏଲ୍ ପାରଳାଖେମୁଣ୍ଡି ରଜତ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଟିପିଏସଓଡିଏଲ ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPSODL) ପକ୍ଷରୁ ପରିଚାଳିତ ଏହି ସୋଲାର ରଥ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରୁଫ୍ଟପ୍ ସୋଲାର ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଏହା ମାଧ୍ୟମରେ ଘରର ଛାତ ଉପରେ ସୌର ଶକ୍ତି ପ୍ରଣାଳୀ ସ୍ଥାପନର ସୁବିଧା, ଉପକାରିତା ଓ ଆର୍ଥିକ ସହାୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସରଳ ଭାବରେ ସୂଚନା ଦିଆଯାଇ ପାରିବ। ଏହି ଭ୍ରାମ୍ୟମାଣ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମ, ଗ୍ରାମ ପଞ୍ଚାୟତ, ହାଟ, ବଜାର ଏବଂ ସାମୁଦାୟିକ ସମାବେଶ ସ୍ଥଳକୁ ଯାଇ ଗ୍ରାହକମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବ। ଏହି ଅଭିଯାନରେ ଯୋଜନାର ଲାଭ, ରୁଫ୍ଟପ୍ ସୋଲାର ସ୍ଥାପନର ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ସବସିଡି ଓ ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦିଆଯିବ। ଏଥିସହ ଘରୋଇ ବିଦ୍ୟୁତ୍ ବିଲ୍ ହ୍ରାସ କରିବାର ସମ୍ଭାବନା ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ସୋଲାର ରଥ ଏକ ଭ୍ରାମ୍ୟମାଣ ଓ ଗ୍ରାହକ ସମ୍ପର୍କ ମଞ୍ଚ ଭାବେ କାର୍ଯ୍ୟ କରିବ। ଏଥିରେ ବିଭିନ୍ନ ସାମଗ୍ରୀ, ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ଏବଂ ସମ୍ପ୍ରଦାୟ ସହିତ ସିଧାସଳଖ ଆଲୋଚନା ମାଧ୍ୟମରେ ରୁଫ୍ଟପ୍ ସୋଲାର ସମ୍ପର୍କିତ ସୂଚନାକୁ ସରଳ ଓ ସୁଲଭ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଯିବ।











