୧୯୪୯ରେ ଜାନକୀବଲ୍ଲଭ ପଟନାୟକ ବନାରସ ହିନ୍ଦୀ ଯୁନିଭର୍ସିଟିରୁ MA ପାସ କଲା ପରେ ଚାକିରି କରିବେ ନା ରାଜନୀତି କରିବେ ଦ୍ୱନ୍ଦ୍ୱରେ ଥିଲେ।
ସେତେବେଳେ ମନ୍ତ୍ରୀ ପଦ ଛାଡ଼ି ଅନୁଗୁଳ ଆଶ୍ରମରେ ରହୁଥିବା ନବକୃଷ୍ଣ ଚୌଧୁରୀଙ୍କ ପାଖକୁ ଗଲେ। ନବକୃଷ୍ଣ କହିଲେ, ସ୍ୱାଧୀନତା ସଂଗ୍ରାମ ତ ସରିଲାଣି, ଚାକିରି କର।
‘ମୋର ରାଜନୀତି ପ୍ରତି ଆଗ୍ରହ ଥିବାରୁ ରେଭେନ୍ସା ଛାତ୍ର ଆନ୍ଦୋଳନ ବେଳୁ ପରିଚିତ ବୀରେନ ମିତ୍ରଙ୍କ ସହ ହରେକୃଷ୍ଣ ମହତାବଙ୍କ ନିକଟତର ହୋଇଥିଲି।
ପ୍ରଜାତନ୍ତ୍ରରେ ପ୍ରଥମେ ସବ-ଏଡିଟର ଭାବେ ଯୋଗ ଦେଇଥିଲେ ବି ମୋତେ ହରେକୃଷ୍ଣ ମହତାବ ପ୍ରଜାତନ୍ତ୍ର ଓ ଇଷ୍ଟର୍ନ ଟାଇମ୍ସର ସମ୍ପାଦକ କଲେ। ଏ ସବୁ ପରିଚାଳନା ଦାୟିତ୍ୱ ସହ ପ୍ରଜାତନ୍ତ୍ର ପ୍ରଚାର ସମିତି ସମ୍ପାଦକ ବି ରହିଲି।
କଟକରେ ରାଜଧାନୀ ଥାଏ, ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ଥାଆନ୍ତି। ସେ ପ୍ରାୟ ସନ୍ଧ୍ୟାରେ ପ୍ରଜାତନ୍ତ୍ର ଅଫିସ ଆସନ୍ତି। ଆମେ ବୀରେନ ମିତ୍ର, ନୀଳମଣି ରାଉତରାୟ ଇତ୍ୟାଦି ରହି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁ।
ସନ୍ଧ୍ୟାରେ ଦିନେ କଳିଙ୍ଗ ଏୟାର ଲାଇନ୍ସ ମାଲିକ ବିଜୁ ପଟନାୟକ ଆସିଲେ। ବ୍ୟାଗଟେ ଥୋଇଦେଲେ।
ମୁଁ ସେତେବେଳେ ବିଜୁ ବାବୁଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିଲି। ମହତାବ ଆମକୁ ପରିଚୟ କରାଇ ଦେଲେ।
ମହତାବ ପଚାରିଲେ ସେ ବ୍ୟାଗରେ କଣ ଅଛି?
ବିଜୁ ବାବୁ କହିଲେ- ₹୫୦ ହଜାର ଟଙ୍କା!
ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ ବିରୋଧରେ କିଛି ଉଡ଼ାଳିଆ ଅଭିଯୋଗ ଆସୁଥିବାରୁ ମୁଁ ଏହା ଦେଖି ବିଚଳିତ ହେଲି।
ସେହି ରାତିରେ ମୁଁ ମହାତବଙ୍କୁ ଚିଠି ଲେଖିଲି ଏ ଟଙ୍କା ରଖିବା ଠିକ ହେଲାନି!
ତା ପର ଦିନ ସନ୍ଧ୍ୟାରେ ବିଜୁ ବାବୁ ପୁଣି ଆସିଲେ।
ମହତାବ ହାଲକା ହସି କହିଲେ- ଜାନକୀ ଓ ଅନ୍ୟମାନେ ଆଧୁନିକ ଜୀବନ କଣ ଜାଣନ୍ତି ନାହିଁ। ତାକୁ ଟିକେ କଟକ କ୍ଳବ ଆଡ଼େ ବୁଲେଇ ନେଇ ନୂଆ ଦୁନିଆ ଦେଖାଇ ଦିଅ!
ମୁଁ ଦୃଢ଼ ଭାବେ କହିଲି- ମୋର ଏସବୁ ଦର୍କାର ନାହିଁ!’
Book: Janaki Ballabh Patnaik: An Unfinished Memoir











