ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ତୃଣମୂଳସ୍ତରରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କ ବିଜେପିରେ ଯୋଗଦାନ
ପାଳଲହଡା ଦର୍ଶନ ସମୀକ୍ଷା
ରବିବାର ଭାରତୀୟ ଜନତା ପାର୍ଟି ର ନିର୍ବାଚନମଣ୍ଡଳୀସ୍ତରୀୟ ଓ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଗଠନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ପାଳଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ପଶ୍ଚିମେଶ୍ୱର ମନ୍ଦିର ପରିସରରେ କ୍ଷେମଳା ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିବାବେଳେ ଏଥିରେ ଅନୁଗୋଳ ଜିଲ୍ଲା ବିଜେପି ପ୍ରଭାରୀ ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବୈଠକରେ ବିଧାୟକ ଅଶୋକ ମହାନ୍ତି ପାଳଲହଡ଼ା ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ଛଅ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଚାଲିଥିବା ବିକାଶ ପ୍ରକ୍ରିୟା ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ। ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ସହ ଲୋକଙ୍କ ସହ ନିରନ୍ତର ସମ୍ପର୍କ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ମୁଖ୍ୟ ଅତିଥି ଗୋଲକ ମହାପାତ୍ର ନିଜ ଅଭିଭାଷଣରେ ବିଜେପିର ସାଂଗଠନିକ ଭିତ୍ତିକୁ ତୃଣମୂଳସ୍ତରରୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ ପ୍ରମୁଖ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ସକ୍ରିୟ ରହି ସାଧାରଣ ଲୋକଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ଡବଲ ଇଞ୍ଜିନ ସରକାର ପକ୍ଷରୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଏହାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ କହିଥିଲେ।
ଏହାପରେ ଖମାରଠାରେ ଅନୁଷ୍ଠିତ ପାଳଲହଡ଼ା ନିର୍ବାଚନମଣ୍ଡଳୀସ୍ତରୀୟ ବୈଠକରେ ମଧ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ଅଧିକ ସକ୍ରିୟ କରିବା, ବୁଥସ୍ତରରେ ସମନ୍ୱୟ ବୃଦ୍ଧି କରିବା ଓ ଦଳୀୟ କାର୍ଯ୍ୟକୁ ତୃଣମୂଳସ୍ତରରେ ପହଞ୍ଚାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା।
କ୍ଷେମଳା ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ବିଜୁ ଜନତା ଦଳରୁ ଆସିଥିବା କିଛି ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କ୍ଷେମଳା ପଞ୍ଚାୟତର ସରପଞ୍ଚ ଦେବରାଜ ପ୍ରଧାନ, କରଡ଼ାପାଳ ସରପଞ୍ଚଙ୍କ ପ୍ରତିନିଧି ତରଣିସେନ ବେହେରା, କରଡ଼ାପାଳର ବେହେରା ବୋଇପାଇ, ବସନ୍ତ ଗୌନ୍ତିଆ, ଦୁର୍ଗାଚରଣ ଗୌନ୍ତିଆଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ।
ନବାଗତ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳୀୟ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହି ଯୋଗଦାନ ଫଳରେ କ୍ଷେମଳା ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ଦଳୀୟ ନେତୃବୃନ୍ଦ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଉପସଭାପତି ତଥା କ୍ଷେମଳା ମଣ୍ଡଳ ପ୍ରଭାରୀ ନୃସିଂହ ଚରଣ ବରାଳ, ଜିଲ୍ଲା ବିଜେପି ଉପସଭାପତି ସୌଭାଗିନୀ ପ୍ରଧାନ, ଜିଲ୍ଲା ବିଜେପି ସମ୍ପାଦକ ପ୍ରହ୍ଲାଦ ସାମଲ, ସାଧାରଣ ସମ୍ପାଦିକା ବସନ୍ତ ମଞ୍ଜରୀ ପ୍ରଧାନ, ବରିଷ୍ଠ ଆଇନଜୀବୀ ତନ୍ମୟ ସାହୁ, ପୂର୍ବତନ ମଣ୍ଡଳ ସଭାପତି ଧର୍ମେନ୍ଦ୍ର ସାହୁ, ପବିତ୍ରନଗର ମଣ୍ଡଳ ସଭାପତି ମନୋଜ ବିଶ୍ୱାଳ, କ୍ଷେମଳା ମଣ୍ଡଳ ସଭାପତି ଛନ୍ଦା ଚରଣ ସାହୁ, ଖମାର ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନ, ପାଳଲହଡ଼ା ମଣ୍ଡଳ ସଭାପତି ଆଶିଷ ସାମଲଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ ପ୍ରମୁଖ ଓ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।











