ଇଷ୍ଟ ପଏଣ୍ଟ୍ ଇଞ୍ଜିନିୟରିଂ ଛାତ୍ରମାନେ ଯାନଗୁଡିକ ସଡ଼କ ବିପଦ ସମ୍ପର୍କରେ ପରସ୍ପରକୁ ସତର୍କ କରାଉଥିବା ଆଇଓଟି ପ୍ରୋଟୋଟାଇପ୍ ତିଆରି କଲେ
ଇଏସ୍ପି୩୨- ଭିତ୍ତିକ ଏହି ସିଷ୍ଟମ୍ ଦୂରତା, ଦୃଶ୍ୟମାନତା, ଦୁର୍ଘଟଣା ଏବଂ ମଦ୍ୟପାନ ଠାବ କରିବାକୁ ସେନ୍ସର ବ୍ୟବହାର କରୁଥିବାବେଳେ ଏଥିରେ ରିଅଲ୍-ଟାଇମ୍ ସତର୍କ ସୂଚନା ଏବଂ ଜିପିଏସ୍ ସହଭାଗୀତା ବ୍ୟବସ୍ଥା ରହିଛି
ବେଙ୍ଗାଲୁରୁ: ଦର୍ଶନ ସମୀକ୍ଷା
ସଡ଼କ ସୁରକ୍ଷା ପ୍ରତି ପ୍ରଯୁକ୍ତି ଆଧାରିତ ଆଭିମୁଖ୍ୟ ନେଇ ଇଷ୍ଟ ପଏଣ୍ଟ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ଇପିସିଇଟି), ବେଙ୍ଗାଲୁରୁର ଡିପାର୍ଟମେଣ୍ଟ ଅଫ୍ କଂପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ଛାତ୍ରମାନେ ଯାନଗୁଡିକୁ ବିପଦ ଚିହ୍ନଟ କରିବା ଏବଂ ପରସ୍ପର ସହିତ ରିଅଲ୍ ଟାଇମ୍ (ବାସ୍ତବ ସମୟ ଆଧାରିତ) ସତର୍କ ସୂଚନା ଆଦାନ ପ୍ରଦାନ ନିମନ୍ତେ ସକ୍ଷମ କରିବାକୁ ଏକ ଆଇଓଟି-ଆଧାରିତ ଯାନ-ରୁ-ଯାନ (ଭେଇକଲ୍-ଟୁ-ଭେଇକଲ୍) ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିଛନ୍ତି ।
“ଆଇଓଟି ବେସ୍ଡ ଭେଇକଲ୍-ଟୁ-ଭେଇକଲ୍ କମ୍ୟୁନିକେସନ ୟୁଜିଂ ଚେନ୍ କୋଲିଜନ୍ ପ୍ରିଭେନ୍ସନ” ଶୀର୍ଷକ ଏହି ପ୍ରକଳ୍ପ ଅକ୍ଶିତା କ୍ରିଷ୍ଣା, ଗାଲି ଯଶୱନ୍ତ ସିହ୍ନା, ଜାହ୍ନବୀ କେ ଏବଂ ଏସ୍ ଲେଖାନା ପ୍ରିୟାଙ୍କ ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର କାଞ୍ଚନ ଆର୍.ଙ୍କ ମାର୍ଗଦର୍ଶନ ଅଧୀନରେ ବିକଶିତ କରାଯାଇଥିଲା । ଏହି ପ୍ରୋଟୋଟାଇପ୍ ଇଏସ୍ପି୩୨- ଭିତ୍ତିକ ଯାନଗୁଡିକୁ ବ୍ୟବହାର କରିବା ସହିତ ଏକାଧିକ ସଡ଼କ-ସୁରକ୍ଷା ପରିସ୍ଥିତିଗୁଡିକୁ ଠାବ କରିବା ନିମନ୍ତେ ଅଲ୍ଟ୍ରାସୋନିକ, ଏଲ୍ଡିଆର, ଆକ୍ସେଲେରୋମିଟର ଏବଂ ମଦ୍ୟପାନ ସେନ୍ସର ଆଦିର ସମ୍ମିଶ୍ରଣକୁ ଉପଯୋଗ କରୁଛି ।
ଏହି ସିଷ୍ଟମ୍କୁ ଦୂରତା, ଦୃଶ୍ୟମାନତା ଅଥବା ତୀବ୍ର ଆଲୋକ, ଦୁର୍ଘଟଣା ଏବଂ ମଦ୍ୟପାନ ସମ୍ପର୍କିତ ବିପଦ ଆଦି ଠାବ କରିବାକୁ ଡିଜାଇନ କରାଯାଇଛି ଏବଂ ଏହା ଅନ୍ୟ ଯାନକୁ ସତର୍କ ସୂଚନା ପ୍ରଦାନ କରୁଛି । ପ୍ରକଳ୍ପ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଅନୁଯାୟୀ ସତର୍କ ବାର୍ତ୍ତାଗୁଡିକ ଯାନର ଏଲ୍ସିଡିରେ ପ୍ରଦର୍ଶିତ ହେଉଥିବାବେଳେ ଜିପିଏସ୍ ସୂଚନାକୁ ଟେଲିଗ୍ରାମ୍ ଜରିଆରେ ସଂଚରଣ କରାଯାଇ ଏକ ଦୁର୍ଘଟଣା ସମୟରେ ତୁରନ୍ତ ସ୍ଥାନ ସମ୍ପର୍କିତ ସୂଚନାକୁ ସହଭାଗୀ କରାଯାଇପାରିବ ।
ପ୍ରକଳ୍ପର ଟିମ୍ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରୋଟୋଟାଇପ୍ ସଫଳତାର ସହିତ ଦୂରତା, ତୀବ୍ର ଆଲୋକ, ଦୁର୍ଘଟଣା ଏବଂ ମଦ୍ୟପାନ ସ୍ତର ଆଦିକୁ ଠାବ କରିଛି ଏବଂ ବାସ୍ତବ ସମୟ ଆଧାରରେ ସତର୍କ ସୂଚନା ଅନ୍ୟ ଯାନ ସହିତ ସହଭାଗୀତା କରିଛି । ଏଲ୍ସିଡି ସତର୍କ ସୂଚନା ତତ୍କ୍ଷଣାତ ପ୍ରଦର୍ଶିତ ହୋଇଛି, ଜିପିଏସ୍ ସୂଚନା ସଠିକ ଭାବରେ ସଂଚରଣ କରାଯାଇଛି ଏବଂ ପ୍ରକଳ୍ପ ପରୀକ୍ଷଣ ସମୟରେ ସେନ୍ସରଗୁଡିକ ଚାହିଁବା ମୁତାବକ ପ୍ରଦର୍ଶନ କରିଛି ।
ଏହି ପ୍ରକଳ୍ପ ସମ୍ପର୍କରେ ପ୍ରକାଶ କରି ରାଜୀବ ଗୌଡା, ସିଇଓ, ଇଷ୍ଟ ପଏଣ୍ଟ୍ ଗ୍ରୁପ୍ ଅଫ ଇନ୍ଷ୍ଟିଚୁ୍ୟସନ୍ସ କହିଥିଲେ, “ସଡ଼କ ସୁରକ୍ଷା ସେହି ବିଷୟଗୁଡିକ ମଧ୍ୟରେ ଅନ୍ୟତମ, ଯେଉଁଠାରେ ଏକ ସମସ୍ୟା ଦୁର୍ଘଟଣା ପାଲଟିବା ପୂର୍ବରୁ ପ୍ରଯୁକ୍ତି ତାହାର କାର୍ଯ୍ୟ କରିବାକୁ ହେବ । ଯାନଗୁଡିକ ପରସ୍ପର ସହିତ ସୂଚନା ଆଦାନ ପ୍ରଦାନ କରିବା ଏବଂ ଜଣେ ଡ୍ରାଇଭରଙ୍କୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ସତର୍କ କରାଇଦେବା ବିଷୟ ଉଭୟ ବୈଷୟିକ ଦୃଷ୍ଟିରୁ କୌତୁହଳପୂର୍ଣ୍ଣ ଏବଂ ସାମାଜିକ ସ୍ତରରେ ପ୍ରାସଙ୍ଗିକ ଅଟେ । ଏହିଭଳି ପ୍ରକଳ୍ପ ପ୍ରଦର୍ଶିତ କରୁଛି ଯେ ଆମ ଛାତ୍ରମାନେ କିଭଳି ନବୋନ୍ମେଷୀ ପ୍ରଯୁକ୍ତିଗୁଡିକୁ ଗ୍ରହଣ କରିପାରିବେ ଏବଂ ସେଗୁଡିକୁ ଦୈନନ୍ଦିନ ଚାଲେଞ୍ଜଗୁଡିକର ମୁକାବିଲା ନିମନ୍ତେ ପ୍ରଯୋଗ କରିପାରିବେ ।”
ପ୍ରକଳ୍ପଟି ଦୂ୍ରୁତ ବିପଦ ସମ୍ପର୍କିତ ସୂଚନା ପ୍ରଦାନ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ନିମନ୍ତେ ସଂଯୁକ୍ତ ଏମ୍ବେଡେଡ ସିଷ୍ଟମ୍ଗୁଡିକର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ଏକ ପ୍ରୋଟୋଟାଇପ୍ ଭାବରେ ଏହା ଉତ୍ପାଦନ ନିମନ୍ତେ ପ୍ରସ୍ତୁତ ସୁରକ୍ଷା ବ୍ୟବସ୍ଥା ଅପେକ୍ଷା ଏକ ଆଦ୍ୟ ଇଞ୍ଜିନିୟରିଂ ରୂପାୟନର ପ୍ରତିନିଧିତ୍ୱ କରୁଛି, ଯାହାକୁ ପରିମାଣାତ୍ମକ ଭାବରେ ବ୍ୟବହାର କରାଯିବା ପୂର୍ବରୁ ବ୍ୟାପକ ବାସ୍ତବ-ଜଗତରେ ପରୀକ୍ଷଣ ଏବଂ ଅଟୋମୋଟିଭ ସିଷ୍ଟମ୍ ସହିତ ଏକୀକରଣ ଆବଶ୍ୟକ ପଡିବ ।











