କେନ୍ଦ୍ରାପଡା //ଆଗକୁ ପାର୍ବଣ, ପଟ୍ଟାମୁଣ୍ଡାଇ ପୋଲିସର ପ୍ଲାଗମାର୍ଚ୍ଚ, ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶ ଅପରାଧି ମାନଙ୍କୁ ନିସ୍ତାର ନାହିଁ

Spread the love

ଆଗକୁ ପାର୍ବଣ, ପଟ୍ଟାମୁଣ୍ଡାଇ ପୋଲିସର ପ୍ଲାଗମାର୍ଚ୍ଚ, ଅସାମାଜିକଙ୍କ ଉପରେ କଡା ନଜର
ପଟ୍ଟାମୁଣ୍ଡାଇ ତା ୧୩/୯- (ଦର୍ଶନ ସମୀକ୍ଷା)

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏକ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ I ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିଥାନ୍ତି I ସାମ୍ପ୍ରଦାୟିକ ସଂପ୍ରୀତିର ସହର ଭାବେ ପଟ୍ଟାମୁଣ୍ଡାଇର ସମଗ୍ର ରାଜ୍ୟରେ ସୁଖ୍ୟାତି ରହିଛି I ମାତ୍ର କିଛି ଅସାମାଜିକ ତତ୍ୱ ପଟ୍ଟାମୁଣ୍ଡାଇ ସହରର ସଦଭାବ ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଅପଚେଷ୍ଟା କରିଆସୁଛନ୍ତି I ନିକଟରେ ମୁସଲିମ ସମ୍ପ୍ରଦାୟର ବିଭିନ୍ନ ପର୍ବ ପର୍ବାଣି ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି I ଆସନ୍ତାକାଲି ବିଗ୍ନବିନାଶକ ବିଦ୍ୟାଦାତା ଗଣେଶ ମହାପ୍ରଭୁଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି I ପଟ୍ଟାମୁଣ୍ଡାଇ ସହର ସମେତ ପୌର ପରିଷଦର ବିଭିନ୍ନ ୱାର୍ଡରେ ଗଣେଶ ପୂଜା ବେଶ ଯାକଜମକରେ ପାଳିତ ହେବାକୁ ଯାଉଛି I ଏପରିକି ଓଡିଶା ବାହାରେ ଥିବା ବିଭିନ୍ନ ରାଜ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପାଳନ କରାଯାଉଥିବା ଗଣେଶ ପୂଜା ଉତ୍ସବ ଓ ମନୋରମ ମୂର୍ତ୍ତିକୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଅଂଚଳରେ ଅନୁରୂପ ଭାବେ ଗଣେଶ ମୂର୍ତ୍ତି ତିଆରି ଓ ପୂଜା ଉତ୍ସବ ପାଳନ କରାଯାଉଛି I ପଟ୍ଟାମୁଣ୍ଡାଇ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ କଲେଜ କ୍ଲବ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ଉତ୍ସବ ପାଳନ କରାଯାଉଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବମୁଖର ହୋଇପଡିଛି I ଗଣେଶ ପୂଜା ଠାରୁ ଓଡ଼ିଆ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ପାର୍ବଣ ଆରମ୍ଭ ହେଉଥିବାରୁ ପାର୍ବଣ ଋତୁ ଆସିଥାଏ I

ଆଗାମୀ ପାର୍ବଣ ଋତୁ ପାଇଁ ପଟ୍ଟାମୁଣ୍ଡାଇ ଅଂଚଳ ରଙ୍ଗ ବେରଙ୍ଗରେ ସଜାଇ ହୋଇଛି I ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜନଗହଳି ବଢିବା ସହିତ ସମଗ୍ର ଅଂଚଳ ବିଭିନ୍ନ ପୂଜା ପର୍ବରେ ଉଲ୍ଲସିତ ହୋଇ ଏକ ଭିନ୍ନ ମାହୋଲ ସୃଷ୍ଟି କରିଥାଏ I ଏଭଳି ସ୍ଥିତିରେ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଓ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି I କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ନୂତନ ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଗଣେଶ ପୂଜା ସମେତ ଆଗାମୀ ବିଶ୍ୱକର୍ମା ଓ ଦୂର୍ଗା ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ଓ କଡାକଡ଼ି ଭାବେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି I

ଏଇ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଆଇ ଆଇ ସି ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ପ୍ଲାଗ ମାର୍ଚ୍ଚ କରିବା ସହିତ ଅସାମାଜିକ ତତ୍ୱ ଉପରେ କଡା ନଜର ରଖିଛନ୍ତି I ଏଥି ସହିତ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଯେକୌଣସି ପରିସ୍ଥିତିରେ କଡାକଡ଼ି ଭାବେ ଆଇନଶୃଙ୍ଖଳା ବଜାୟ ରଖାଯିବ ଓ ଯେକୌଣସି ଆଇନ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି I