୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବେଞ୍ଚ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ
ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ମାଥିଲି ଜେଏମଏଫସି କୋର୍ଟର ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମାଥିଲି ଅଞ୍ଚଳର ପ୍ରଭାତ ବିଶୋଇଙ୍କ ନାମରେ ଥିବା ୱାରେଣ୍ଟକୁ କ୍ଲୋଜ୍ କରିବା ପାଇଁ ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନ ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା।
ଗୁରୁବାର ଅଚ୍ୟୁତ ପ୍ରଧାନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ଡିଏସପିଙ୍କ ସହ ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ଅଚ୍ୟୁତ ପ୍ରଧାନଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଲାସି ଓ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ତଦନ୍ତ ପରେ ତାଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଉଥିବା ସୂଚନା ମିଳିଛି।
ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।











