ହଟାତ୍ ବାଲେଶ୍ୱର ରେ ବଣ ମଣିଷ କୁ ଦେଖି ଲୋକ ଛାନିଆ ଗୋଟିଏ କି ଦୁଇଟି ନୁହେଁ। ପାଞ୍ଚ ପାଞ୍ଚଟି ଓରାଙ୍ଗ ଉଟାନ୍ ଗୋଟିଏ ଜାଗାରେ, ଏକା ସାଙ୍ଗରେ। ନିଜ ନିଜ ଢଙ୍ଗରେ ଗଡ଼ୁଥିଲେ, ଖେଳୁଥିଲେ, ଫଳ ଖାଉଥିଲେ।

Spread the love

ଗୋଟିଏ କି ଦୁଇଟି ନୁହେଁ। ପାଞ୍ଚ ପାଞ୍ଚଟି ଓରାଙ୍ଗ ଉଟାନ୍। ପୁଣି ଓଡ଼ିଶାରେ। ଗୋଟିଏ ଜାଗାରେ, ଏକା ସାଙ୍ଗରେ। ନିଜ ନିଜ ଢଙ୍ଗରେ ଗଡ଼ୁଥିଲେ, ଖେଳୁଥିଲେ, ଫଳ ଖାଉଥିଲେ। ଝାଉଁ ବଣରେ ରହସ୍ୟ ବଢାଇଥିଲେ। ଭାରତରେ ନିଶ୍ଚିହ୍ନ ତଥା ବିଶ୍ବର ବିରଳ ଜୀବକୁ ଭୋଗରାଇ ଜଙ୍ଗଲରେ ଦେଖି ପଡ଼ିଯାଇଥିଲା ଚହଳ। ଲୋକାରଣ୍ୟ ହୋଇପଡ଼ିଥିଲା ବିଚିତ୍ରପୁର ଫରେଷ୍ଟ୍। ଏହି ବୁଦ୍ଧିଆ ଜୀବକୁ ଦେଖିବାକୁ ଉତ୍ସାହ କାହିଁରେ କଣ। ବନ ବିଭାଗର ସୂଚନା ଅନୁସାରେ, ରଣକୋଠା ସଂରକ୍ଷିତ ଜଙ୍ଗଲ ବଡ଼ପାହି ନିକଟରେ ମାଙ୍କଡ଼ ଭଳି ବିଚିତ୍ର ଜୀବ ଥିବା ନେଇ ସକାଳ ୬ଟାରେ ସ୍ଥାନୀୟ ଯୁବକ ସୂଚନା ଦେଇଥିଲେ। ବନ ବିଭାଗର ପାଟ୍ରୋଲିଂ ଟିମ୍ ତୁରନ୍ତ ୫ ଓରାଙ୍ଗ ଉଟାନକୁ ଉଦ୍ଧାର କରିଥିଲା। ଯେଉଁଥିରେ ଅଛନ୍ତି ୩ଟି ଅଣ୍ଡିରା। ବୟସ ପ୍ରାୟ ୬ ମାସରୁ ବର୍ଷେ। ସେମାନଙ୍କୁ କଦଳୀ, ସେଓଭଳି ଭଳିକି ଭଳି ଫଳ ଖାଇବାକୁ ଦେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ବନ ବିଭାଗ। ପରେ ଉଦୟପୁର ରେଞ୍ଜ୍ ଅଫିସରୁ ସ୍ବତନ୍ତ୍ର ଗାଡ଼ିରେ ଡାକ୍ତରୀ ଟିମ୍ ତତ୍ତ୍ବାବଧାନରେ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି।

ଓଡ଼ିଶାରେ ଓରାଙ୍ଗ୍ ଉଟାନ ଯେତିକି ଉତ୍ସାହଜନକ, ସେତିକି ରହସ୍ୟମୟ। ସବୁଠାରୁ ବଡ଼ ପ୍ରଶ୍ନ, ବାଲେଶ୍ବରକୁ କୁଆଡୁ ଆସିଲେ ୫ ଓରାଙ୍ଗ ଉଟାନ୍ ? ଭାରତରେ ନଥିବା ଜୀବ ଭୋଗରାଇକୁ ଆସିଲେ କେମିତି ? ସାଧାରଣତଃ ଏମାନେ ଇଣ୍ଡୋନେସିଆ ଏବଂ ମାଲେସିଆର ବର୍ଣ୍ଣିଓ ଓ ସୁମାତ୍ରା ଦ୍ବୀପର ଘଞ୍ଚ ଜଙ୍ଗଲରେ ରୁହନ୍ତି। ଏଭଳି ସ୍ଥିତିରେ ବିଚିତ୍ରପୁର ଭଳି ଗାଁ ଜଙ୍ଗଲରୁ ଏକାଥରେ ୫ଟି ଏଭଳି ଜୀବ ମିଳିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଏସବୁ ଭିତରେ ସଂଗୀନ ସନ୍ଦେହ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ। କହିଛନ୍ତି, ୫ ଓରାଙ୍ଗ ଉଟାନ ମିଳିବା ଘଟଣାରେ ରହିଥାଇପାରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣ ରାକେଟ। ଗୋଟେ ଓରାଙ୍ଗ ଉଟାନର ବଜାର ଦାମ ୨୫ ଲକ୍ଷ ଟଙ୍କା । କିଏ ସେମାନଙ୍କୁ ଆଣିଥିଲା ଏବଂ ଜଙ୍ଗଲରେ କାହିଁକି ଛାଡ଼ିଲା ସେନେଇ ତଦନ୍ତ ହେବ।

ଓଡ଼ିଶା ଜଙ୍ଗଲରେ ଓରାଙ୍ଗ ଉଟାନ୍ ଦେଖାଯିବାର କେବେ ବି ନଜିର୍ ନାହିଁ। ଏଣୁ ଇଣ୍ଟରନ୍ୟାସନାଲ୍ ସ୍ମଗଲିଂ ହେଉଥିବା ସନ୍ଦେହ ଘନୀଭୂତ ହୋଇଛି । ବେଆଇନ ଭାବେ ସମୁଦ୍ର ପଥ କିମ୍ବା ବାଂଲାଦେଶ ସୀମାଦେଇ ଭାରତକୁ ଚୋରା ଚାଲାଣ କରାଯାଉ ଥାଇପାରେ। କୋଲକାତା ପୋର୍ଟ ଦେଇ ଅନେକ ସମୟରେ ବିଦେଶୀ ପଶୁପକ୍ଷୀ ଚାଲାଣ ହେଉଥିବା ପ୍ରମାଣ ମିଳିଛି। ଏଣୁ କୋଲକାତା ପାଖାପାଖି ଥିବାରୁ ବାଲେଶ୍ବରକୁ ଟ୍ରାନଜିଟ୍ କରିଡର କରି ବଡ଼ ସ୍ମଗଲିଂ ନେଟୱର୍କ ଓରାଙ୍ଗ ଉଟାନ ଚାଲାଣ କରୁଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ଦେଇ ବିରଳ ସାପ ଓ କଇଁଛ ଚାଲାଣ ରାକେଟର ମଧ୍ୟ ପର୍ଦ୍ଦାଫାସ ହୋଇଛି। ତେବେ ଭୋଗରାଇ ଜଙ୍ଗଲରେ ଓରାଙ୍ଗ ଉଟାନକୁ ଛାଡ଼ିଦେବା ଧରାପଡ଼ିଯିବା ଭୟ ନା ଆଉ କିଛି କାରଣ..ତାହା ଖୋଳତାଡ଼ ହେଲେ ଜଣାପଡ଼ିବ।

୨୦୧୯ ମସିହାରେ ନନ୍ଦନକାନନରେ ଆଖି ବୁଜିଥିଲା ଏକମାତ୍ର ଓରାଙ୍ଗ ଉଟାନ୍ ବିନି। ଏବେ କର୍ଣ୍ଣାଟକର ମହିଶୂର ଚିଡ଼ିଆଖାନାରେ ବିଦେଶର ୪ଟି ଓରାଙ୍ଗ ଉଟାନ୍ ଆଣି ରଖାଯାଇଥିବାବେଳେ ଗୁଜରାଟର ଜାମନଗରରେ ଗୋଟିଏ ରହିଛି। ଏଭଳି ସ୍ଥିତିରେ ଭୋଗରାଇରୁ ଉଦ୍ଧାର ୫ଟି ଓରାଙ୍ଗ ଉଟାନ ନନ୍ଦନକାନନ ଗୌରବ ବଢାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।