Spread the love

ନିଆଳି ମହାବିଦ୍ୟାଳୟରେ “ସୁପୋଷିତ ଓଡ଼ିଶା ମିଶନ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନିଆଳି:୧/୯(ଦର୍ଶନ ସମୀକ୍ଷା)

ନିଆଳି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ “ସୁପୋଷିତ ଓଡ଼ିଶା ମିଶନ” ଅଧୀନରେ ଏକ ଦିବସୀୟ ବ୍ୟାବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟର ସୁଧାର ତଥା ପୁଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିନୋଦ ବିହାରୀ ଦାସ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ଭାବେ ନିଆଳୀ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ଘଡାଇ ଯୋଗଦେଇ କୁପୋଷଣ ମୁକ୍ତ ଓଡ଼ିଶା ଗଠନରେ ସ୍ୱେଚ୍ଛାସେବୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇ.ସି.ଡି.ଏସ୍ ନିରୀକ୍ଷକ ଦୀପାଲୀ ନିବେଦିତା ଦିଗଲ ଏବଂ ପ୍ରକାଶିନୀ ଜେନା ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନା ସେଠୀ ମଧ୍ୟ ତୃଣମୂଳ ସ୍ତରର କାର୍ଯ୍ୟଧାରା ସମ୍ବନ୍ଧରେ ନିଜର ମତାମତ ରଖିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ ଶ୍ରୀଧର ବାରିକ ଏବଂ ଡ଼ ବିଜୟଲକ୍ଷ୍ମୀ ମହାନ୍ତି ସଫଳତାର ସହ ସଂଯୋଜନା କରିଥିଲେ । ଏହି ମିଶନ ଅଧୀନରେ ନିଆଳୀ ବ୍ଲକର ୧୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ କଲେଜର ୩୬ ଜଣ ଜାତିୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇଛି । ଶେଷରେ ଅଧ୍ୟାପକ ହିରଣ୍ୟ ବିଦାରକ ମହାପାତ୍ର ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।