ଗଞ୍ଜାମ ଜିଲ୍ଲା // ଖଲ୍ଲିକୋଟରେ ଗଠିତ ହୋଇଛି ନୂତନ ମିଡିଆ କ୍ଲବ୍ କାର୍ଯ୍ୟକାରିଣୀ ଓ ଭାରସାମ୍ୟ ହରାଇ ସ୍କୁଟିଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ

Spread the love

ଖଲିକୋଟ : ଦର୍ଶନ ସମୀକ୍ଷା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଗଠିତ ହୋଇଛି ନୂତନ ମିଡିଆ କ୍ଲବ୍ କାର୍ଯ୍ୟକାରିଣୀ। ସାନଘାଟିସ୍ଥିତ ମା’ ଡାଳଖାଇ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ଖଲ୍ଲିକୋଟର ସ୍ୱାର୍ଥ, ଜନସମସ୍ୟା ଓ ସମାଜସେବା କ୍ଷେତ୍ରରେ ମିଡିଆ କ୍ଲବ୍ ସକ୍ରିୟ ଭୂମିକା ନିଭାଇବ ବୋଲି ବୈଠକରେ ସଂକଳ୍ପ ନିଆଯାଇଛି।ଆଜି ପୂର୍ବାହ୍ନରେ ଖଲ୍ଲିକୋଟ ସାନଘାଟିସ୍ଥିତ ମା’ ଡାଳଖାଇ ମନ୍ଦିର ପରିସରରେ ଖଲ୍ଲିକୋଟ ମିଡିଆ କ୍ଲବ୍‌ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ଅମର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସଭାପତି ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।ସେହିପରି ସାମ୍ବାଦିକ ସକଳେଶ୍ୱର ରଥଙ୍କୁ ଉପସଭାପତି, ଶ୍ରୀନିବାସ ସାହୁଙ୍କୁ ସମ୍ପାଦକ, ଶିବରାମ ଜେନାଙ୍କୁ ସହ-ସମ୍ପାଦକ ଏବଂ ଅନିଲ ତରାଇଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ବିମଳ ପ୍ରସାଦ ପାଢ଼ୀଙ୍କୁ ମିଡିଆ କ୍ଲବ୍‌ର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।ବୈଠକରେ ଖଲ୍ଲିକୋଟ ଅଞ୍ଚଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଆୟୋଜନ, ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବା ସହ ଦୁର୍ନୀତି ବିରୋଧରେ ଗଠନମୂଳକ ଭୂମିକା ନେବାକୁ ମିଡିଆ କ୍ଲବ୍ ପ୍ରତିବଦ୍ଧ ରହିବ ବୋଲି ନିଷ୍ପତ୍ତି ହୋଇଥିଲା ।ଏହି ବୈଠକରେ ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ, ଲକ୍ଷ୍ମୀକାନ୍ତ ମହାପାତ୍ର, ଜିତେନ୍ଦ୍ର ପାହାନ, ଦୀପକ ରଣା ଓ ବିଶ୍ୱରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଖଲ୍ଲିକୋଟରେ ସାମ୍ବାଦିକମାନଙ୍କ ଏହି ସଂଗଠନ ଆଗାମୀ ଦିନରେ ଜନସ୍ୱାର୍ଥ ଓ ସମାଜସେବା କ୍ଷେତ୍ରରେ ସକ୍ରିୟ ଭୂମିକା ନେବ ବୋଲି ଆଶା କରାଯାଉଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
………….
ଖଲ୍ଲିକୋଟ: ଭାରସାମ୍ୟ ହରାଇ ସ୍କୁଟିଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୁକୁନ୍ଦପୁର ଛକ ନିକଟରେ ଘଟିଥିବା ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, ଖଲ୍ଲିକୋଟର ସୁମିତ ନାୟକ ଓ ସୁରେଶ ଦାସ ସାନଘାଟି ଅଞ୍ଚଳରୁ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମୁକୁନ୍ଦପୁର ଛକ ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ଜୋରଦାର ପିଟି ହୋଇଥିଲା। ଫଳରେ ଉଭୟ ଯୁବକ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶ ଦାସଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଗୁରୁତର ଆହତ ସୁମିତ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଥିବାବେଳେ ସମଗ୍ର ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *