ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା
ରଥଯାତ୍ରା ପୂର୍ବରୁ ପୁରୀରେ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି “ସମର୍ପଣ”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
‘ଡିଜିଟାଲ ହୁଣ୍ଡି – ସମର୍ପଣ’ ଆପ୍– ଘରେ ରହି ମହାପ୍ରଭୁଙ୍କୁ ଦାନ କରିପାରିବେ ଶ୍ରଦ୍ଧାଳୁ
ସ୍ୱଚ୍ଛ, ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା
କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀ ମନ୍ଦିର ସହିତ ଏକ ପବିତ୍ର ସେତୁ ଭଳି ଯୋଡ଼ିବ ଏହି ଡିଜିଟାଲ ଦାନ ବ୍ୟବସ୍ଥା —
ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର
୧୫ ଜୁଲାଇ ୨୦୨୬ ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷା)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକ ଅତି ସୁନ୍ଦର, ଭକ୍ତିପୂତ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି।
ପବିତ୍ର ରଥଯାତ୍ରାର ପୂର୍ବ ଦିନ ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି ।
ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଓକାକ (OCAC) ଦ୍ୱାରା ବିକଶିତ ହୋଇଥିବା ଏହି ନିରାପଦ ଡିଜିଟାଲ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି, ଯାହା ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱଚ୍ଛତାର ସହ ଦାନ କରିବାର ସୁବିଧା ପ୍ରଦାନ କରୁଛି।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା ଜରିଆରେ ସଂଗୃହିତ ଦାନ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଡିଜିଟାଲ ହୁଣ୍ଡି – ସମର୍ପଣ” କେବଳ ଏକ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ନୁହେଁ, ଏହା ହେଉଛି ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ସମର୍ପଣ ଭାବକୁ ଶ୍ରୀମନ୍ଦିର ସହ ଯୋଡ଼ିବାର ଏକ ପବିତ୍ର ତଥା ସ୍ୱଚ୍ଛ ସେତୁ।
ଆଗାମୀ ଦିନରେ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା ଓ ଶ୍ରୀମନ୍ଦିରର ସର୍ବାଙ୍ଗୀନ ବିକାଶରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
ଏହି ବ୍ୟବସ୍ଥା ଅଧିକ ସହଜ, ସ୍ୱଚ୍ଛ ଓ ସମୟ ଉପଯୋଗୀ ହୋଇଥିବାରୁ ଏହା ଦ୍ୱାରା ଦେଶ-ବିଦେଶରେ ଥିବା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଏବେ ଘରେ ରହି ମଧ୍ୟ ମହାପ୍ରଭୁଙ୍କ ଚରଣରେ ସେବା ଅର୍ପଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସୁନ୍ଦର ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ସହିତ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି।
ଶ୍ରଦ୍ଧାଳୁମାନେ ନିଜ ମୋବାଇଲ୍ ନମ୍ବର ଏବଂ ଓଟିପି (OTP) ମାଧ୍ୟମରେ ସହଜରେ ଲଗ୍-ଇନ୍ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ।
ଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏଥିରେ ୟୁପିଆଇ (UPI), ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଓ କ୍ରେଡିଟ୍ କାର୍ଡ ସମେତ ହ୍ୱାଟସ୍-ଆପ୍ (WhatsApp) ମାଧ୍ୟମରେ ମଧ୍ୟ ପେମେଣ୍ଟ କରିବାର ସୁବିଧା ପ୍ରଦାନ କରାଯାଇଛି ଏବଂ ଦାନ ପ୍ରକ୍ରିୟା ସଫଳ ହେବା ପରେ ଭକ୍ତମାନେ ତୁରନ୍ତ ନିଜର ଡିଜିଟାଲ ରସିଦ୍ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟଯେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାରେ ଦାନ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ସୀମା ରଖାଯାଇ ନାହିଁ।
ଭକ୍ତମାନେ ନିଜ ସାମର୍ଥ୍ୟ ଅନୁଯାୟୀ ମାତ୍ର ୧ ଟଙ୍କାରୁ ଆରମ୍ଭ କରି ଯେତେ ଚାହିଁବେ ସେତେ ଅର୍ଥ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରିପାରିବେ। ଏହାଛଡ଼ା, ଶ୍ରୀମନ୍ଦିରର ‘ମରାମତି ଓ ନବୀକରଣ’ ଏବଂ ‘କର୍ପସ’ ପାଣ୍ଠିକୁ ଦାନ କରୁଥିବା ଶ୍ରଦ୍ଧାଳୁମାନେ ନିଜର ପ୍ୟାନ୍ (PAN) ବିବରଣୀ ପ୍ରଦାନ କରି ଆୟକର ରିହାତିର ସୁବିଧା ମଧ୍ୟ ପାଇପାରିବେ ।
ଏହି ମୋବାଇଲ୍ ଆପ୍ କେବଳ ଦାନ କରିବାରେ ସୀମିତ ନରହି ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଡିଜିଟାଲ ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହି ଆପ୍ ମାଧ୍ୟମରେ ଭକ୍ତମାନେ ମନ୍ଦିରର ସାଧାରଣ ସୂଚନା, ଦୈନନ୍ଦିନ ନୀତିକାନ୍ତିର ଘୋଷଣା, ସଦ୍ୟତମ ଅପଡେଟ୍ ସହ ପୁରୀ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ ‘ଭକ୍ତ ନିବାସ’ ରୁମ୍ ବୁକିଂ ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧା ମଧ୍ୟ ପାଇପାରିବେ।
ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଲୋକାଭିମୁଖୀ ଶାସନ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପ ସଫଳତାର ସହ ପ୍ରତିପାଦିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ମହତ୍ତ୍ଵପୂର୍ଣ୍ଣ ଲୋକାର୍ପଣ ସମାରୋହରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର (SJTA) ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply