Spread the love

ଜଳ ସମ୍ପଦ ବିଭାଗରେ ପାଳିତ ହେଲା ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, ୨୧/୦୬: ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)

ଯୋଗ କେବଳ ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ନୁହେଁ, ବରଂ ଏହା ମନ, ଶରୀର ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପନ କରି ଏକ ସୁସ୍ଥ ଓ ସଚେତନ ସମାଜ ଗଠନ କରିବାର ପଥକୁ ପ୍ରଶସ୍ତ କରିଥାଏ। ଏହି ବାର୍ତ୍ତାକୁ ନେଇ ଜଳ ସମ୍ପଦ ବିଭାଗର ସାଂସ୍କୃତିକ ପରିଷଦ ପକ୍ଷରୁ ଆଜି ରାଜୀବ ଭବନ ପରିସରରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ଜୟ କିଶୋର ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ପ୍ରେମନାଥ ବେହେରା ଓ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର ଏବଂ କର୍ମଚାରୀବୃନ୍ଦ ଯୋଗଦେଇଥିଲେ।

ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ” (Yoga for Healthy Ageing) ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀ ସାମୂହିକ ଭାବେ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିଥିଲେ। ଆଧୁନିକ ଜୀବନଶୈଳୀରେ ବଢୁଥିବା ମାନସିକ ଚାପ, ଅନିୟମିତ ଜୀବନଯାପନ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା ପାଇଁ ଯୋଗ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ପରିଗଣିତ ହେଉଛି। ବିଶେଷକରି ବୃଦ୍ଧାବସ୍ଥାରେ ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ସକ୍ରିୟ ଜୀବନଧାରା ଏବଂ ଜୀବନର ଗୁଣାତ୍ମକ ମାନ ବୃଦ୍ଧିରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସନ୍ତୁଳିତ ମନ ଏବଂ ସକାରାତ୍ମକ ଚିନ୍ତାଧାରାର ବିକାଶ ସମ୍ଭବ ହୋଇଥାଏ, ଯାହା ବ୍ୟକ୍ତି ଓ ସମାଜର ସାମଗ୍ରିକ କଲ୍ୟାଣରେ ସହାୟକ ହୋଇଥାଏ।

ଜଳ ସମ୍ପଦ ବିଭାଗର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କର୍ମଚାରୀମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ମାନସିକ ସଚେତନତା ଏବଂ ସକାରାତ୍ମକ କାର୍ଯ୍ୟ ସଂସ୍କୃତିର ପ୍ରସାର ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ଭାବେ ପରିଗଣିତ ହୋଇଛି।

ସାଗରିକା ପ୍ରିୟଦର୍ଶିନୀ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *