Spread the love

ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ଜୁନ୍ ୧୭: ରଜତ ମହାପାତ୍ର (ଦର୍ଶନ ସମୀକ୍ଷା) ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନଠାରେ “ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ” ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନା “ଏକ ରାଜ୍ୟ – ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ” (One State – One Global Destination) ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତିକମରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ସଙ୍କଳ୍ପ ଅନୁଯାୟୀ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା।

ଏହି ଅବସରରେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ଜିଲ୍ଲା ପ୍ରଶାସନ, ଶିଳ୍ପ ଜଗତର ପ୍ରତିନିଧି ଏବଂ ପର୍ଯ୍ୟଟନ ବିଶେଷଜ୍ଞମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ରୋଜଗାର ସୃଷ୍ଟି, ଉଦ୍ୟୋଗିତା ବିକାଶ ଏବଂ ଆଞ୍ଚଳିକ ସମୃଦ୍ଧି କ୍ଷେତ୍ରରେ ପର୍ଯ୍ୟଟନ ଏକ ପ୍ରମୁଖ ମାଧ୍ୟମ ସାଜିବାର ସମସ୍ତ ସାମର୍ଥ୍ୟ ରଖିଛି। ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ପର୍ଯ୍ୟଟକମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରି ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ କରିବା ପାଇଁ ସମସ୍ତ ସଂଶ୍ଳିଷ୍ଟ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ମିଳିତ ପ୍ରୟାସ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଉପ-ମୁଖ୍ୟମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗକୁ ପର୍ଯ୍ୟଟନ ବିଭାଗ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ପାଇଁ “ମିଶନ-ମୋଡ୍” (Mission-mode) ରେ ଆଗକୁ ବଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପର୍ଯ୍ୟଟନର ଅଭିବୃଦ୍ଧି ସହ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କଲାଭଳି ନିର୍ଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳୀଭିତ୍ତିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

ଏହି କର୍ମଶାଳା ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଯୋଜନା ଅଧୀନରେ ଦୁଇଟି ପ୍ରସ୍ତାବିତ ପର୍ଯ୍ୟଟନ ସ୍ଥଳୀ — ‘ପୁରୀ-କୋଣାର୍କ’ ଏବଂ ‘ହୀରାକୁଦ’ ବିଷୟରେ ଉପସ୍ଥାପନା କରାଯାଇଥିଲା। ଜଗନ୍ନାଥ ସଂସ୍କୃତି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶାର ସମୁଦ୍ରକୂଳ, ଚିଲିକା ଏବଂ ରଘୁରାଜପୁର ଐତିହ୍ୟ ଗ୍ରାମକୁ କେନ୍ଦ୍ର କରି ‘ପୁରୀ-କୋଣାର୍କ’ ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ, ଆଧ୍ୟାତ୍ମିକ ଏବଂ ଉପକୂଳ ପର୍ଯ୍ୟଟନ ସ୍ଥଳୀ ଭାବେ ଉପସ୍ଥାପନା କରାଯାଇଥିଲା। ଅନ୍ୟପଟେ, ହୀରାକୁଦ ଜଳାଶୟ ଏବଂ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଭିତ୍ତି କରି ‘ହୀରାକୁଦ’କୁ ଏକ ଉଚ୍ଚ ସମ୍ଭାବନାମୟ ଇକୋ-ଟୁରିଜିମ୍ (ପରିବେଶ ପର୍ଯ୍ୟଟନ), ଜଳ ପର୍ଯ୍ୟଟନ ଏବଂ ସାହସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଉପସ୍ଥାପନା କରାଯାଇଥିଲା।

କର୍ମଶାଳାରେ ଯୋଗଦେଇଥିବା ପ୍ରତିନିଧିମାନେ ପର୍ଯ୍ୟଟନ ସ୍ଥଳୀର ଯୋଜନା ପ୍ରସ୍ତୁତି, ‘ଡେଷ୍ଟିନେସନ ମ୍ୟାନେଜମେଣ୍ଟ ଅର୍ଗାନାଇଜେସନ’ (DMOs) ପ୍ରତିଷ୍ଠା, ଭିତ୍ତିଭୂମି ବିକାଶ, ପର୍ଯ୍ୟଟକଙ୍କ ପରିଚାଳନା, ସ୍ଥାୟୀତ୍ୱ, ପ୍ରଶାସନିକ ଚୌହଦୀ, ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ପର୍ଯ୍ୟଟନ ନୀତି ଅଧୀନରେ ପର୍ଯ୍ୟଟନ ସୁବିଧା ସୁଯୋଗର ଉନ୍ନତି, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବ (ଭାରପ୍ରାପ୍ତ) ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ରଙ୍କ ସହ ପୂର୍ତ୍ତ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ପରିବହନ, ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହାସହିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍ (NIWS), ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍ (IMF), ଆଡଭେଞ୍ଚର ଟୁର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ATOAI), ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ (IATO), ଓଡ଼ିଶା ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ (OATO) ଏବଂ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା (HRAO) ର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଆଲୋଚନା ସମୟରେ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *