Spread the love

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମୀକ୍ଷା କଲେ ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ ଭାରତୀ।

ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ ଭାରତୀ ଏହି ବୈଠକରେ ସମସ୍ତ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି।

​ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାକ-ଏସ.ଆଇ.ଆର ସମୟରେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୩ ଲକ୍ଷ ଥିବାବେଳେ, ସେମାନଙ୍କ ମଧ୍ୟରୁ ୩.୧୬ କୋଟି (୯୪.୬%) ଭୋଟରଙ୍କ ମ୍ୟାପିଂ ସଫଳତାର ସହ ଶେଷ ହୋଇଥିଲା1। ମାତ୍ର ୫.୩୪ ପ୍ରତିଶତଭୋଟରଙ୍କ ଅନ-ମ୍ୟାପିଂ ରହିଛି। ଏବେ ସୁଦ୍ଧା ଅର୍ଥାତ ଜୁନ ୧୬(ମଙ୍ଗଳବାର) ସୁଦ୍ଧା ୯୯.୨୦ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ସେଥି ମଧ୍ୟରୁ ୪୬.୪୪ ପ୍ରତିଶତ ଭୋଟରଙ୍କର ଡିଜିଟାଇଜେସନ ହୋଇଛି ।ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାରା ରାଜ୍ୟରେ ଶୀର୍ଷରେ ରହି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।

ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲ୍ଲାର ସ୍ଥିତି ବାବଦରେ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ଆଜି ସୁଦ୍ଧା କେତେ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ସେଥିରୁ କେତେ ପ୍ରତିଶତ ଡିଜିଟାଇଜେସନ ଶେଷ ହୋଇଛି ଏବଂ କେଉଁ ସବୁ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ବିଳମ୍ବ ହେଉଛି, ସେ ସମସ୍ତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ସି.ଇ.ଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଙ୍କ ନିକଟରେ  ରାଜ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନା ପ୍ରଦର୍ଶନ କରିଥିଲେ।ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଭାରତୀ ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଗ୍ରଗତି ନେଇ ଆତ୍ମସନ୍ତୋଷ ପ୍ରକାଶ କରିବା ସହ ସମୟ ଅବଧି ପୂର୍ବରୁ ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେଇଥିଲେ।ଓଡ଼ିଶାରେ କେହି ଜଣେ ବି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡନ୍ତି ସେ ଦିଗରେ ମଧ୍ୟ ଅଧିକ ଧ୍ୟାନ ରଖିବାକୁ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଥିଲେ।

ସ୍ୱତନ୍ତ୍ର ସଘନ ସଂଶୋଧନ  କାର୍ଯ୍ୟକୁ ଅଧିକ ସୁଗମ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏସ.ଆଇ.ଆର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ବଦଳି/ନିଯୁକ୍ତି ଉପରେ ନିଷେଧାଦେଶ ଲାଗୁ କରାଯାଇଛି।ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ଅତିରିକ୍ତ ୨୭୫ ଜଣ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କୁ ନିଯୁକ୍ତ କରାଯାଇଛି।  ରାଜ୍ୟରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ବୈଠକ ଅନୁଷ୍ଠିତ ହୋଇଛି। ଦାବି ଏବଂ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀସ୍ତରରେ ଶୁଣାଣି ଶିବିର ପ୍ରତିଷ୍ଠା କରାଯାଇଛି।  ଜିଲ୍ଲା ନିର୍ବାଚକ ପଞ୍ଜିକରଣ ଅଧିକାରୀ , ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏବଂ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ତରରେ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଯାହା ଫଳରେ ସାଧାରଣ ଭୋଟର ମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇ ସହାୟତା ପାଇ ପାରିବେ।  କ୍ଷେତ୍ର  ଏବଂ ରାଜ୍ୟ ସ୍ତରରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ ସୁନିଶ୍ଚିତ କରାଯାଇଛି। ଏସ.ଆଇ.ଆର-୨୦୨୬ ର ସଫଳ ରୂପାୟନ ପାଇଁ ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ୧୪୭ ଜଣ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏବଂ ୯୯୪ ଜଣ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି।

ପରିଗଣନା ଫର୍ମ ବଣ୍ଟନ ଓ ଦାଖଲର  ଶେଷ ସମୟ ସୀମା ଜୁନ୍ ୨୮ ତାରିଖ ରହିଥିଲେ ମଧ୍ୟ, କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପଲନ ଉପସ୍ଥିତ ଥିବା ୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆସନ୍ତା ଜୁନ୍ ୨୩ ଓ ୨୪ ତାରିଖ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି।

ଏହି  ଉଚ୍ଚ ସ୍ତରୀୟ ବୈଠକରେ,ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଭାରତୀ ଙ୍କ ସମେତ,ଭାରତ ନିର୍ବାଚନ ଆୟୋଗ ର ପ୍ରମୁଖ ସଚିବ ଶ୍ରୀ ଏସ ବି ଯୋଶୀ,ଉପ ସଚିବ(ECI) ଶ୍ରୀ ଅଭିନଭ ଅଗ୍ରୱାଲ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ, ଅତିରିକ୍ତ ସି ଇ ଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବାଲେଶ୍ବର ଜିଲ୍ଲାପାଳ ଶ୍ରୀ ମୟୂର ବିକାଶ ସୂର୍ଯ୍ୟବଂଶୀ, ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ,  ଅନୁଗୁଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍ ଅଖତର, କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର  ,ବିଏମସି ର ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ,ଭୁବନେଶ୍ୱର ଉପ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଡ.ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ।

ସୂଚନାଯୋଗ୍ୟ,ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମ ଦିନରେ ଭୁବନେଶ୍ୱର ରେ ସମୀକ୍ଷା କରିଛନ୍ତି ଏବଂ ଆସନ୍ତକାଲି ଗଞ୍ଜାମ ଜିଲ୍ଲା ଯାଇ ସେଠାରେ ସ୍ୱତନ୍ତ୍ର ସଘନ ସଂଶୋଧନର ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବିଜୟାନନ୍ଦ ମଲ୍ଲିକ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *