ଗଜପତି : ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ
ପାରଳାଖେମୁଣ୍ଡି, 15/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତିରେ ପ୍ରବଳ
ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲଗାତାର ଅଘୋଷିତ ବିଦ୍ୟୁତ କାଟ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ବହୀନତା ପ୍ରତିବାଦରେ ଉଭ୍ୟକ୍ତ ଲୋକେ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିବା ସହ ଘେରାଉ କରିଛନ୍ତି ।

ଘଟଣାରୁ ପ୍ରକାଶ, କିଛି ଦିନ ହେବ ରାୟଗଡ଼ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅସହ୍ୟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଟିପିଏସଓଡିଏଲ୍ (ବିଦ୍ୟୁତ ବିଭାଗ) ପକ୍ଷରୁ କୌଣସି ପୂର୍ବ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି। ଦିନରେ ଯେମିତି ଅବସ୍ଥା ରାତିରେ ମଧ୍ୟ ବାରମ୍ବାର ସେମିତି ପାୱାର କଟ୍ ଏବଂ ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହୁଛି। ଏହାଯୋଗୁଁ ବୃଦ୍ଧ, ରୋଗୀ ଏବଂ କୋମଳମତି ଶିଶୁମାନେ ଏହି ପ୍ରବଳ ଗରମକୁ ଅସହ୍ୟ କରିପାରୁନାହାନ୍ତି। ରାତି ସାରା ଲୋକେ ଅନିଦ୍ରା ରହୁଥିବା ବେଳେ ଦିନରେ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାମଧନ୍ଦା ସମ୍ପୂର୍ଣ ବାଧାପ୍ରାପ୍ତ ହେଉଛି | କେବଳ ସେତିକି ନୁହେଁ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହେବା ସହ ମୋବାଇଲ୍ ନେଟୱର୍କ ସମସ୍ୟା ମଧ୍ୟ ଦେଖାଦେଉଛି. ଏସବୁର ଦୃଢ଼ ପ୍ରତିବାଦ ଜଣାଇ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ବିରୋଧରେ ଅଞ୍ଚଳବାସୀ ଏକତ୍ରିତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |
ପାରଳା ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା 10 ଜଣ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି
ପାରଳାଖେମୁଣ୍ଡି, 15/6(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରାଜଦାଣ୍ଡର 10 ଗୋଟି ବାସଗୃହରୁ ୱାଟର ମିଟର ଚୋରି ହୋଇଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତେକ ହିତାଧିକାରୀଙ୍କ ବାସଗୃହରେ କେତେ ପରିମାଣରେ ପାଣି ବିନିଯୋଗ ହେଉଛି ତାହା ଜାଣିବା ସହ ଏଥିପାଇଁ ଆବଶ୍ୟକ ଟିକସ ଆଦାୟ ପାଇଁ ୱାଟର ମିଟର ଖଞ୍ଜା ଯାଇଛି. ଏହି ମିଟର ଗୁଡିକ ଗତ କିଛି ମାସ ହେଲା ଚୋରି ହେଉଥିବା ଅଭିଯୋଗ ରହି ଆସିଛି. ପାରଳା ସହରର ପ୍ୟାଲେସ ଷ୍ଟ୍ରିଟ (ରାଜଦାଣ୍ଡ)ର 10 ଜଣ ହିତାଧିକାରୀଙ୍କ ବାସଗୃହରୁ ଗତକାଲି ରାତ୍ରରେ ଏକକାଳୀନ 10 ଗୋଟି ୱାଟର ମିଟର ଚୋରି ହୋଇଯାଇଛି. ଏଇ ମିଟର ଗୁଡିକର ଚାହିଦା ପଡୋଶୀ ଆନ୍ଧ୍ରପ୍ରଦେଶରେ ରହିଥିବା ଯୋଗୁଁ କୌଣସି ଏକ ନିର୍ଦ୍ଧିଷ୍ଟ ଚୋର ଦଳ ଏହି ମିଟର ଗୁଡିକୁ ଚୋରାଇ ନେଉଥିବା ଅଭିଯୋଗ ହୋଇଛି. ଖବର ଲେଖିବା ସୁଦ୍ଧା ପାରଳାଖେମୁଣ୍ଡି ଥାନାରେ ମିଟର ଚୋରି ନେଇ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି.
1 ମାସରୁ ଉର୍ଦ୍ଧ ସମୟ ଧରି ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ସେରଙ୍ଗ ଥାନାର ଦ୍ୱାରସ୍ଥ
ପାରଳାଖେମୁଣ୍ଡି, 15/6(ତାରିଣୀ ପ୍ରସାଦ ପଣ୍ଡା):
ଗତ 1 ମାସରୁ ଉର୍ଦ୍ଧ ସମୟ ଧରି ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ସେରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଇଝାଲି ପଞ୍ଚାୟତ ପାଢୁମସିଂ ଗ୍ରାମର ପ୍ରେମାନ୍ତ ଗମାଙ୍ଗଙ୍କ ପୁଅ ଭିଂସେଣ୍ଟ ଗମାଙ୍ଗ (୨୯) ଦୀର୍ଘ ଏକ ମାସ ହେଲା ନିଖୋଜ ଅଛନ୍ତି I ଭିଂସେଣ୍ଟ କିଛି ବର୍ଷ ତଳେ ଆକସ୍ମିକ ଭାବେ ମସ୍ତିଷ୍କ ସନ୍ତୁଳନ ହରାଇଥିଲେ। ପ୍ରେମାନ୍ତ ପୁଅକୁ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ ନେଇ ସେଠାରେ କିଛି ମାସ ରଖ୍ ସୁସ୍ଥ କରି ଘରକୁ ଆଣିଥିଲେ। ଭିଂସେଣ୍ଟ କିଛି ବର୍ଷ ହେଲା ଗ୍ରାମରେ ଭଲରେ ଥିଲେ। ବର୍ତ୍ତମାନ 1 ମାସ ହେଲା ପୁନର୍ବାର ତାଙ୍କର ମସ୍ତିଷ୍କ ସନ୍ତୁଳନ ଯୋଗୁଁ ସେ ହରାଇ କେଉଁଆଡେ ଚାଲିଯାଇଛନ୍ତି। ପ୍ରେମାନ୍ତ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନହାନ୍ତି I ଶେଷରେ ସେ ସେରଙ୍ଗ ଥାନାରେ ଦ୍ବାରସ୍ଥ ହୋଇ ଥାନା ଅଧିକାରୀ କମଳା ଚୌଧୁରୀଙ୍କୁ ସାକ୍ଷାତ କରି ଏତଲା ଦେବା ସହ ନିଖୋଜ ପୁଅର ସନ୍ଧାନ ପାଇଁ ଅନୁରୋଧ ଜଣାଇଛନ୍ତି।
ପାରଳା ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ 10 ଜଣ ମଦ୍ୟପ
ପାରଳାଖେମୁଣ୍ଡି, 15/6(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସାଧାରଣ ସ୍ଥାନରେ ମଦ୍ୟପାନ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ 10 ଜଣଙ୍କୁ ପୋଲିସ ଚି଼ହ୍ନଟ କରି ଧରିଛି.ଏହି 10 ଜଣଙ୍କୁ ପୋଲିସ କଡା ଚେତାବନୀ ଦେଇ ବ୍ୟକ୍ତିଗତ ବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି.
ଗତକାଲି ରାତିରେ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ହଠାତ୍ ବାଇକ୍ ପେଟ୍ରୋଲିଂ କରାଯାଇ ପାଠପତନମ ରୋଡ୍, ବି.ଏନ୍. ପ୍ୟାଲେସ ପରିସର, ଫ୍ରଣ୍ଟ ସାଇଡ୍ କମ୍ପାଉଣ୍ଡ ଏବଂ ଅନ୍ୟାନ୍ୟ କମ୍ ଆଲୋକ ଥିବା ସ୍ଥାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କିଛି ଯୁବକ ଦଳବଦ୍ଧ ଭାବେ ବସି ମଦ୍ୟପାନ କରୁଥିବା ଦେଖାଯାଇଥିଲା। ପ୍ରାୟ ୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ପରିଚୟ ଯାଞ୍ଚ କରାଯାଇଥିଲା। ସେମାନଙ୍କୁ କଡ଼ା ଚେତାବନୀ ଦିଆଯିବା ସହିତ ଲିଖିତ ମୁଚାଲିକା ନିଆଯାଇଥିଲା ଏବଂ ପରେ ଛାଡ଼ି ଦିଆଯାଇଥିଲା। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ସାଧାରଣ ସ୍ଥାନରେ ମଦ୍ୟପାନ, ଅସାମାଜିକ କାର୍ଯ୍ୟକଳାପ ଏବଂ ଶାନ୍ତି-ଶୃଙ୍ଖଳା ବିରୋଧୀ କାର୍ଯ୍ୟ ଉପରେ ଏଭଳି ଅଚାନକ ଚଢ଼ାଉ ଓ ପେଟ୍ରୋଲିଂ ଆଗାମୀ ଦିନରେ ମଧ୍ୟ ଜାରି ରହିବ।












Leave a Reply