ଝାରସୁଗୁଡ଼ା : ଜୁନ୍ ୨୮ରେ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ..
ଝାରସୁଗୁଡ଼ା କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲାର ୦ ରୁ ୫ ବର୍ଷର ୩୮,୦୭୬ ଶିଶୁଙ୍କୁ ମିଳିବ ଦୁଇ ବୁନ୍ଦା ଜୀବନର-୫୧୭ଟି ବୁଥ୍ ଏବଂ ୧୦୯୦ ଟୀକାକରଣ କର୍ମୀ ନିୟୋଜିତ l ଝାରସୁଗୁଡ଼ା ଜିଲ୍ଲାରେ ଆଗାମୀ ଜୁନ୍ ୨୮ ତାରିଖରେ ହେବାକୁ ଥିବା (Intensified Pulse Polio Immunization – IPPI) କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ “ଜିଲ୍ଲା ଟାସ୍କ ଫୋର୍ସ” ବୈଠକ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଜୁନ୍ ୨୦୨୬ ମାଇକ୍ରୋ ପ୍ଲାନ, ବିଭିନ୍ନ ବିଭାଗର ସହଯୋଗିତା ଏବଂ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି l କୌଣସି ବି ଶିଶୁ ଯେପରି ଏହି ଟୀକାକରଣରୁ ବଞ୍ଚିତ ନ ହେବେ, ସେଥିପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ସଂଶ୍ଳିଷ୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ତଥ୍ୟ ଅନୁଯାୟୀ, ଚଳିତ ଜୁନ୍ ରାଉଣ୍ଡରେ ଜିଲ୍ଲାର ମୋଟ ୩୮,୦୭୬ ଜଣ ୦ ରୁ ୫ ବର୍ଷ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି l ଏଥିପାଇଁ ସମଗ୍ର ଜିଲ୍ଲାରେ ୫୧୭ଟି ପୋଲିଓ ବୁଥ୍ ପ୍ରତିଷ୍ଠା କରାଯାଉଥିବା ବେଳେ ୧୦୯୦ ଜଣ ଟୀକାକରଣ କର୍ମୀ ଏବଂ ୫୯ ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି l ଜୁନ୍ ୨୮ ତାରିଖ (ରବିବାର) ଦିନ ବୁଥ୍ ମାଧ୍ୟମରେ ଏବଂ ପରବର୍ତ୍ତୀ ଜୁନ୍ ୨୯ ଓ ୩୦ ତାରିଖରେ ଟୀକାକରଣ ଦଳ ଘରକୁ ଘର ବୁଲି ବଳକା ଶିଶୁଙ୍କୁ ଦୁଇ ବୁନ୍ଦା ଟୀକା ପ୍ରଦାନ କରିବେ l ଏଥିସହିତ ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଭଳି ଗହଳି ସ୍ଥାନ ପାଇଁ ୧୨ଟି ଟ୍ରାଞ୍ଜିଟ୍ ଟିମ୍ ଏବଂ ଇଟାଭାଟି, ନିର୍ମାଣ ସ୍ଥଳ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଅସ୍ଥାୟୀ ବାସିନ୍ଦା ଓ ପ୍ରବାସୀ ଶିଶୁଙ୍କ ପାଇଁ ୭ଟି ମୋବାଇଲ୍ ଟିମ୍ ନିୟୋଜିତ କରାଯାଇଛି l ଏହି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଅନ୍ୟ ସମସ୍ତ ସହଯୋଗୀ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛନ୍ତି l ମହିଳା ଓ ଶିଶୁ ବିକାଶ ବିଭାଗକୁ ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବାକୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସରକାରୀ ତଥା ବେସରକାରୀ ପ୍ଲେ-ସ୍କୁଲଗୁଡ଼ିକରେ ପୋଲିଓ ଦଳକୁ ଯାଞ୍ଚ ସହ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ବିଶେଷ କରି ପୂର୍ବ ରାଉଣ୍ଡରେ ସ୍କୁଲଗୁଡ଼ିକରେ ରହିଯାଇଥିବା ଅଭାବକୁ ସଧାରିବା ପାଇଁ ଏକ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି l












Leave a Reply